Latest Odisha News

BREAKING NEWS

ଅକାଳୀ ଦଳ ସହ ହେବନି ମେଣ୍ଟ, ପଞ୍ଜାବରେ ଏକାକୀ ଲଢିବ ବିଜେପି

ଚଣ୍ଡିଗଡ: ପଞ୍ଜାବରେ ବିଜେପି ଏବଂ ଅକାଳୀ ଦଳ (ଏସଏଡି) ମଧ୍ୟରେ ମେଣ୍ଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବର୍ତ୍ତମାନ ରାଜ୍ୟରେ ଅକାଳୀ ଦଳ ଏବଂ ବିଜେପି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ । ପଞ୍ଜାବରେ ଲୋକସଭା ନିର୍ବାଚନରେ ଏକାକୀ ଲଢିବ ବିଜେପି । ଏନେଇ ଆଜି ବିଜେପି ପକ୍ଷରୁ ଘୋଷଣା କରାଯାଇଛି ।

ପଞ୍ଜାବ ବିଜେପି ଅଧ୍ୟକ୍ଷ ସୁନିଲ ଜାଖର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏକାକୀ ପଞ୍ଜାବର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ବିଜେପି ରାଜ୍ୟର ସମସ୍ତ ୧୩ ସିଟ୍ ରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଜାଖର କହିଛନ୍ତି ।

କହିଛନ୍ତି ଯେ, ‘ଲୋକଙ୍କ ମତାମତ, ଦଳୀୟ କର୍ମୀଙ୍କ ମତ, ନେତାଙ୍କ ମତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, ପଞ୍ଜାବର ସମସ୍ତ କୃଷକ, ପଞ୍ଜାବର ବ୍ୟବସାୟୀ, ସହଯୋଗୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏଠାକାର ଶ୍ରମିକ, ପଞ୍ଜାବର ପଛୁଆ ଶ୍ରେଣୀ ଆଦିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି କରିଥିବା କାର୍ଯ୍ୟ ଆଉ ଲୁକ୍କାୟିତ ଅବସ୍ଥାରେ ନାହିଁ ‘।

ଅକାଳି ଦଳ ବିଜେପି ପାଖରେ ବହୁତ ଗୁଡିଏ ସର୍ତ୍ତ ରଖିଥିଲା । ହେଲେ ଏଥିରେ ସହମତି ନ ମିଳିବାରୁ ଉଭୟଙ୍କ ମଧ୍ୟରେ ମେଣ୍ଟ ଆଶା ମଉଳିଯାଇଛି । ଏବେ ବିଜେପି ସେଠାରେ ଏକା ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି ।

ଏହା ପୂର୍ବରୁ ୨୦୧୯ ମସିହାରେ ଅକାଳୀ ଦଳ ଏନଡିଏରେ ରହି ନିର୍ବାଚନ ଲଢିଥିଲା । ଏହାପରେ ୨୦୨୦-୨୧ ଚାଷୀ ଆନ୍ଦୋଳନ ସମୟରେ ବିଜେପି ଠାରୁ ଦୂରେଇ ଯାଇଥିଲା ଅକାଳୀ ଦଳ ।

Comments are closed.