Latest Odisha News

BREAKING NEWS

ନେଦରଲ୍ୟାଣ୍ଡରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଆମଷ୍ଟରଡ଼ମ : ନେଦରଲ୍ୟାଣ୍ଡ ସ୍ଥିତ ଓଡ଼ିଆ ସାମାଜିକ ଓ ସାଂସ୍କୃତିକ ସଂଘ (ଓ ସ କା ନ ) ତରଫରୁ ଚଳିତ ବର୍ଷ ପବିତ୍ର କାର୍ତିକ ପୁର୍ଣିମା ପର୍ବ ଏବଂ ବୋଇତ ବନ୍ଦାଣ ଉତ୍ସବ ଏକ ଅନନ୍ୟ ଶୈଳୀରେ ପାଳନ କରାଯାଇଥିବା ଜଣାଯାଇଛି | ବିଗତ ୪ବର୍ଷ ହେଲା ଏଠାକାର ପ୍ରବାସୀ ଓଡ଼ିଆ ମାନେ ସପରିବାର ସହିତ ଉତ୍କଳୀୟ ରୀତିନୀତିରେ ନଦୀକୂଳରେ ଏକତ୍ରିତ ହୋଇ ପାରମ୍ପାରିକ ଢ଼ଙ୍ଗରେ ବୋଇତ ଭସାଇ ଆସୁଥିବା ବେଳେ କରୋନା କଟକଣା ଯୋଗୁଁ ଚଳିତ ଥର ଏହି ପ୍ରଥାରେ ବ୍ୟତିକ୍ରମ ଘଟିଥିଲା | ତେବେ ଓସକାନ ର ସଦସ୍ୟ ମାନଙ୍କ ମଧ୍ୟରେ ପାର୍ବଣ ନେଇ ଆନନ୍ଦ,ଉଲ୍ଲାସ,ଉତ୍ସାହ ତଥା ଉଦ୍ଦୀପନା ରେ କୌଣସି ପ୍ରକାର ଉଣା ଘଟିଥିବାର ପରିଲ୍ଲଖିତ ହୋଇନଥିଲା | ବରଂ ସଂଘରେ ସାମିଲ ୩୦୦ରୁ ଉର୍ଦ୍ଧ୍ବ ପରିବାର ଏଥର ଦ୍ବିଗୁଣିତ ମନୋବଳ ଏବଂ ଅଦମ୍ୟ ଉତ୍ସୁକତା ର ସହିତ ଓଡ଼ିଶାର ଏହି ମହାନ ନୌବାଣିଜ୍ୟ ଅଧ୍ୟାୟ ଓ ସ୍ବର୍ଣ୍ଣାଭ ଇତିହାସ ର ସ୍ମୃତିଚରଣ କରିବା ସଂଗେସଂଗେ ମଉଛବ ର ଆସର କୁ ମନଭରି ଉପଭୋଗ କରିଥିବା ଦେଖାଯାଇଥଲା |

ଓସକାନ ତରଫରୁ ଏକ ଅଭିନବ ତଥା ନିଆରା ଉପାୟ କ୍ରମେ ଏକ ସୁନ୍ଦର ଓ ଶୁଶୋଭିତ ବୋଇତ ନିର୍ମାଣ କରାଯାଇ ତାହାକୁ ନେଦରଲ୍ୟାଣ୍ଡସର ଆମଷ୍ଟରଡାମ, ଆମଷ୍ଟେଲବୀନ, ଡେନ-ହାଗ, ରୋଟରଡାମ, ଲାଇଡେନ, ଏଇନ୍ଦୋଭେନ, ଉତ୍ରେକତ୍, ହୂଫଦର୍ପ, ଆଲ୍ମେର ପ୍ରଭୁତି ପ୍ରମୁଖ ସହର ଗୁଡିକରେ ପରିକ୍ରମା କରାଯାଇଥିଲା | ଏହିସବୁ ଇଲାକାରେ ବସବାସ କରୁଥିବା ଓଡ଼ିଆ ପରିବାର ମାନେ ହରିବୋଲ, ହୁଳହୁଳି ତଥା ଆ,କା,ମା, ବୈ ଧ୍ୱନି ସହିତ ବୋଇତ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାର ଓ ସେମାନଙ୍କ ଗୃହକୁ ପାଛୋଟି ନେବାର ଦୃଶ୍ୟ ଖୁବ ମର୍ମସ୍ପର୍ଶୀଥିଲା | ବୋଇତରେ ସମସ୍ତ ପ୍ରବାସୀ ଓଡ଼ିଆ ମାନଙ୍କର ହସ୍ତାକ୍ଷର ଓ ବାର୍ତ୍ତା ଲିପିବଦ୍ଧ କରାଯାଇଥିଲା | ଏହାପରେ ଓସକାନର ସ୍ଵେଚ୍ଛାସେବୀ ମାନେ ବୋଇତଟିକୁ ଏଠାକାର ପ୍ରସିଦ୍ଧ ଆମଷ୍ଟ୍ରେଲ ନଦୀରେ ଭସାଇ ଏହାକୁ ମେଲାଣି ଦେଇଥିଲେ | ସେତେବେଳେ ଜଣାଯାଉଥିଲା, ସତେ ଯେପରି ଓଡ଼ିଶାର ସୌର୍ଯ୍ୟ, ବୀର୍ଯ୍ୟ ଏବଂ ଚାତୁର୍ଯ୍ୟ ର ବାହକ ସାଧବ ପୁଅ ମାନଙ୍କର ବାଲି ଦ୍ୱୀପକୁ ଐତିହାସିକ ଯାତ୍ରାର ପୁନଃ ପ୍ରକରଣ ହେଉଛି |

ଏହି ଅବସର ରେ ଅନଲାଇନ ଯୋଗେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ, ଜଗନ୍ନାଥ ଜଣାଣ ଓ ଲୋକପ୍ରିୟ ଭଜନ ପରିବେଷଣ ହେଇଥିଲା | ଇଣ୍ଟରନେଟ ସମାରୋହର ବିଶେଷ ଆକର୍ଷଣ ଓଡିଶା କୁଇଜ ଏବଂ ଶିଶୁମାନଙ୍କ ମଧ୍ୟରେ ଓଡିଶୀ ପରିଧାନ ପ୍ରତିଯୋଗିତା ଥିଲା |

ଓଡିଶାର ଦୁର୍ଲଭ କଳା, ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜୀବିତ ରଖିବା ତଥା ଆଗାମୀ ପିଢୀକୁ ନିଜର ଗର୍ବ,ଗୌରବ ତଥା ଇତିହାସ ସଂପର୍କରେ ଅବଗତ କରାଇବା ଏବଂ ବିଦେଶ ମାଟି ରେ ଓଡ଼ିଆ ମାନଙ୍କୁ ଏକସୂତ୍ରରେ ବାନ୍ଧି ରଖିବାର ମହତ ଉଦ୍ଦେଶ୍ୟ ନେଇ ଓସକାନ ଏହି ମହୋତ୍ସବ ଆୟୋଜନ କରିଥିବା ଏହାର ସଭାପତି ଶାଶ୍ୱତ ପାଢ଼ୀ ପ୍ରକାଶ କରିଛନ୍ତି |

କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଶାଶ୍ୱତ ପାଢ଼ୀଙ୍କର ସୁଦକ୍ଷ ତତ୍ୱବଧାନରେ ସୁଚାରୁ ରୂପେ ସଂପନ୍ନ ହୋଇଥିଲା |ସମିତି ସଦସ୍ୟ ଚିନ୍ମୟ ପାଣିଗ୍ରାହୀ, ପରିତୋଷ ମହାପାତ୍ର, ସୁଶୀଲ ଦାସମହାପାତ୍ର, ଦୀପକ ପରିଡା, ପ୍ରଜ୍ଞାପାରମିତା ଚୋୖଧୁରୀ, ଭି.ଭି ପାତ୍ର ଓ ସୋମନାଥ ଲେଙ୍କା, ଅଂଶୁମାନ ମିଶ୍ର , ଅଙ୍କିତା ମହାପାତ୍ର , ଦେବଦତ୍ତ ଦାସ, ଅଭିଜୀତ ନାୟକ, ଦେବସ୍ମିତା ମିଶ୍ର, ସଂଘମିତ୍ରା ପଣ୍ଡା , ଲୋପାମୁଦ୍ରା ନାୟକ, ନୀଳମାଧଵ ମିଶ୍ର, ଅରବିନ୍ଦ ଘଡ଼ାଇ ଓ ଶୁଭେନ୍ଦୁ ଆଚାର୍ଯ୍ୟ ପ୍ରମୁଖ ଉତ୍ସବ ଆୟୋଜନ ଏବଂ ପରିଚାଳନା ରେ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ |

Leave A Reply

Your email address will not be published.