Latest Odisha News

BREAKING NEWS

ହଜାରେ କୋଟି ଟଙ୍କା ସହ ରେକର୍ଡ କଲା ବିଏମ୍‌ସି ବଜେଟ୍‌

ଭୁବନେଶ୍ୱର: ଇତିହାସ ରଚିଲା ବିଏମସି। ହଜାରେ ଟପିଲା ବିଏମ୍‌ସି ବଜେଟ୍‌। ଶନିବାର ସ୍ୱତନ୍ତ୍ର ଅଧିବେଶନରେ ୧୦୨୭ କୋଟି ଟଙ୍କାର ବିଏମ୍‌ସି ବଜେଟ୍‌ ପାରିତ ହୋଇଛି। ଯାହା ବିଏମ୍‌ସି ଇତିହାସର ସର୍ବକାଳୀନ ରେକର୍ଡ। ତେବେ ଏହା ଏକ ଲୋକାଭିମୂଖୀ ବଜେଟ୍‌ ଏବଂ ନାଗରିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ୧୦୫.୯୬ କୋଟି, ଏକାମ୍ର ଯୋଜନା ପାଇଁ ୧୧୩ କୋଟି, ପେଭର୍‌ ବ୍ଲକ ରାସ୍ତା ନିର୍ମାଣ ପାଇଁ ୯୭.୭୨ କୋଟି, ଡ୍ରେନ୍‌ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୧.୪୭ କୋଟି, ପରିମଳ ଓ ବର୍ଜ୍ୟ ସଂଗ୍ରହ ପାଇଁ ୧୧୧.୧୯ କୋଟି, ୱାର୍ଡ ଅଫିସ ନିର୍ମାଣ ପାଇଁ ୨୧ କୋଟି, ଭୂମି ଅଧିଗ୍ରହଣ ପାଇଁ ୫୦ କୋଟି, ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ୨୫.୫୧ କୋଟି ସହ ଯାନବାହାନ କ୍ରୟ, ପାନୀୟ ଜଳ, ଆଲୋକକୀକରଣ ଏବଂ ଅନ୍ୟାନ୍ୟ ମୌଳିକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ୧୫୧୪.୪୫ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ବଜେଟ୍‌ ପ୍ରସ୍ତୁତ କରାଯାଇଛି। ଆଗାମୀ ଦିନରେ ଭୁବନେଶ୍ୱର ମହାନଗର ନିଗମକୁ ସବୁ ଦିଗରୁ ସରସ ସୁନ୍ଦର କରିବା ପାଇଁ ଏହି ବ୍ୟୟ ଅଟଳର କରାଯାଇଛି।

ସହରର ବିଭିନ୍ନ ସ୍ଥାନରେ ୧୦ଟି କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ସେବାକୁ ପରିବ୍ୟାପ୍ତ କରିବା ପାଇଁ ଆଉ ୪ଟି ଅର୍ବାନ ୱେଲ୍‌ନେସ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ କରାଯାଉଛି। ଜଳବନ୍ଦୀକୁ ସାମ୍ନା କରିବା ପାଇଁ ଆବଶ୍ୟକ ପମ୍ପସେଟ୍‌ କ୍ରୟ, ଜରୁରିକାଳୀନ ପରିସ୍ଥିତି ପାଇଁ ଡିଜି ସେଟ୍‌ କ୍ରୟ ଆଦି ରହିଛି।

ବିଏମ୍‌ସି ବିଭିନ୍ନ ଦିଗରୁ ହେଉଥିବା ପ୍ରମୁଖ ଆୟ ମଧ୍ୟରେ ରାଜସ୍ୱ ପ୍ରାୟ ୯୧ କୋଟି, ସରକାରୀ ଅନୁଦାନ ବାବଦରେ ୧୨୫ କୋଟି, ମୁକ୍ତା ପାଇଁ ୬୦ କୋଟି, ଡ୍ରେନ ଉନ୍ନତିକରଣ ପାଇଁ ୫୦ କୋଟି, ଜଳାଶୟ ଗୁଡ଼ିକର ଉନ୍ନତିକରଣ ପାଇଁ ୫୦ କୋଟି ଏବଂ ବିଭିନ୍ନ ଟିକସ ବାବଦରେ ୯୨ କୋଟି, ରାଜସ୍ୱ ଆୟ ୨୩୨.୧୨ କୋଟି ଏବଂ ସରକାରୀ ଅନୁଦାନ ବାବଦରେ ୬୩୬ କୋଟିରୁ ଅଧିକ ଟଙ୍କା ଆୟ ଯୋଜନା ରହିଛି ବୋଲି କହିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ। ମୋଟାମୋଟି ଭାବେ କହିବାକୁ ଗଲେ, ଆର୍ଥିକ ବର୍ଷ ୨୦୨୩-୨୪ ଶେଷରେ ୬୩୨.୯୬ କୋଟି ଟଙ୍କା ବଳକା ଅର୍ଥ ରହିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ୫୮୧.୨୮ କୋଟି, ପୁଞ୍ଜିଭୁକ୍ତ ଆୟ ୩୦୦ କୋଟି ଏପରି ମୋଟ ୧୫୧୪. ୪୫ କୋଟି ଟଙ୍କା ଆୟ ଆକଳନ କରାଯାଇଛି। ସେହିପରି ରାଜସ୍ୱ ବ୍ୟୟ ୫୮୦.୪୭ କୋଟି, ପୁଞ୍ଜିଭୁକ୍ତ ବ୍ୟୟ ୪୪୭.୦୮ କୋଟି ଏବଂ ବର୍ଷ ଶେଷକୁ ୪୮୬.୯୦ କୋଟି ଟଙ୍କା ବଳକା ଅର୍ଥ ଅଟକଳ କରାଯାଇଛି। ତେବେ ଚିଠା ବଜେଟରେ ବ୍ୟୟ ଅଟକଳ ୧୪୯୨.୫୦ କୋଟି ରହିଥିବା ବେଳେ ଆଜିର ବଜେଟରେ ୧୫୧୪.୪୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Leave A Reply

Your email address will not be published.