ନୂଆଦିଲ୍ଲୀ: ୱଯଦି ଆପଣ ଏକ ଲଗ୍ଜୁରୀ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। ଆସନ୍ତା ଜୁଲାଇ ୧ ତାରିଖରୁ ଭାରତୀୟ ବଜାରରେ ମହଙ୍ଗା ହେବାକୁ ଯାଉଛି ଜର୍ମାନୀର ପ୍ରସିଦ୍ଧ ଅଟୋମୋବାଇଲ୍ ବ୍ରାଣ୍ଡ୍ BMW ଏବଂ MINI। BMW ଗ୍ରୁପ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଘୋଷଣା ମୁତାବକ, କମ୍ପାନୀ ଆସନ୍ତା ମାସରୁ ତାର ସମସ୍ତ ଗାଡ଼ିର ମୂଲ୍ୟରେ ପ୍ରାୟ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯାଉଛି। ତେବେ କାହିଁକି ହେଉଛି ଏହି ଦର ବୃଦ୍ଧି ଏବଂ ଆପଣଙ୍କ ପକେଟ୍ ଉପରେ ଏହାର କଣ ପ୍ରଭାବ ପଡ଼ିବ, ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ…
ଭାରତୀୟ ଲଗ୍ଜୁରୀ କାର୍ ପ୍ରେମୀଙ୍କ ପାଇଁ ବଡ଼ ଝଟ୍କା। ଜୁଲାଇ ପହିଲାରୁ ଗ୍ରାହକଙ୍କୁ BMW ଏବଂ MINI କାର୍ ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା। ଭାରତରେ ନିର୍ମିତ ହେଉ କିମ୍ବା ବିଦେଶରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସୁଥିବା CBU ବା ଇମ୍ପୋର୍ଟେଡ୍ ଗାଡ଼ି, କମ୍ପାନୀ ତାର ସମସ୍ତ ମଡେଲ୍ର ଦାମ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛି।
କମ୍ପାନୀର କହିବା ମୁତାବକ, ବିଶ୍ୱ ବଜାରରେ ଭାରତୀୟ ଟଙ୍କାର ଅବମୂଲ୍ୟନ ବା ଟଙ୍କା ଦୁର୍ବଳ ହେବା, ଅନ୍ତର୍ଜାତୀୟ ସ୍ତରରେ ପରିବହନ ଓ ଲଜିଷ୍ଟିକ୍ସ ଖର୍ଚ୍ଚ ବଢ଼ିବା ଏବଂ ଅନ୍ୟାନ୍ୟ ଅର୍ଥନୈତିକ ଚାପ ଯୋଗୁଁ କାର୍ ତିଆରି ଏବଂ ଆମଦାନୀ ଖର୍ଚ୍ଚ ବହୁତ ବଢ଼ିଯାଇଛି। ତେଣୁ ଗାଡ଼ିର ପ୍ରିମିୟମ୍ କ୍ୱାଲିଟି ଏବଂ ସର୍ଭିସ୍ ବଜାୟ ରଖିବା ପାଇଁ ଏହି ଦର ବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଭାରତୀୟ ବଜାରରେ BMW ର ଚାହିଦା ବହୁତ ଭଲ ରହିଛି। ତେବେ ଦାମ୍ ବଢ଼ୁଥିଲେ ମଧ୍ୟ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ କମ୍ପାନୀ ତାର ‘BMW Smart Finance’ ପ୍ରୋଗ୍ରାମ ଜାରି ରଖିବ। ଯେଉଁଥିରେ ଆକର୍ଷଣୀୟ EMI, କମ୍ ସୁଧ ହାର ଏବଂ ବାଏ-ବ୍ୟାକ୍ ଗ୍ୟାରେଣ୍ଟି ଭଳି ଫାଇଦା ମିଳିପାରିବ।
ଅଟୋମୋବାଇଲ୍ ବିଶେଷଜ୍ଞଙ୍କ ମତରେ, ଲଗ୍ଜୁରୀ ସେଗମେଣ୍ଟର ଗ୍ରାହକମାନେ ଦାମ୍ ଅପେକ୍ଷା କ୍ୱାଲିଟି ଏବଂ ବ୍ରାଣ୍ଡ୍କୁ ଅଧିକ ପସନ୍ଦ କରନ୍ତି, ତେଣୁ ବଜାର ଉପରେ ଏହାର ବଡ଼ ପ୍ରଭାବ ପଡ଼ିନପାରେ। ଯଦି ଆପଣ BMW କିମ୍ବା MINI କାର୍ କିଣିବାକୁ ମନ ବଳାଇଛନ୍ତି, ତେବେ ଜୁଲାଇ ୧ ପୂର୍ବରୁ ବୁକିଂ କରିନେବା ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହେବ।

Comments are closed.