ପଣତ କାନିରେ ଘର
ଗାଳ୍ପିକା : ଗାୟତ୍ରୀ ସରାଫ
ବ୍ଲାକ ଇଗଲ ବୁକସ
ଉଇସଡମ ଲେନ , ଡବଲିନ
୪୩୦୧୬
ପୃଷ୍ଠା : ୧୬୧
ମୂଲ୍ୟ : ୨୦୦
ଗପଟିଏ ପଢ଼ିଲେ ତା ଭିତରେ ଥିବା ଚରିତ୍ରମାନଙ୍କ ଭିତରେ ବ୍ୟକ୍ତି ନିଜେ ଚରିତ୍ରଟିଏ ହୋଇଯାଏ । ସେଇ ଅନୁସାରେ ନିଜକୁ ହଜେଇଦିଏ । ଗାଳ୍ପିକା ଗାୟତ୍ରୀ ସରାଫଙ୍କ ‘ପଣତ କାନିରେ ଘର’ ଠିକ ସେହିପରି ଜୀବନରେ ଭୋଗୁଥିବା ଅନେକ ସମସ୍ୟା ପୁଣି ତାର ସମାଧାନ ଏବଂ ଶେଷରେ ଏକ ସୁନ୍ଦର ପୃଥିବୀ ବିଷୟରେ ଅବଗତ କରାଏ ।ସମୁଦାୟ ଚଉଦଟି ଗଳ୍ପକୁ ନେଇ ଏଇ ସଙ୍କଳନଟି ପାଠକ ମନରେ ସୃଷ୍ଟି କରିବ ଏକ ଭିନ୍ନ ଆଲୋଡନ ।
ଡେଣା ଥିଲେ ଉଡ଼ିହୁଏ ନା ନିଜ ଦମ୍ଭରେ ଉଡ଼ିହୁଏ ! ଜୀବନର ସହଜ ସମୟରେ ଅନେକ ଘାତ ପ୍ରତିଘାତକୁ ସାମନା କରିଥିବା ନାରୀଟିଏ ଠିକ ବୁଝିପାରେ ଆଉ ଏକ ନାରୀର ସମସ୍ୟା। କେବଳ ବୁଝେ ନାହିଁ , କୋଳେଇ ନିଏ। ତାହା ଆତ୍ମବିଶ୍ୱାସ ହୁଏ । ନୂଆ କିଛିର ସନ୍ଧାନ ପାଇଁ ପ୍ରତ୍ୟୟ ଦିଏ । ନାରୀଟିଏର ଦମ୍ଭ ହିଁ ତାର ଉଡ଼ାଣ । ଜୀବନର ବନ୍ଧୁର ପଥରେ ଆମେ ସବୁବେଳେ ଏମିତି ଏକ ନୀଡ଼ର ସନ୍ଧାନରେ ଥାଉ ଯାହା ଆମକୁ ଟିକେ ଶାନ୍ତି ଦେଇଥାଏ । ତାହା ବିଳାସିତ ହେବା ଆବଶ୍ୟକ ନୁହେଁ ; ଆବଶ୍ୟକ ଟିକିଏ ଶାନ୍ତି । ହସନୀଡ଼ର ସନ୍ଧାନ ଠିକ ସେହିପରି ଏକ ଭିନ୍ନ କାହାଣୀ । ବିଦେଶ ମାଟିରୁ ଉଡି ଆସିଥିବା ଗୋଟିଏ ପକ୍ଷୀ ପାଇଯାଇଛି ଏକ ହସନୀଡ଼ର ସନ୍ଧାନ । ତାହା ଫେରେଇ ନେଇଛି ତାକୁ ଅତୀତକୁ କିନ୍ତୁ ବର୍ତ୍ତମାନରେ ଆଉ ଜାବୁଡ଼ି ଧରିପାରୁ ନାହିଁ । କେବଳ ସାମୟିକ ଆଶ୍ୱାସନା ନେଇ ସେ ପୁଣି ଫେରିଯାଉଛି ତାର ଚିରାଚରିତ ପୃଥିବୀକୁ । ଆକାଶ ନିର୍ମଳ ହେଲେ ସୁନ୍ଦର ନା ମେଘମାଳାରେ ଭର୍ତ୍ତି ହେଲେ ? ନିଜକୁ ପକ୍କା ଗୃହିଣୀ ଭାବରେ ସଜେଇ ନିଜ ଅସ୍ତିତ୍ଵକୁ ପରିବାର ଭିତରେ ଖୋଜୁଥିବା ମନ ଓ ହୃଦୟଟି ଯେତେବେଳେ ନିଜ ଲୋକ ପାଖରେ ଦଂଶିତ ହୁଏ , ସେତେବେଳେ ନିଜ ପାଇଁ ହିଁ ବାଛି ନିଏ ଏକ ଭିନ୍ନ ଇଲାକା ! ପ୍ରତିବାଦ ନୁହେଁ ପ୍ରତ୍ୟୟର ସ୍ୱରରେ ନିଜକୁ ଶକ୍ତ କରେ । ନିର୍ମଳ ହେଉ କି ଭେଳା ଭେଳା ମେଘଖଣ୍ଡ ନିଜେ ହିଁ ମେଘବର୍ଣା ପାଲଟି ଯାଏ । ମଣିଷ ଥରେ ଜନ୍ମ ନିଏ । ଜୀବନ ଜୀଏଁ ! କିନ୍ତୁ ବେଳେ ବେଳେ ସେଇ ଗୋଟିଏ ଜୀବନ ଭିତରେ ବି ତାକୁ ନେବାକୁ ପଡ଼ିପାରେ ଅନେକ ନବଜନ୍ମ । ନବଜନ୍ମ ପରେ ଜୀବନର ଅନ୍ୟ ଏକ ଦିଗ ଉନ୍ମୁକ୍ତ ହୋଇଯାଏ । ସ୍ନେହ ସରସର କିଛି ସମ୍ପର୍କ ଆପେ ଆପେ ଯୋଡ଼ି ହୋଇଯାଏ । ତା’ ପାଇଁ ଦରକାର ହୁଏ ବିଶ୍ୱାସ ଟିକେ । ଆପଣେଇ ପାରିବାର ମୋହ ଟିକେ । ବୟସର ଅପରାହ୍ନରେ କଣ ନେଇ ହୁଏ ନିଷ୍ପତ୍ତି ! ନେଇହୁଏ , ଯଦି ରକ୍ତାକ୍ତ ହୋଇଯାଏ ନିଜ ତିଆରି ସଂସାର । ଜୀବନ କାଳ ଭିତରେ ଏମିତି ଅନେକ ସମୟ ଆସେ ଯେତେବେଳେ ନିଜକୁ ପରିବର୍ତ୍ତନ କରିବାକୁ ହୁଏ । ଦୁଇଟି ପୀଢ଼ିର ବ୍ୟବଧାନ ଯଦି ଅଣନିଃଶ୍ୱାସୀ କରିଦିଏ ତେବେ ସମୟ ସହିତ ଗଡ଼ିଯାଇ ନିଜ ପାଇଁ ତୋଳିବାକୁ ହେବ ବିଶ୍ୱାସର ଟିକିଟିକି ତାରାଫୁଲ । ମନରେ ବିଶ୍ୱାସ ଦୃଢ଼ ହେଲେ ହୃଦୟରେ ପ୍ରେମ ଘର କରିନିଏ । ଜାତି, ଧର୍ମ, ବର୍ଣ୍ଣ, ଦେଶର ଏସବୁ ବାଧା ବିଘ୍ନ ପାର କରି ଫୁଟେଇ ଦିଏ ଅନେକ ପ୍ରେମର ଶତଦଳ । ଜୀବନ ଯାତ୍ରା ସହିତ ଯୋଡ଼ି ହୋଇଯାଏ ଅନେକ ଫର୍ଦ୍ଦ । ଜୀବନ୍ତ ହୋଇ ଉଠନ୍ତି ନିର୍ଜୀବ ବସ୍ତୁମାନେ । କିନ୍ତୁ ପ୍ରକୃତିର ନିର୍ଦ୍ଦେଶ ଆଗରେ ଫିକା ପଡ଼ିଯାଏ ସବୁ କିଛି । ନିୟତିର ନିଷ୍ଠୁର ଇଙ୍ଗିତରେ ଘୁଞ୍ଚିଯାଏ ଦିଗରୁ ଦିଗନ୍ତ ଯାଏଁ । ରକ୍ତ ପାଣି ହୋଇଗଲେ , ମା ପଣତର ଦୈର୍ଘ୍ୟ ପ୍ରସ୍ଥ ଆଉ ଘୋଡ଼େଇ ପାରେନି ପିଲାମାନଙ୍କର ଅସ୍ତିତ୍ବକୁ । ପର ଆପଣାର ହୋଇଯାଏ କିନ୍ତୁ ସେ ଆପଣାପଣ ଭିତରେ ସବୁବେଳେ ନଥାଏ ନିର୍ମଳତାର ମହକ । ପଣତକାନିର ଘର ଭିତରକୁ ଆପେ ଆପେ ପଶିଆସେ ଦୀର୍ଘଶ୍ୱାସର ବାତ୍ୟା । ଉଜାଡ଼ିଦିଏ ବିଶ୍ୱାସ । ଦୋହଲାଇ ଦିଏ ଅବସ୍ଥିତି, ପୁଣି ପୁନରାବୃତ୍ତି । ଶ୍ରାବଣ କେବଳ ବର୍ଷା ଋତୁର ନୁହେଁ ; ଆଖି କୋଣରେ ଉଠୁଥିବା ମୁଷଳଧାର ବି ଝରିଝରି ଶ୍ରାବଣର ରୂପ ନିଏ । ସବୁ ଶ୍ରାବଣ ଧାନକ୍ଷେତକୁ ଲହରାନ୍ତି ନାହିଁ । ବେଳେବେଳେ ନଈ ବଢ଼ି ସୃଷ୍ଟି କରି ଧୋଇଦିଅନ୍ତି ଭାତହାଣ୍ଡିକୁ । ଶ୍ରାବଣ ମୁହଁରେ ବି ତାତି ଥାଏ । ଗ୍ରୀଷ୍ମ ଋତୁର ମଧ୍ୟାହ୍ନ ତାତି ପରି ଶୋଷିନିଏ ସବୁ ସୁଖର ଆଦ୍ରତା । ପ୍ରତିବଦଳରେ ଅଜାଡ଼ି ଦିଏ ଅବଶୋଷର ଚିହ୍ନ । ସତ୍ୟର ସ୍ୱର ଖୁବ ତୀକ୍ଷ୍ଣ । ସତ୍ୟକୁ କେହି ବଦଳେଇ ପାରନ୍ତି ନାହିଁ ! ଏତେ ସବୁ ବିଚାର ପରେ ବି ସତ୍ୟ ବେଳେବେଳେ ଅସହାୟ ହୋଇପଡ଼େ ! ଦାରିଦ୍ର୍ୟତା ଆଗରେ , ସମାଜର ଡର ଆଗରେ ସତ୍ୟକୁ ଅଣଦେଖା କରିପାରିବା ହିଁ ବେଳେବେଳେ ସମୟର ଆହ୍ୱାନ ହୋଇଥାଏ । ଏଥିପାଇଁ କାହାକୁ ଦାୟୀ କରାଯାଇପାରେ ? ଏକ ସରଳ ମନ ଭିତରେ ବି ଉଙ୍କିମାରେ ଅନେକ ପ୍ରଶ୍ନ । କିଛି ପାଇବାର ନଥାଏ କି ହରେଇବାର ନଥାଏ । ତଥାପି ଏକ ତଲ୍ଲୀନପଣରେ ଆବୋରି ହୋଇଥାଏ ସେ ମନର ସମଗ୍ର ଏକାଗ୍ରତା । ନୀରିହତାର ଅସୀମ କ୍ଷେତ୍ର ଭିତରେ ତା ଦୁଇଟି ନିର୍ମଳ ଆଖି ଦୁନିଆକୁ ଚୁପଚାପ ଜଣେଇ ଚାଲିଥାଏ, ସରଳ ହୃଦୟର ଅସ୍ପଷ୍ଟ ସଂଳାପ ।
ନୀତିଦିନିଆ ଜୀବନଚର୍ଯ୍ୟା ଭିତରେ ଏକ ଯନ୍ତ୍ରଟିଏ ଶରୀରର ଅଙ୍ଗ ପରି ହୋଇଯାଏ । ତା ମାଧ୍ୟମରେ ହେଉଥିବା ବାକ୍ୟ ବିନିମୟ ଭିତରେ ବାନ୍ଧି ରଖେ ଅନେକ ସମ୍ପର୍କକୁ । କ୍ଷଣଟିଏ ନହେଲେ ଯେମିତି ଓଲଟପାଲଟ ହୋଇଯାଏ ବିଶ୍ୱାସର ପୃଥିବୀ ! ଏଥିରୁ ଜଣାପଡ଼େ ଆମେ କେତେ ନିର୍ଭରଶୀଳ ସେ ଯନ୍ତ୍ର ଉପରେ । ଯାହାକୁ ମଣିଷ ତିଆରି କରେ ତା ଉପରେ ନିଜର ଅସ୍ତିତ୍ବ ସମର୍ପିତ କରିଦିଏ ! ବିଡ଼ମ୍ବନା ନୁହେଁ ତ ଆଉ କ’ଣ ? ବରଫ ଖଣ୍ଡେ ତରଳି ଗଲେ ବିଛେଇ ହୋଇଯାଏ ତାର ମୂଳ ରୂପ । ସେ ରୂପର ଆକଳନ ସମୟର ସ୍ୱର ଉପରେ ନିର୍ଭର କରେ । କେବେ ତୃଷା ମେଣ୍ଟେଇ ଦିଏ ତ କେବେ ବନ୍ୟା ପ୍ଲାବିତ କରେ । ଦୁଇଟି ପୀଢ଼ିର ସ୍ନେହ ସମ୍ମାନରେ ଯଦି ତରଳିଯାଏ ଅଭିମାନର ବରଫ, ତେବେ ତାହା ବୈକୁଣ୍ଠ ଆଡ଼କୁ ବାଟ କଢ଼େଇନିଏ ଜୀବନର ଗତିପଥ ଯାହା ହେଉ ସବୁବେଳେ ନିଜକୁ ହିଁ ତିଆରିବାକୁ ପଡ଼େ ଏକ ନୂଆ ଠିକଣା । ସେ ଠିକଣା ଯାଏଁ ପହଞ୍ଚିବାକୁ କେତେ ଯେ ବନ୍ଧୁର ପଥ ଅତିକ୍ରମ କରିବାକୁ ହୁଏ ତାର ହିସାବ ନଥାଏ । ମନକୁ ବୁଝେଇ ପାରିଲେ ସବୁ ସୁନ୍ଦର, ସବୁଥିରେ କୋଳାହଳ । ନେହେଲେ ବିଷମୟ ନିର୍ଜନତାର ହାହାକାର । ସବୁ ରାତି ପରେ ସକାଳ ଆସେ ଠିକ ସେପରି ଅନେକ ଝଡ଼ ଝଞ୍ଜା ପରେ ଖୋଜି ହୋଇଯାଏ ନିଜସ୍ୱ ନୂଆ ଠିକଣାଟିଏ । ପରିବାରର ପ୍ରକୃତ ମୂଲ୍ୟବୋଧ ତ୍ୟାଗ ଓ ସମର୍ପଣରେ ଥାଏ । ସନ୍ତାନର ସୁଖ ପାଇଁ ସବୁ କିଛି ତ୍ୟାଗ କରିଥିବା ବାପା ମା ଯେତେବେଳେ ନିଜ ସ୍ୱାଧୀନତା ତ୍ୟାଗ କରିବା ପାଇଁ ବାଧ୍ୟ ହୁଅନ୍ତି ; ସେତେବେଳେ ତାଙ୍କ ଆଜୀବନ ସଂଘର୍ଷର କାହାଣୀ ମୂଲ୍ୟହୀନ ହୋଇପଡ଼େ । ସଂସ୍କାରର ଶିକ୍ଷା ଦେଇହୁଏ ନାହିଁ ତାହା ଆପେ ହୃଦୟଙ୍ଗମ କରିବାକୁ ହୁଏ । ସନ୍ତାନ ଆଖିରେ ନିଜ ବିଭାଜନର ଅନ୍ଧାର ଦେଖିବା ପୂର୍ବରୁ ବାପା ମା’ମାନଙ୍କୁ ନିଜ ନିଜ ସୂର୍ଯ୍ୟ ଭିତରେ ଔଜ୍ୱଲ୍ୟତାକୁ ପ୍ରଖର କରିବାକୁ ହୁଏ ।
ବାସ୍ତବରେ ଗଳ୍ପ ସଙ୍କଳନଟି ବିପୁଳ ପାଠକୀୟ ଆଦୃତି ସହିତ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ଏଥିରେ କୌଣସି ସନ୍ଦେହ ନାହିଁ ।
Comments are closed.