Latest Odisha News

ପୁସ୍ତକ ପରିଚୟ : ଅବୋଲକରା

ଅବୋଲକରା
ଗାଳ୍ପିକ : ରାଜ କିଶୋର ଦାସ
ପ୍ରକାଶକ : ଏଥେନା ବୁକସ
ଭୁବନେଶ୍ୱର -୨
ପୃଷ୍ଠା : ୧୩୬
ମୂଲ୍ୟ : ୧୦୦

ଗପଟେ ଲେଖିଲା ବେଳେ ଗାଳ୍ପିକ ଏକ ଚରିତ୍ରକୁ ଆଧାର କରି ଘଟଣା ପ୍ରବାହ ସହ କାହାଣୀକୁ ଗତିଶୀଳ କରନ୍ତି । କିନ୍ତୁ ପୁରା ଗଳ୍ପ ସଙ୍କଳନ ଯେତେବେଳେ କେବଳ ଗୋଟିଏ ଚରିତ୍ର ସହ ବିଭିନ୍ନ କାହାଣୀକୁ ନେଇ ହୁଏ , ସେତେବେଳେ ଗାଳ୍ପିକଙ୍କ ଗଳ୍ପକଳାର ଗୂଢତତ୍ତ୍ୱ ନିଶ୍ଚିତ ଭାବରେ ପ୍ରଶଂସନୀୟ।

‘ଅବୋଲକରା’ ଚରିତ୍ରକୁ ନେଇ ରଚିତଅବୋଲକରା ଚରିତ୍ରକୁ ନେଇ ରଚିତ ସମୁଦାୟ ଏଗାରଟି ଗପର ସମାହାରରେ ସମୃଦ୍ଧ ଗଳ୍ପ ସଙ୍କଳନ ‘ଅବୋଲକରା’ ଗାଳ୍ପିକ ରାଜ କିଶୋର ଦାସଙ୍କର ଏକ ଅନୁପମ ସୃଷ୍ଟି।

ସଙ୍କଲନର ପ୍ରଥମ ଗପ ‘ରାଜା ଝିଅ’ ରେ ଗାଳ୍ପିକ ଅବୋଲକରା ଏବଂ ରାଜାଝିଅର ଏକ ନିଆରା ସମ୍ପର୍କର କଥା କହିଛନ୍ତି। ଅବୋଲକରାର ମତରେ ରାଜାଝିଅର କେବଳ ସୁଖଥାଏ । ରାଜାଝିଅ ସହିତ ମିଶିଲା ପରେ ସେ ଜାଣିପାରିଛି ଯେ ରାଜାଝିଅର ବି ଦୁଃଖ ଥାଏ। ନିଃସଙ୍ଗତା ହିଁ ମଣିଷ ଜୀବନର ବଡ଼ ଦୁଃଖ। ମଣିଷ ଯେତେବେଳେ ଏକୁଟିଆ ହୋଇଯାଏ, ସେତେବେଳେ ରାଜା କି ପ୍ରଜାର ବିଚାରବୋଧରୁ ଉର୍ଦ୍ଦ୍ଵରେ ଏକ ସାଧାରଣ ମଣିଷ ହୋଇଯାଏ। ଗଳ୍ପ ସଙ୍କଳନ ଦ୍ଵିତୀୟ ଗପ ‘ରୁନା ମାଡ଼ାମ’ରେ ଜଣେ ଛାତ୍ର ଓ ଅଧ୍ୟାପିକାର ସମ୍ପର୍କର ଏକ ଭିନ୍ନ ଦୃଷ୍ଟିକୋଣକୁ ଉପସ୍ଥାପନ କରିଛନ୍ତି। ନିଜର ଶକ୍ତି , ସାମର୍ଥ୍ୟ ବା ପ୍ରତିପତ୍ତି ଯାହା ହେଇଥାଉନା କାହିଁକି, ଏକ ଭଲ ମଣିଷର ସହଚର୍ଯ୍ୟ ଆଗରେ ସେସବୁ ଫିକା ପଡ଼ିଯାଏ।

‘ଦାନ୍ତ ଡାକ୍ତରାଣୀ’ ଗପରେ ଅବୋଲକରା ଓ ଡାକ୍ତରାଣୀ କଥା କହିଛନ୍ତି। ଜଣେ ଡାକ୍ତରାଣୀ ଅବୋଲକରା ପରି ଏକ ସାଧାରଣ ଛାତ୍ର ସହ ସହଜ ହୋଇପାରେ ଏହା ଅବୋଲକରାକୁ ବହୁତ ଆଶ୍ଚର୍ଯ୍ୟ କରିଛି। ସେହିପରି ଛଅଟି ଚୁମ୍ବନ, ମାଟି କଣ୍ଢେଇ, କୁନିନାନୀ ପ୍ରଭୃତି ଗପରେ ଅବୋଲକରା ଭିନ୍ନ ଭିନ୍ନ ନାରୀ ଚରିତ୍ର ସହ ତାର ସମ୍ପର୍କକୁ ନେଇ କାହାଣୀର ଗତିଶୀଳତାକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଉପସ୍ଥାପନ କରିଛନ୍ତି।ପ୍ରକୃତରେ ଅବୋଲକରା ଏମିତି ଏକ ପୁରୁଷ ଚରିତ୍ର ଯିଏ ତା ଜୀବନରେ ଆସିଥିବା ନାରୀ ଚରିତ୍ରର ସୁଖ , ଦୁଃଖ , ଯନ୍ତ୍ରଣା ଓ ବିଷାଦ ସହ ନିଜକୁ ଏକାକାର କରି ନେଉଛି। ଜୀବନର ଚରମ ସତ୍ୟ ଉପରେ ଆଧାରିତ ଘଟଣାବଳୀ ସହ ନିଜେ ମୁକ ପାଳଟିଯାଉଛି। ଗାଳ୍ପିକଙ୍କ ମତରେ ଯୁଗେ ଯୁଗେ ଅବୋଲକରା ମାନେ ହିଁ ସେମିତି । ଦୁନିଆ ଯେତେ ବଦଳିଗଲେ ବି ସେମାନଙ୍କ ସ୍ଵଭାବ କି ଗୁଣ କେବେ ବଦଳିପାରେ ନାହିଁ। ସେମାନେ ସବୁବେଳେ ନିରୀହ ନିର୍ଲିପ୍ତ ଓ ନିର୍ବିକାର ହୋଇ ପ୍ରେମଟିକେ ଖାଲି ବାଣ୍ଟୁଥାନ୍ତି।

,ଅବୋଲକରା’ ଗଳ୍ପ ସଙ୍କଳନର ପ୍ରତିଟି ଗପ ଗାଳ୍ପିକଙ୍କ ସହଜ ଓ ସରଳ ଶବ୍ଦରେ ହୃଦୟ ତରଳାଇ ଦେବାର କ୍ଷମତା ରଖେ।

Leave A Reply

Your email address will not be published.