Latest Odisha News

BREAKING NEWS

ଯୁବତୀଙ୍କ ଶରୀରକୁ ୩୫ ଖଣ୍ଡ କରି ୧୮ ଦିନ ଧରି ରାତି ଅଧରେ ଫିଙ୍ଗୁଥିଲା ପ୍ରେମିକ

ନୂଆଦିଲ୍ଲୀ: ମୁମ୍ବାଇରେ ଚାକିରି ବେଳେ ପ୍ରେମ ଆଉ ତା’ପରେ ଡେଟିଂ ଆଉ ଲିଭ୍ ଇନ୍ ରିଲେସନସିପ୍ । ଫିଲ୍ମ କାହାଣୀ ଭଳି ଗଡ଼ି ଚାଲିଥିଲା ଜୀବନ ଗାଡ଼ି । ହେଲେ ହଠାତ୍ ସବୁକିଛି ବଦଳି ଗଲା । ଆଉ ରାକ୍ଷାସ ସାଜିଲା ପ୍ରେମିକ । ପ୍ରେମିକାର ଶରୀରକୁ ୩୫ ଖଣ୍ଡ କରି କାଟିବା ପରେ ୧୮ ଦିନ ଧରି ପ୍ରତିଦିନ ରାତି ୨ଟାରେ ଶରୀର ଖଣ୍ଡକୁ ବାହାରେ ଫିଙ୍ଗି ଆସୁଥିଲା ।

ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଦକ୍ଷିଣ ଦିଲ୍ଲୀର ମେହରାଉଲି ଥାନା ଅଞ୍ଚଳରେ । ମାମଲା ସାମ୍ନାକୁ ଆସିବା ପରେ ପୋଲିସ ବି ଚକିତ ହୋଇ ଯାଇଛି । ସୂଚନା ଅନୁସାରେ, ମୁମ୍ବାଇର ଏକ ବହୁ ଦେଶୀୟ କମ୍ପାନୀରେ କାମ କରୁଥିଲେ ୨୬ ବର୍ଷୀୟ ଶ୍ରଦ୍ଧା ୱାକର । ସେଠାରେ ସେ ଅଫତାବ ଅମିନ ପୁନାୱାଲାଙ୍କ ସଂସ୍ପର୍ଶରେ ଆସିଥିଲେ ।

ଉଭୟ ଡେଟିଂ କରିବା ସହ ଏକାଠି ବୁଲୁଥିଲେ । ପରିବାର ଉଭୟଙ୍କ ଭଲ ପାଇବାକୁ ସ୍ୱୀକୃତି ନଦେବା ପରେ ଦୁହେଁ ଦିଲ୍ଲୀ ଚାଲି ଯାଇଥିଲେ । ମେହରାଉଲିର ଏକ ଫ୍ଲାଟରେ ଲିଭ୍ ଇନରେ ରହୁଥିଲେ ।  ହଠାତ୍ ଶ୍ରଦ୍ଧା, ପରିବାରର ଫୋନ୍ ଉଠାଇବା ବନ୍ଦ କରି ଦେଇଥିଲେ । ଯାହାକୁ ନେଇ ବିଚଳିତ ଶ୍ରଦ୍ଧାଙ୍କ ପରିବାର ନଭେମ୍ବର ୮ରେ ଦିଲ୍ଲୀ ପହଞ୍ଚି ଫ୍ଲାଟରେ ତାଲା ପଡ଼ିଥିବା ଦେଖି ଚକିତ ହୋଇ ଯାଇଥିଲେ ।

ଏନେଇ ସେ ମେହରାଉଲି ପୋଲିସକୁ ଜଣାଇବା ସହ ଶ୍ରଦ୍ଧାଙ୍କୁ ଅପହରଣ ନେଇ ଏତଲା ଦେଇଥିଲେ । ପୋଲିସ ଏତଲା ଆଧାରରେ ତଦନ୍ତ କରି ପ୍ରେମିକ ପୁନାୱାଲକୁ ଗିରଫ କରିଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଶ୍ରଦ୍ଧା, ପୁନାୱାଲାକୁ ବିବାହ ପାଇଁ ବାଧ୍ୟ କରୁଥିଲା । ଯାହାକୁ ନେଇ ଝଗଡ଼ା ପରେ ପୁନାୱାଲା ଏଭଳି ବିଭତ୍ସ ହତ୍ୟା କରିଥିଲା ।

ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ପୁନାୱାଲାକୁ ଗିରଫ କରିଛି । ଜଙ୍ଗଲରୁ ଶ୍ରଦ୍ଧାଙ୍କ ଶରୀରର କିଛି ଟୁକୁଡ଼ା ପୋଲିସ ଜବତ କରିଛି । ହତ୍ୟା ଓ ଶରୀରକୁ ଖଣ୍ଡ ଖଣ୍ଡ କରିବାରେ ଅଭିଯୁକ୍ତ ବ୍ୟବହାର କରିଥିବା ଛୁରିକୁ ପୋଲିସ ପାଇ ନାହିଁ । ଏଭଳି ବର୍ବରଚିତ ହତ୍ୟାକାଣ୍ଡ ଦିଲ୍ଲୀ କାହିଁକି ସାରା ଦେଶକୁ ସ୍ତବ୍ଧ କରି ଦେଇଛି ।

Leave A Reply

Your email address will not be published.