Latest Odisha News

BREAKING NEWS

ପୁସ୍ତକ ପରିଚୟ : ତୂଳି

ତୂଳି
କବି : ପ୍ରଦୀପ କୁମାର ପଣ୍ଡା
ପ୍ରକାଶକ : ଟାଇମପାସ
୯୫୦ (ପି) ଗ୍ରୀନ ଭିଲ୍ଲା
ବରମୁଣ୍ଡା , ଭୁବନେଶ୍ୱର
ପୃଷ୍ଠା : ୧୦୪
ମୂଲ୍ୟ : ୧୧୫

କବିର ସତ୍ତା ପ୍ରେମ ଓ ପ୍ରେମରୁ ସଂଜାତ ପ୍ରତିପ୍ରେମର ସୃଜନ କବିତା, କବିତାରୁ ଚିତ୍ର , ଚିତ୍ର ପାଇଁ ତୂଳି ଓ ସେ ତୂଳିର ରଙ୍ଗରେ ଅନେକ ସୃଷ୍ଟି । ଏକାବନଟି କବିତାକୁ ନେଇ କବି ପ୍ରଦୀପ କୁମାର ପଣ୍ଡାଙ୍କର କବିତା ସଙ୍କଳନ ” ତୂଳି “ଏକ ଅନୁପମ ସୃଷ୍ଟି ।

ନିର୍ଜନ ରାତିରେ , ଜହ୍ନର ଅନୁପସ୍ଥିତିରେ ତୂଳିଟିଏ ଧରି ପୃଥିବୀକୁ ଏକ ଚିତ୍ର ମାଧ୍ୟମରେ ଆବଦ୍ଧ କରିବାର ପ୍ରତିବିମ୍ବିତ ଛାଇରେ ଝରିପଡ଼େ ଅନେକ ଅକୁହା ଶବ୍ଦ ।  କବି ପ୍ରାଣ ପୁଲକିତ ହୁଏ ।  ଚିତ୍ରର କଳ୍ପନାରୁ ଉତୁରି ଆସେ ଭାବ, ଛନ୍ଦ ଓ ଆବେଗ ।  ନିଜ ରୂପରାଗରେ ଅଙ୍କିତ କରିନିଏ କେତେ ଶବ୍ଦମାଳର ଉପତ୍ୟକା ।  ଛାତି ଭିତରୁ ଉତୁରି ଆସେ ରକ୍ତ ରଙ୍ଗର ଜୀବନ୍ତ କବିତା । କବିଙ୍କ ଭାଷାରେ :

ଚିତ୍ରଟିଏ ଆଙ୍କିଲି ହୃଦୟର କଳରବରେ
ପାପୁଲିରେ ମୋର ଗାଢ଼ ନାଲିରକ୍ତ
ରକ୍ତର ଗନ୍ଧ ମତେ ଶୋଷି କରାଏ
ଚିତ୍ରଟି ମୋର ଉଚ୍ଚାରଣ
ଦୁଲଦାଲ ଧସି ପଡ଼ିବା
ଏକ ଅଚିହ୍ନା ପ୍ରାଚୀନ ଗଛ ଅରଣ୍ୟର
ଛାତି ଭିତରେ ମୋ ଘନ ଅନ୍ଧକାର

କୁନି କୁନି ତାରା ପରି ଶୂନ୍ୟରୁ ସାଉଁଟି ନେଇ କିଛି ଅନ୍ୟମନସ୍କତା, କବି ସଜେଇଛନ୍ତି ତାଙ୍କ କାନଭାସ ।  କେଉଁ ଦୂରରୁ ଉଡ଼ି ଆସିଥିବା ପକ୍ଷୀଟିଏ ଡାଳରେ ବସିଥିବାର ଦୃଶ୍ୟରେ ସ୍ପନ୍ଦିତ ହୋଇଛି କବି ପ୍ରାଣ । ଉଛୁଳି ଯାଇଛି ଫେଣ୍ଟାଫେଣ୍ଟି ରଙ୍ଗର ପାତ୍ର ।  ଦଲକାଏ ପବନ ସହ ଚେନାଏ ମେଘ ଟିପି ଟିପି ବର୍ଷାରେ ଉବୁକେଇ ଆଣୁଛି ଶବ୍ଦର ସମୁଦ୍ର । ବଦଳେଇ ଦେଉଛି ସୂର୍ଯ୍ୟର ରଙ୍ଗ । ବିଛେଇ ଦେଉଛି ମନୋରମ ଆଲୋକ । ବନ୍ଦ ଆଖିରେ ବି ଦେଖାଯାଉଛି ଏକ ଦିପ୍ତିମନ୍ତ ଆଭା। ମନୋଜ୍ଞ ଜୀବନ୍ମତାରେ ବିଭୋର ହେଉଛି ଆତ୍ମା । ନିଖୁଣ ବର୍ଣ୍ଣନାର ବ୍ରହ୍ମନାଦରେ ଉଶ୍ୱାସ ହେଉଛି ତୂଳିର ତନ୍ମୟତା । ସେଇ ଆବେଗରେ ଆଙ୍କିହେବାକୁ ବେଳେ ବେଳେ ଛିଟିକି ଆସୁଛି କିଛି ଦ୍ରୋହ ।  ଜଘନ୍ୟ ରୂପରେ କାୟା ବିସ୍ତାର କରୁଛି କବିଙ୍କ କବିତ୍ଵ ।

ଦ୍ରୋହର ରଙ୍ଗରେ ଆଙ୍କିଲା ବେଳେ ଛବି
ଆଦୌ ମିଶାଏ ନାହିଁ ରକ୍ତ
କାଳେ ଦିଶିବ ତୁମେ ଜଘନ୍ୟ ବୋଲି

କବିଙ୍କ ତୂଳି ଚିତ୍ର ଆଙ୍କେନାହିଁ ; କବିତା ଲେଖେ ।  ରଙ୍ଗ ସବୁ ମିଶି କାଳର ତୂଳିରେ ଶବ୍ଦ ହୋଇ ବଖାଣି ହୁଅନ୍ତି ନିଜ ନିଜ ଇଲାକାର କାହାଣୀ ସ୍ବପ୍ନ ଭିତରୁ ସାଉଁଟି ଆଣନ୍ତି ବାସ୍ତବତା , କୋଳାହଳରୁ ନିର୍ଜନତା, କର୍କଶରୁ ମଧୁରତା ।

କବି ପ୍ରଦୀପ କୁମାର ପଣ୍ଡାଙ୍କର କବିତା ସଙ୍କଳନ ‘ତୂଳି ‘ ପାଠକଙ୍କ ମନରେ କବିତାର ଭାବ ଭିତରେ ସମ୍ମୋହନର ରଙ୍ଗ ଭରିଦେବ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.