Latest Odisha News

BREAKING NEWS

ବିଜେପିର ମିଶନ ସାଉଥ: କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନାରେ ନିର୍ବାଚନୀ ପ୍ରଚାର କରିବେ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛିଟା ଦିନର ଅପେକ୍ଷା । ଏହାରି ଭିତରେ ବିଜେପି ଦେଶର ଦକ୍ଷିଣ ରାଜ୍ୟ ମାନଙ୍କରେ ତା’ର ପ୍ରଚାର ପ୍ରସାରକୁ ଜୋରଦାର କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶର ଦକ୍ଷିଣ ରାଜ୍ୟ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି କେରଳ, ତେଲେଙ୍ଗାନା ଏବଂ ତାମିଲନାଡୁରେ ନିର୍ବାଚନୀ ପ୍ରଚାର କରିବେ । କେରଳରେ ନିଜର ଦୃଢ ସ୍ଥିତି ପ୍ରତିଷ୍ଠା କରିବାକୁ ବିଜେପି ତାର ସମସ୍ତ ବଳ ଲଗାଇବ ।

ପ୍ରଧାନମନ୍ତ୍ରୀ ମୋଦି ସକାଳ ୧୦.୩୦ରେ କେରଳର ପଥାମଥିଟ୍ଟାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ରାଜ୍ୟ ବିଜେପି ମୁଖ୍ୟ ସୁରେନ୍ଦ୍ରନ, କେରଳ ପ୍ରଭାରୀ ପ୍ରକାଶ ଜାଭଦକର, ରାଜ୍ୟ ସାଧାରଣ ସମ୍ପାଦକ ଜର୍ଜ କୁରିଏନ୍ ଏବଂ ଜିଲ୍ଲା ସଭାପତି ବିଏ ସୁରଜ ସ୍ୱାଗତ କରିଥିଲେ । ପିଏମ ମୋଦୀ ଏଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି । ଏହି ସଭାରେ ଏନଡିଏ ଲୋକସଭା ସାଂସଦ ଭି ମୁରଲୀଧରନ୍, ଅନିଲ କେ ଆଣ୍ଟୋନି, ଶୋଭା ସୁରେନ୍ଦ୍ରନ୍ ଏବଂ ବାଇଜୁ କାଲାସାଲା ମଧ୍ୟ ଯୋଗଦେଇଛନ୍ତି । ସେପଟେ ନିକଟରେ କଂଗ୍ରେସ ଛାଡିଥିବା ଭେଟେରାନ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କରୁଣାକରନଙ୍କ ଝିଅ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାବେଶରେ ଯୋଗଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଏଆଇଡିଏମକେ, ଏନଡିଏରୁ ଅଲଗା ହେବା ପରେ ତାମିଲନାଡୁରେ ବିଜେପିର କୌଣସି ସହଯୋଗୀ ନାହାଁନ୍ତି । ଚଳିତ ବର୍ଷ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ହେଉଛି ପଞ୍ଚମ ଗସ୍ତ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି କନ୍ୟାକୁମାରୀ ପରିଦର୍ଶନ କରିବେ, ଯେଉଁଠାରେ ବିଜେପିର ଭଲ ପ୍ରଦର୍ଶନ ରହିଛି। ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ପିଏମକେ ଏବଂ ଅଭିନେତା ବିଜୟକାନ୍ତଙ୍କ ଡିଏମଡିକେକୁ ନିଜ ପଟକୁ ଆଣିବାକୁ ବିଜେପି ଚେଷ୍ଟା କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ତେଲେଙ୍ଗାନାରେ ମଧ୍ୟ ନିର୍ବାଚନୀ ପ୍ରଚାର କରିବେ, ଆଜି ସନ୍ଧ୍ୟାରେ ମଲକାଜଗିରିରେ ମୋଦୀଙ୍କର ଏକ ରୋଡ୍ ସୋ ଅଛି, ଏଥିପାଇଁ ସେ ବେଗମପେଟ ଯିବେ । ପିଏମ ମୋଦୀଙ୍କ ରୋଡ ସୋକୁ ଦୃଷ୍ଟିରେ ରଖି ପୋଲିସ ଟ୍ରାଫିକ ନିୟମ ମଧ୍ୟ ଜାରି କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତିରେ ରାଜ ଭବନରେ ରହି ଆସନ୍ତାକାଲି ନାଗରକୁର୍ନୁଲରେ ଏକ ସାଧାରଣ ସଭା କରିବେ। ରବିବାର ଦିନ ଚିଲିକଲୁରିପେଟାରେ ବିଜେପି-ଟିଡିପି-ଜନ ସେନାର ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦେବେ।

Leave A Reply

Your email address will not be published.