Latest Odisha News

ବାର୍ଡ ଫ୍ଲୁ ଆତଙ୍କ: ସମସ୍ତ କୁକୁଡ଼ା ଦୋକାନୀଙ୍କୁ ସତର୍କକଲା ବିଏମ୍‌ସି

ଭୁବନେଶ୍ବର: ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଏନେଇ ସମସ୍ତ କୁକୁଡ଼ା ମାଂସ ଦୋକାନୀମାନଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସତର୍କ କରାଇଛି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) । ରାଜଧାନୀର ଆଖପାଖ ଅଞ୍ଚଳରେ ଏହି ଭୂତାଣୁ ସଂକ୍ରମିତ ହେଉଥିବାରୁ ଉକ୍ତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ କୁକୁଡ଼ା ମାଂସ ଦୋକାନୀମାନଙ୍କୁ ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ।

ବାର୍ଡ ଫ୍ଲୁ ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ବର୍ତ୍ତମାନ ଯେଉଁ କୁକୁଡ଼ା ଅସ୍ବାଭାବିକ ଭାବେ ଅସୁସ୍ଥ ହୋଇପଡୁଛନ୍ତି କିମ୍ବା ସେମାନଙ୍କର ମୃତ୍ୟୁ ହେଉଛି ସେନେଇ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଫିସରେ ଜଣାଇବାକୁ କମିଶନର କହିଛନ୍ତି ।

ସେହିପରି ଅସ୍ବାଭାବିକ ଭାବେ ମୃତ୍ୟୁବରଣ କରୁଥିବା ପକ୍ଷୀଙ୍କୁ ବାହାରେ ଫୋପାଡି ନଦେଇ ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିଦେବା ସହ ତା’ ଉପରେ ବ୍ଲିଚିଂ ସିଞ୍ଚନ କରନ୍ତୁ । ମୁହଁରେ ମାସ୍କ ଏବଂ ହାତରେ ଗ୍ଲୋବ୍ସ ପିନ୍ଧି ଏହି କାର୍ଯ୍ୟ କରିବାକୁ କମିଶନର କହିଛନ୍ତି ।

ଅନ୍ୟପଟେ ଯଦି ଏହି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ବୋଲି ସେ କହିଛନ୍ତି ।

Comments are closed.