Latest Odisha News

BREAKING NEWS

ଆବାସିକ ଭାବେ ପଞ୍ଜିକୃତ ଘର ବ୍ୟବସାୟିକ ବ୍ୟବହାର ହେଉଥିଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଘରୋଇ ସମ୍ପତ୍ତିକୁ ବାଣିଜ୍ୟିକ ଭାବେ ବ୍ୟବହାର କରାଯାଉଛି। ଏହାକୁ ନେଇ ଗମ୍ଭୀର ହୋଇଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)। ଏପରି ନକରିବାକୁ ବା କଟକଣା ଲଗାଇବକୁ ବିଏମସି ନିଷ୍ପତ୍ତି ନେଇଛି।

ବିଏମସି ବିଶେଷ କରି ଏବେ ଘର ମାଲିକଙ୍କୁ ଟାର୍ଗେଟ କରିବ, ଯେଉଁମାନେ ସେମାନଙ୍କ ସମ୍ପତ୍ତିକୁ ଆବାସିକ ଭାବେ ପଞ୍ଜୀକରଣ କରିଛନ୍ତି କିନ୍ତୁ ଏହାକୁ ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର କରନ୍ତି। ଯେଉଁମାନେ ଆବଶ୍ୟକ ଟ୍ରେଡ୍ ଲାଇସେନ୍ସ ନପାଇ ବ୍ୟବସାୟ କରୁଛନ୍ତି ସେମାନେ ମଧ୍ୟ ପରିଣାମ ଭୋଗିବେ।

ବିଏମସି କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କମିଶନର ବିଜୟ ଅମୃତା କୁଲାଙ୍ଗେ ଆବାସିକ ସମ୍ପତ୍ତିର ଅନଧିକୃତ ବାଣିଜ୍ୟିକ ବ୍ୟବହାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏଭଳି ଉଲ୍ଲଂଘନ ବିରୋଧରେ ବିଏମସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

କେବଳ ସେତିକି ନୁହେଁ, ଯେଉଁ ଘର ମାଲିକମାନେ ଜାଣିଶୁଣି ସେମାନଙ୍କ ସମ୍ପତ୍ତିର ଆକଳନ ଓ ପୁନଃମୂଲ୍ୟାୟନରୁ ଦୂରେଇ ରହୁଛନ୍ତି ସେମାନଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଜାଣିଶୁଣି ହୋଲ୍ଡିଂ ଟ୍ୟାକ୍ସ ପୈଠ ନକଲେ ଜରିମାନା ମଧ୍ୟ ଲାଗୁ ହେବ।

ବକେୟା ହୋଲ୍ଡିଂ ଟ୍ୟାକ୍ସ ବକେୟା ଥିବା ସଂସ୍ଥା ଓ କମ୍ପାନିଗୁଡ଼ିକୁ ନୋଟିସ୍ ଆସିବ ଏବଂ ଆବଶ୍ୟକ ପଡ଼ିଲେ ଓଡ଼ିଶା ପବ୍ଲିକ୍ ଡିମାଣ୍ଡ ରିକଭରୀ ଆକ୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ରାଜସ୍ୱ ଆଦାୟ ବୃଦ୍ଧି ପାଇଁ କମିଶନର ଅନଲାଇନ ପେମେଣ୍ଟ ପଦ୍ଧତିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜସ୍ୱ ଆଦାୟ ପାଇଁ କ୍ୟୁଆର୍ କୋଡର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ୱାର୍ଡ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ଘର ମାଲିକମାନେ ସହଜରେ ଟିକସ ପୈଠ କରିବା ପାଇଁ bhubaneswar.me ପୋର୍ଟାଲବ୍ୟବହାର କରିବାକୁ ପ୍ରୋତ୍ସାହିତ ହେବେ।

Leave A Reply

Your email address will not be published.