Latest Odisha News

ପୁସ୍ତକ ପରିଚୟ : ଇଉ ଡି କେସ ଓ ଅନ୍ୟାନ୍ୟ ଗଳ୍ପ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା

U.D. CASE ଓ ଅନ୍ୟାନ୍ୟ ଗଳ୍ପ
ଗାଳ୍ପିକ : ବିଜୟ ପ୍ରଧାନ
ପୃଷ୍ଠା ‐ ୧୬୮, ମୂଲ୍ୟ ‐ ଟ୧୩୦/- ମାତ୍ର !
ପ୍ରକାଶକ ‐ ଡୁଡୁଲି ପ୍ରୋସେସ୍ ଆଣ୍ଡ ଅଫସେଟ୍
ବିତରକ ‐ ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ବର

ଆଧୁନିକ ଓଡ଼ିଆ କଥାସାହିତ୍ୟର ଜଣେ ବର୍ଣ୍ଣିଳ ବ୍ୟକ୍ତିତ୍ବ ହେଲେ କଥାକାର ବିଜୟ ପ୍ରଧାନ । ‘ଏକେଣା ଘର’ ଭଳି ଚର୍ଚ୍ଚିତ ଗଳ୍ପ ସଂକଳନ ସ୍ରଷ୍ଟା ଏହି ଗାଳ୍ପିକ ନିଜ ଗଳ୍ପରେ ପ୍ରେମ, ବିରହ ଓ ପ୍ରେମଜନିତ ନିଃସଙ୍ଗତାକୁ ନେଇ ଯେଉଁ ବିରଳ ଇନ୍ଦ୍ରଧନୁ ନିର୍ମାଣ କରିଛନ୍ତି, ତାହା ପାଠକକୁ ବିଭୋର କରେ । ଚମତ୍କାର ଚିତ୍ରକଳ୍ପ, ଘଟଣା ଓ ଚରିତ୍ରର ଆବେଗମୟ ବିଶ୍ଳେଷଣ, କଳ୍ପନା ସହିତ ବାସ୍ତବତାର ଫ୍ୟୁଜନ କରିବାରେ ସେ ହାସଲ କରିଛନ୍ତି ଅପୂର୍ବ କଳାକୁଶଳତା । ସ୍ଥାନୀୟ ଲୋକଭାଷାକୁ ସାର୍ବଜନୀନ ଗଳ୍ପ ଭାଷାରେ ରୂପାନ୍ତରଣରେ ତାଙ୍କର ଅଦ୍ଭୁତ ଦକ୍ଷତା । “ୟୁ.ଡି. କେସ୍ ଓ ଅନ୍ୟାନ୍ୟ ଗଳ୍ପ” ତାଙ୍କର ଅନ୍ୟତମ ବହୁ ପଠିତ ଗଳ୍ପ ସଂକଳନ । ୧୦ଟି ବିବିଧ ଚିନ୍ତାଧାରା ସଂପନ୍ନ ଏଇ ଦୀର୍ଘ ଗଳ୍ପ ସଂକଳନଟି ଓଡିଆ ଗଳ୍ପ ସାହିତ୍ୟରେ ଏକ ସୁନ୍ଦର ସଂଯୋଜନ ।

ସଂକଳନର ଶୀର୍ଷକ ଗଳ୍ପ ‘ୟୁ.ଡି. କେସ୍’ ବର୍ତ୍ତମାନ ସମୟର ଏକ ପ୍ରତିନିଧିସ୍ଥାନୀୟ ଗଳ୍ପ ଯାହାର ରହିଛି ଏକ ସର୍ବକାଳୀନ ଆବେଦନ । ୟୁଡି କେସ୍(Un-Natural Death) ବା ଅପ୍ରାକୃତିକ ମୃତ୍ୟୁଜନିତ ଏକ ଘଟଣାକୁ କେନ୍ଦ୍ର କରି କାହାଣୀର କଥାବସ୍ତୁ ଗତିଶୀଳ । ପୋଲିସ କନେଷ୍ଟବଳ ଅନିରୁଦ୍ଧ ମିଶ୍ର ଉପରିସ୍ଥ ଅଫିସରଠୁଁ ନିର୍ଦ୍ଦେଶ ପାଇ ଗୋଟିଏ ଅଝାଡ ଜଙ୍ଗଲ ଭିତରେ ଆତ୍ମହତ୍ୟାଜନିତ ମୃତ ଶରୀରକୁ ଜଗିବାକୁ ଯାଇ ପହଞ୍ଚେ । ଏକୁଟିଆ, ନିର୍ଜନ ପରିବେଶ, ଶୀତଦିନ, ଡାହାଣିଆ ଖରା ପୁଣି ସାମ୍ନାରେ ଆମ୍ବ ଗଛ ଡାଳରେ ଝୁଲୁଥିବା ଅଳ୍ପ ବୟସୀ ସୁନ୍ଦରୀ ନାରୀର ବିଭତ୍ସ ମୃତ ଶରୀର । ପୁଣି ବନ ଭିତରେ ପ୍ରକୃତିର ତାଣ୍ଡବ ସୃଷ୍ଟି କରିଛି ଭୟାନକ ଭୌତିକ ପରିବେଶ । ସେଇ ରାତିକର ଘଟଣା ହିଁ ଗଳ୍ପର ବିଷୟବସ୍ତୁ । ତା’ରି ଭିତରେ ହିଁ ଗାଳ୍ପିକ ମଣିଷ ମନର ମାନସିକ ସ୍ଥିତି, ଜୀବନର ଅସାରତା, ଭୟ, ଘୃଣା, ସାହସ, ପାରସ୍ପରିକ ସହଯୋଗ ଭଳି ଅନେକ ମାନବୀୟ ଓ ଅମାନବୀୟ ଗୁଣର ବିଶ୍ଳେଷଣ କରିଛନ୍ତି । କର୍ତ୍ତବ୍ୟର ଦ୍ବାହି ଦେଇ ଅନିରୁଦ୍ଧ ସିନା ଘଟଣା ସ୍ଥଳରେ ଉପସ୍ଥିତ ହେଲେ ସେଠାକାର ପାରିପାର୍ଶ୍ବିକ ଅବସ୍ଥା ତା ମନରେ ସୃଷ୍ଟି କରିଛି ଭାବାନ୍ତର । ପ୍ରଥମେ ଶବ ଖୋଜି ଯାହା ଅନୁଧ୍ୟାନ କରିଛି ସେତକ ହେଲା ଗୋଟିଏ ସୁନ୍ଦରୀ ବିବାହିତା ନାରୀ ଆମ୍ବ ଗଛରେ ଦଉଡି ଲଗେଇ ଆତ୍ମହତ୍ୟା କରିଛି । ଶବଟି ପାଖାପାଖି ୪/୫ଦିନର ହୋଇଗଲାଣି । ପଚିଯାଇ ଦୁର୍ଗନ୍ଧ ହେଲାଣି । ବେକ ଗୋଟେ ପଟକୁ ଢଳିଯାଇଛି । ମାତ୍ର ଆଣ୍ଠୁ ମାଟିରେ ଲାଗିଛି । ପରିଧାନ ପାଟ ଶାଢୀ ଓ ବ୍ଲାଉଜ । ମାତ୍ର ଦେହରେ ଅନ୍ତର୍ବସ୍ତ୍ର ନାହିଁ । ତେଣୁ ଅନିରୁଦ୍ଧ ମତରେ ଏହା ଆତ୍ମହତ୍ୟା କମ୍ ହତ୍ୟା ବା ମର୍ଡର ଅଧିକ । ତେବେ ତା’ କାମ ହେଲା ଜଗିବା । ଅନୁସନ୍ଧାନ ଦାୟିତ୍ବ ଉପରିସ୍ଥ ଅଫିସରଙ୍କର । ଜଗିବା କାମଟି ବି କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ ! ଏକେ ତ ଜଙ୍ଗଲ ପୁଣି ନିର୍ଜନ ରାତି । ଶୀତୁଆ ଆକାଶ ମାଡିମାଡି ପଡୁଛି ତ ବଡବଡ ଗଛମାନ ରାକ୍ଷସ ଭଳି ଦୃଶ୍ୟମାନ । ପୁଣି ଶବଲୋଭୀ ବିଲୁଆ, ଗଧିଆ, ବାଘ ଭଳି ପ୍ରାଣୀ ମାନଙ୍କର ଦୌରାତ୍ମ୍ୟ । ସେ ରାତିଟି କାଟିବା ପାଇଁ ଲୋଡା କିଛି ଆଲୁଅ, ଉତ୍ତାପ, ଖାଦ୍ୟ ଓ ଅମାପ ସାହସ ଯାହା ଅନିରୁଦ୍ଧ ପାଖରେ ଥିଲା । ମାତ୍ର ସେ ଥିଲା ଏକୁଟିଆ । ଏଭଳି ଏକ ଭୌତିକ ପରିସ୍ଥିତିରେ ନିଜ କର୍ତ୍ତବ୍ୟକୁ ସମ୍ପାଦନ କରିବାକୁ ଯାଇ ଅନିରୁଦ୍ଧର ମନଃସ୍ଥିତିକୁ ଗାଳ୍ପିକ ଖୁବ୍ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି । ତେବେ ପରିବେଶ ଆହୁରା ଭୟାନକ ହୁଏ ଯେବେ ପ୍ରବଳ ବର୍ଷା ହୁଏ । ଏକକାଳୀନ ଅନେକ ବିପଦକୁ ଏକତ୍ର ସାମ୍ନା କରିଛି । ଅବଶ୍ୟ ଟିକେ ପରେ ଯୋଗ ଦେଇଛି ଗାଁ ଚଉକିଆ ରତନା ଗଂଡା । କାନ୍ଧରେ ଧନୁ ତୀର, ଅଣ୍ଟାରେ ଦେଶୀ ମଦ ଓ ଛାତିରେ ଛାତିଏ ସାହସ । ଅନିରୁଦ୍ଧ ଓ ରତନା ଦୁଇଟି ଭିନ୍ନ ଚରିତ୍ର ମାତ୍ର ସାମଞ୍ଜସ୍ୟ ଏଇଆ ଯେ ସେମାନେ ମଣିଷ । ପରିସ୍ଥିତିରେ ଦୁହେଁ ଆଜି ଗୋଟିଏ ନାଆର ନାଉରୀ । ଦୁହିଙ୍କ କର୍ତ୍ତବ୍ୟ ହେଉଛି ଯେନତେନ ପ୍ରକାରେଣ ସେ ଶବଟିକୁ ସୁରକ୍ଷିତ ଭାବେ ଜଗି ରହିବା । ତା’ରି ଭିତରେ ପ୍ରକୃତିର ଭୀମ ରୂପକୁ ସାମ୍ନା କରୁକରୁ ଅନିରୁଦ୍ଧ ତା’ ଜୀବନରେ ଘଟିଥିବା ଆଉ ଏକ ରୋମାଞ୍ଚକର ଘଟଣା କହି ବସିଛି । ଯେଉଁଠି ଗୋଟେ ଶବକୁ ରାତାରାତି ଶବାଗାର ଭିତରେ ଘୁଣପୋକ ଖାଇ ନିଶ୍ଚିହ୍ନ କରି ଦେଇଥିଲେ । ସେଇ ଭୟ ହିଁ ଏ ଦୁଇଜଣକୁ ଘାରିଛି । ବର୍ଷା ତ ଛାଡଯାଇଛି । କିନ୍ତୁ ମାଂସାସୀ ହିଂସ୍ର ଜନ୍ତୁ ଓ ଘୁଣ ପୋକ ଭୟ ସେମାନଙ୍କ ମନରେ ବସା ବାନ୍ଧିଛି । ସତକୁ ସତ ସକାଳ ହେଲା ବେଳକୁ ଆଉ ସେ ନାରୀର ଶବ ନାହିଁ, ଖାଲି ଝରି ପଡୁଥିଲେ ମୁଠାମୁଠା ପୋକ, ଅଜସ୍ର…ଅଗଣିତ…..
ଗାଳ୍ପିକଙ୍କ ଭାଷାରେ ‘ସତରେ ଏ ସୃଷ୍ଟିଟା ବଡ଼ ବିଚିତ୍ର ! ଯିଏ ହୁଏତ କାଲି ଥିଲା ରୂପରେ ଐଶ୍ବର୍ଯ୍ୟମୟୀ, ଯାହାର କଟାକ୍ଷପାତରେ ପୁରୁଷ ନିଜତ୍ବ ଭୁଲିଯାଉଥିଲା, ଆଜି ସିଏ ମୁଠାଏ ପୋକ। ଆହାଃ….’

‘ତେରେଲିଏ ମେରୀ ଜାନ୍ …’ର ଅନ୍ତଃସ୍ବର ଟିକିଏ ହାଲ୍କା ରୋମାଣ୍ଟିକ ଟିକେ ସିରୟସ କମେଡିରେ ପୂର୍ଣ୍ଣ । ଲକ୍ଷ୍ମୀପୁରର ଆଦିବାସୀ ହାଟ ମନ ଦିଆନିଆର ଉତ୍କୃଷ୍ଟ ସ୍ଥାନ । ଆଦିବାସୀ ପରମ୍ପରାରେ ଯୁବକଟିଏ ବିଭିନ୍ନ ଉପାୟ ପାଞ୍ଚି ତା’ ମନର ମାନସୀକୁ ପ୍ରେମ ନିବେଦନ କରିଥାଏ । ବାଜିଗଲେ ଛକା ନହେଲେ କ୍ଲିନ୍ ବୋଲ୍ଡ । ସେଦିନ ବି ସେୟା ହେଲା । ଆଦିବାସୀ ଯୁବକଟିଏ ଗୋଟିଏ ଯୁବତୀର ହୃଦୟକୁ ଅକ୍ତିୟାର କରିବା ପାଇଁ ବିଭିନ୍ନ ଉପାୟ ପ୍ରୟୋଗ କରେ । ବାରମ୍ବାର ପ୍ରତ୍ୟାଖ୍ୟାତ ହେବା ପରେ ଶେସରେ ଯୁବତୀଟିକୁ ଏକୁଟିଆ ପାଇ ଶେଷ ଚେଷ୍ଟା କରେ । ଯୁବତୀଟି ଯୁବକଟିର ହାତ ଭିଡିନେଇ ନିଜ ଜଂଘରେ ଛୁଆଁଇ ଦେବା ପରେ ଘଟିଛି ଅଘଟଣ । ଟୋକାଟା ପଡି ଉଠି ଧାଇଁ ସେ ଜାଗାରୁ ପାର୍ । ଘଟଣାର ଅନ୍ତରାଳକୁ ଖୋଜୁଖୋଜୁ ଯାହା ବୁଝାପଡେ ଝିଅଟି ହେଲା ଗୋଟେ ମାଓବାଦୀ ଗ୍ରୁପର ଯିଏ ନିଜ ଜଂଘ ତଳେ ପିସ୍ତଲ ଲୁଚାଇ ରଖିଥିଲା । ଯୁବକଟି ଏହା ଜାଣିଲା ପରେ ବତାହତ ବୃକ୍ଷ ଭଳି ପଡି ଉଠି ସବୁ ଆଶାକୁ ପରିତ୍ୟାଗ କରି ଜୀବନ ବଂଚେଇବାକୁ ସେ ସ୍ଥାନ ଛାଡ଼ି ଚାଲିଯାଇଛି । ଉପରୁ ଚକଚକ୍ ଦେଖାଯାଉଥିବା ସବୁ ଜିନିଷ ବାସ୍ତବରେ ସୁନା ହୋଇ ନପାରେ ।

ବେଳେବେଳେ ଜୀବନରେ ବହୁ ଜିନିଷକୁ ପଛରେ ଛାଡି ଆଗକୁ ଆଗେଇବାକୁ ପଡେ । କିନ୍ତୁ ଘଟଣାଚକ୍ର ବେଳେବେଳେ ଏମିତି ବ୍ୟୁହ ରଚନା କରେ ଯେ ମଣିଷ ସେଥିରୁ ମୁକୁଳିବାର ଯୁ’ ନଥାଏ । କଥାକାରଙ୍କ ‘ଷ୍ଟ୍ରାଇକ୍’ ଗପରେ ଲିଲି ଦାସ ଓ ତା’ର ପ୍ରେମିକ କଥାକୁ ଦେଖାଯାଉ । ନାୟକ ଏକନିଷ୍ଠ ଭାବେ ଭଲ ପାଏ ତା’ ପ୍ରେୟସୀ ଲିଲିକୁ । ଆଉ ଲିଲି…..ସେ ବି ହୃଦୟଠୁଁ ଅଧିକ ଭଲ ପାଏ ନାୟକକୁ । କିନ୍ତୁ ନାୟକ ଯେ ଖୁବ୍ ଅନ୍ତର୍ମୁଖୀ । ଯଦିଓ ସେ ଲିଲିକୁ ଭଲପାଏ ବୋଲି ସର୍ବ ସମ୍ମୁଖରେ କେବେ ସ୍ବୀକାର କରିପାରିନି ମାତ୍ର ତା’ଠୁ ମୁହୂର୍ତ୍ତକର ଦୂରତା ମଧ୍ୟ ତା’ ପାଇଁ ଅସହ୍ୟ । ପ୍ରେମରେ ମୋହ ନୁହେଁ ତ୍ୟାଗର ମହତ୍ତ୍ବ ବୋଧେ ଗୁରୁତ୍ବପୂର୍ଣ୍ଣ । ମିଳନ ନୁହେଁ ବିଚ୍ଛେଦରେ ବୋଧେ ପ୍ରେମ ମହତ୍ତର ହୁଏ । ନହେଲେ ଲିଲିର ପ୍ରେମ ଧାସରେ ପତଙ୍ଗ ଭଳି ଜଳି ପୋଡିବାକୁ ଆଶାୟୀ ନାୟକ କିନ୍ତୁ କେବେ ତାକୁ ଆପଣେଇ ପାରିବାର ସାମର୍ଥ୍ୟ ହାସଲ କରିପାରିନି । ଲିଲି ବାହାହୋଇ ଅନ୍ୟତ୍ର ଚାଲିଗଲା ପରେ ମଧ୍ୟ ! କଳାହାଣ୍ଡି ବନ୍ଦ ବେଳେ ପୁଣି ହଠାତ୍ ଦେଖା ହୁଏ ଲିଲି ସହ ।ପ୍ରଥମ ପ୍ରେମର ଲିଭିଯାଇଥିବା ସେ ଦୀପଶିଖାଟି ପୁଣି ଥରେ ଜଳି ଉଠେ । ଲିଲିକୁ ତା’ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ଯାଇ ନାୟକକୁ ଗଳଦଘର୍ମ ହେବାକୁ ପଡେ । ଏପରିକି ଗୋଟିଏ ସ୍ଥାନରେ ତାକୁ ନିଜକୁ ସ୍ତ୍ରୀ ବୋଲି ପରିଚୟ ଦେବାରେ ମଧ୍ୟ ସେ ସଂକୁଚିତ ହୁଏନାହିଁ । ସାରାଜୀବନ ଯାହା ମୁହଁରେ କହିପାରିନି ଘଟଣାଚକ୍ରରେ ତାହା ଆପେ ସଂଘଟିତ ହେବାରୁ ନାୟକ ହୃଦୟରେ ଅପୂର୍ବ ପ୍ରଶାନ୍ତି ଓ ଉଲ୍ଲାସ । ମିଛରେ ହେଉ କିଛି କ୍ଷଣ ପାଇଁ ଲିଲି ବି ନିଜକୁ ନାୟକର ସ୍ତ୍ରୀ ଭୁମିକାରେ ପାଇ କିଛି କମ୍ ଉଲ୍ଲସିତ ହୋଇନି । ପ୍ରେମ କେବେ ସରେନାହିଁ କି କେବେ ମରେନାହିଁ । ଯାହାର ପ୍ରେମକୁ ସେ ସବୁବେଳେ ଉପେକ୍ଷା କରି ଆସିଛି ମାତ୍ର ତାକୁ ସର୍ବଦା ନିକଟରେ ପାଇବାର ଏକ ସଂଗୁପ୍ତ ଭାବନା ନାୟକକୁ ଆଜୀବନ ଆକ୍ରାନ୍ତ କରି ରଖିଛି, ଏଇ ଭାବାନାଟିକକ ହିଁ ପ୍ରେମ । ଉଭୟ ନାୟକ ଓ ନାୟିକାର ହୃଦୟର ଅଭିବ୍ୟକ୍ତିକୁ ବ୍ୟକ୍ତ କଲାବେଳେ କଥାକାରଙ୍କ ରୋମାଣ୍ଟିକ୍ ବର୍ଣ୍ଣନା ଓ ଘଟଣାପ୍ରବାହ ପାଠକପାଠିକାଙ୍କୁ ତନ୍ମୟ କରିବ । ଯେମିତି ଫୁଲଟିଏ ଫୁଟିଲେ ତାକୁ ବି ଜଣା ନଥାଏ ସେ ମନ୍ଦିରକୁ ଯିବ ନା ମଶାଣୀକୁ ମାତ୍ର ସେ ଜୀବିତ ରହେ ତା’ ସୁରଭିରେ ! ସେମିତି ପ୍ରେମର ଅନ୍ତ ମିଳନରେ ହେଉ ବିଚ୍ଛେଦରେ ମାତ୍ର ପ୍ରେମ ବଞ୍ଚିରହେ ହୃଦୟରେ । ଏ ଜନ୍ମରେ ଲିଲିକୁ ନପାଇଲେ ବି କ’ଣ ହେଲା ତା’ କୋଳରେ ଶୋଇରହି ଗୋଟେ ନୂଆ ପ୍ରେମଗଳ୍ପ ପାଇଁ ଆଉ ଗୋଟେ ଜନ୍ମ ପାଇଁ ଅପେକ୍ଷା କରାଯାଇପାରେ……।

ସଂକଳନସ୍ଥ ‘କୋମ୍ବିଂ’ ଗପଟି କଥାକାରଙ୍କ ଏକ ସଫଳ ସୃଷ୍ଟି । ମୁଖ୍ୟ ଚରିତ୍ର ବାଦଲ ଓ ସୁମିତ୍ରା ଉଭୟେ ବିବାହିତ, ପରିପୂର୍ଣ୍ଣ ସଂସାରର ଅଧିକାରୀ । ମାତ୍ର ପରସ୍ପରକୁ ଖୁବ୍ ଭଲ ପାଆନ୍ତି । ପାଇବାର ମୋହ ନାହିଁ କି ହରାଇବାର କୋହ ନାହିଁ । ମାତ୍ର ଉଭୟଙ୍କ ହୃଦୟରେ ପ୍ରେମର ଯେଉଁ ଅନ୍ତଃସଲିଳା ପ୍ରବାହିତ ତାହା କିନ୍ତୁ ଚିରନ୍ତନ, ପବିତ୍ର । ବାଦଲ ମାଓବାଦୀ ଦମନ ପାଇଁ ସୁଦୂର ପାହାଡ଼ ଜଙ୍ଗଲ ଘେରା ପଣଷଗୁଡାର ମାଓ ଉପତ୍ୟକାରେ । ଜଣେ ଦାୟିତ୍ବବାନ କ୍ୟାଡର ଭାବେ ତା’ ଜୀବନ ପ୍ରତି ମୁହୂର୍ତ୍ତରେ ମୄତ୍ୟୁ ସହ ଛକାପଞ୍ଝା ଖେଳୁଥିବା ବେଳେ ସୁମିତ୍ରାର ଆଶ୍ବାସନାଭରା ଫୋନ୍ କଲ୍ ହିଁ ତା’ ପାଇଁ ଏକମାତ୍ର ମୃତ୍ୟୁ ସଂଜୀବନୀ । ସେଦିନ ବି ସେୟା ହେଲା । ମାଓବାଦୀଙ୍କ ଭୟଙ୍କର ଆକ୍ରମଣରେ ତା ଦଳର ସମସ୍ତେ ମୃତ୍ୟୁ ମୁଖରେ ତଡ଼ିଥୀବା ବେଳେ ସେ ହିଁ ଖେବଳ ବଞ୍ଚିରହେ । ଗୁଳିଗୋଳା, ନିଃସଙ୍ଗ ଅରଣ୍ୟ, ବନ୍ୟ ଜୀବଜନ୍ତୁ ରୂପୀ ଦାନବର ମରଣ ଫାଶରୁ ମୁକୁଳିଯାଇ ଚେତା ଫେରେ ତାର ଡାକ୍ତରଖାନାରେ । ସହକର୍ମୀ ଶ୍ରୀକାନ୍ତ ଠାରୁ ଯାହା ଜାଣିବାକୁ ପାଏ ସେ ଯଦି ଆଜି ବଞ୍ଚିଯାଇଛି ଜଣେ ଅଜ୍ଞାତ ମହିଳାଙ୍କ ଫୋନ୍ କଲ ଯୋଗୁଁ । ସେଇଥିରୁ ତାକୁ ଦୀର୍ଘ ତିନିଦିନ ପରେ ତାକୁ ଠାବ କରାଯାଇ ପାରିଥିଲା । ବଦଲ ଜାଣିପାରିଛି ସେ ଅଜ୍ଞାତ ମହିଳା ଜଣକ ଆଉ କେହି ନୁହେଁ ସେ ହେଉଛି ବାଦଲର ସୁମିତ୍ରା । ଗାଳ୍ପିକ ଏଥିରେ ମାଓ ଅପରେସନର ଏକ ଜୀବନ୍ତ ଚିତ୍ର ଦେବା ସହ ଦୁଇ ପ୍ରେମୀଯୁଗଳଙ୍କ ହୃଦୟର ଭାବନାକୁ ଅତି ସୁନ୍ଦର ଚିତ୍ରଣ କରିଛନ୍ତି ।

ଜୀବନରେ ରୋମାଞ୍ଚ ନରହିଲେ ଜୀଇଁବାର ଆନନ୍ଦ କାହିଁ । ଆଗକୁ କ’ଣ ହେବ ତା’ ଯଦି ଏବେଠୁ ଜଣା ପଡିଯାଏ, ତା’ ହେଲେ ସବୁ ବିରସ ଓ ବେରଙ୍ଗ ପାଲଟିଯାଏ । “ହାଉସ୍ ସର୍ଚ୍ଚ’ ଗପରେ ବାଦଲ ଶେଷ ପର୍ଯ୍ୟନ୍ତ ଜାଣିପାରେନା ଯେ ତା’ ଭିଜିଲାନ୍ସ ଟିମ୍ ଆଜି କେଉଁଠି ଚଢ଼ଉ କରିବ । ନାନା ପ୍ରକାର ଭାବନା ଦୁର୍ଭାବନା ତା ଚେତନାକୁ ଆବୋରି ରଖେ । ଶେଷରେ ସେ ରହୁଥିବା କଲୋନୀର ବିଶିଷ୍ଟ ଶିଳ୍ପପତି ପ୍ରତାପ ଦାସର ଘରେ ହିଁ ଚଢଉ ହୁଏ । ବାଦଲର ବିବେକ ବାଧା ଦେଲେ ମଧ୍ୟ କର୍ତ୍ତବ୍ୟର ଦାୟରେ ସେ ବାଧ୍ୟ ହୁଏ । ତା’ ପରର ଘଟଣା ଠିକ୍ ଚଳଚ୍ଚିତ୍ର ତରି ଘଟିଯାଏ । ନଗଦ ଟଙ୍କା ସୁନାର ବିଶାଳ ଭଣ୍ଡାରକୁ ଉପସ୍ଥିତ ଅଫିସରଗଣ ଚତୁରତାର ସହ ଜବତ କରିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ପ୍ରତାପ ଦାସକୁ ଜେରା କଲାବେଳେ କାନ୍ତୁ ବାଦଲ ଆଉ ନିଜକୁ ଦୋଷୀ ମନେ କରିନି । ତା’ ମନରେ ଥିବା ପୂର୍ବ ଧାରଣା ଧୋଇ ଯାଇଛି । ରାତ୍ରିର ନିରନ୍ଧ୍ର ଅନ୍ଧକାର ପରେ ସୁନେଲୀ ସକାଳ ଆସିବା ଭଳି ସବୁ କଷ୍ଟକର ପ୍ରଚେଷ୍ଟା ପରେ ଅପେକ୍ଷମାଣ ସଫଳତା ଆତ୍ମ ପ୍ରକାଶ କରିଥାଏ । ତଥାପି ସବୁ ସରିବା ପରେ ମଧ୍ୟ ପୁଣି ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ଜବତ କରନ୍ତି ଭିଜିଲାନ୍ସ ଦଳ ମାନେ ଦରମା ଉପରେ ବୋନସ୍ ଭଳି । ‘ସ୍ବପ୍ନ’ ଗପଟି ପ୍ରତୀକାତ୍ମକ । ଆଦିବାସୀ ପ୍ରୌଢ଼ ଅଏଁଠୁ, ତାର ସ୍ତ୍ରୀ ଓ ଏକମାତ୍ର ଅଲିଅଳି ଝିଅ ଫୁଲମତୀକୁ ନେଇ ଛୋଟ ପରିବାର । ଫୁଲମତୀର ରକ୍ଷା କବଚ ହେଉଛି ବାପା ଅଏଁଠୁ । ସେଦିନ ଜଙ୍ଗଲକୁ କାଠ ପାଇଁ ବାପ ଝିଅ ଯାଇ ଫୁଲମତୀ ଦୁଇଟି ହିଂସ୍ର ମହାବଳ ବାଘର ସମ୍ମୁଖୀନ ହୁଏ । ଅଏଁଠୁ ଶତଚେଷ୍ଟା ସତ୍ତ୍ବେ ନିଜ ଝିଅକୁ ସେ ମଣିଷଖିଆ ବାଘଙ୍କ କବଳରୁ ଉଦ୍ଧାର କରି ପାରେନାହିଁ । ଗପଟିରେ ବ୍ୟବହୃତ ସ୍ଥାନୀୟ ଭାଷା, ବାପ ଝିଅଙ୍କ କଥୋପକଥନ ଖୁବ୍ ଉପଭୋଗ୍ୟ । ତେବେ ଗଳ୍ପଟିରେ ସୃଷ୍ଟ କାରୁଣ୍ୟ ପାଠକ ହୃଦୟକୁ ଆର୍ଦ୍ର କରିବା ସୁନିଶ୍ଚିତ ।

ଟେକ୍ନୋଲୋଜି ଓ ଯନ୍ତ୍ରର ବ୍ୟବହାର ମଣିଷକୁ ବେଳକୁବେଳ ଯାନ୍ତ୍ରିକ କରିଦେଉଛି । ପରମ୍ପରାକୁ ଯେତେ ଉପେକ୍ଷା କଲେ ମଧ୍ୟ ବେଳେବେଳେ ଯନ୍ତ୍ର ମଧ୍ୟ ମଣିଷକୁ ଭୀଷଣ ଧୋକା ଦିଏ । ‘ବ୍ୟର୍ଥତାର ଦିନଟିଏ’ରେ ଗାଳ୍ପିକ ଠିକ୍ ସେଇ କଥାଟିକୁ ଦୋହରାଇଛନ୍ତି । ଝିଅର ଚିକିତ୍ସା ପାଇଁ ବାଦଲ ଓ ସୁମିତ୍ରା ଆନ୍ଧ୍ର ଯିବାପାଇଁ ସ୍ଥିର କରନ୍ତି । ନିର୍ଦ୍ଦିଷ୍ଟ ଦିନ ଅଫିସରେ ଅଯଥା କାମ ଚାପ ସହିତ ସୁମିତ୍ରାର ଅନାବଶ୍ୟକ ରୂପଚର୍ଚ୍ଚା ଓ ରାସ୍ତାରେ କାମ ଯୋଗୁଁ ଟ୍ରେନ ଧରିବାରେ ବିଳମ୍ବ ହୁଏ । ଶେଷରେ କୌଣସିମତେ ସ୍ତ୍ରୀ ପିଲାଙ୍କୁ ଟ୍ରେନରେ ବସାଇ ଅଟୋବାଲାକୁ ପଇସା ଦେବାକୁ ଯାଇ ବାଦଲ ପ୍ରକୃତିସ୍ଥ ହୁଏ ଯେ ସେ ତା’ ମନିପର୍ସଟି ତରବରରେ ଘରେ ଭୁଲିଯାଇଛି । ପୁଣି ଆଶ୍ବାସନା ପାଏ ଯେ ଯା’ ହେଉ ତା ପାଖରେ ଏଟିଏମ୍ କାର୍ଡଖଣ୍ଡିକ ଅଛି । ଟଙ୍କା ଉଠାଇବାକୁ ଯାଇ ସେ ସମ୍ମୁଖୀନ ହୁଏ ବିଷମ ପରିସ୍ଥିତିର । ମେସିନ ଲେଖିଦିଏ ପ୍ଲିଜ୍ ୱେଟ୍ । ଏପଟେ ଟ୍ରେନର ଦ୍ବିତୀୟ ହୁଇସିଲ୍, ସେପଟେ ଅଟୋବାଲାର ଭଡା ପୁଣି ଟ୍ରେନରେ ବସିଥିବା ଝିଅ ଓ ସ୍ତ୍ରୀ । ତେବେ ଏଟିଏମ୍ କାଉଣ୍ଟରରେ ମାତ୍ରାଧିକ ବିଳମ୍ବ ଯୋଗୁ ସେ ହରାଇ ବସିଛି ଉଭୟ ଟ୍ରେନ୍ ଓ ତା’ ପରିବାରକୁ । ଗୋଟିଏ ଗୋଟିଏ ମୁହୂର୍ତ୍ତର ଉତ୍କଣ୍ଠା ପାଠକଙ୍କୁ ଗାଳ୍ପିକ ବସନ୍ତ ଶତପଥିଙ୍କ ‘ତେର ମିନିଟ୍’ ଗପର ସ୍ମରଣ ଆଣିଦିଏ । ପୁଣି ‘ସତ ଲାଗୁଥିବା ମିଛ ଗପ’ ରାଗିଂ ଓ ତା’ ପରବର୍ତ୍ତୀ ଘଟଣାକୁ ନେଇ ଗତିଶୀଳ । ପ୍ରତାପଗଡ ସ୍ଥିତ ଏକ କଲେଜକୁ ଏଡ୍ ଦେବାକୁ ଯାଇ ଅର୍ଡର ନେଇ ବାହାରନ୍ତି ମିଶ୍ର ବାବୁ, ମନୀଷା ମା’ମ୍, ଗଳ୍ପ ନାୟକ । ପ୍ରତାପ ଗଡରେ କଲେଜ ଅଧ୍ୟକ୍ଷ ବିବେକ ବାବୁଙ୍କ ସହ ପରିଚୟ ଆଦାନ ପ୍ରଦିନର ପ୍ରାଥମିକ ପର୍ବଟି ସମ୍ପାଦନ ପରେ ହିଁ ଆରମ୍ଭ ହୁଏ ଅସଲ କାହାଣୀ । ପ୍ରଥମ ପୁରୁଷରେ ରଚିତ ଏଇ ଗଳ୍ପଟିରେ ନାୟକ ସହିତ ଜଡିତ ହୋଇ ରହିଛି ଅତୀତତର ଗୋଟେ ମର୍ମନ୍ତୁଦ କାହାଣୀ । ଯେଉଁଠି ପୀଡିତ ହେଉଛି ଗଳ୍ପର ନାୟକ ଆଉ ଖଳନାୟକ ହେଉଛି ଏବେକାର କଲେଜ ଅଧ୍ୟକ୍ଷ ବିବେକ । କିନ୍ତୁ ସମୟର ପଟ୍ଟ ପରିବର୍ତ୍ତନ ଯୋଗୁଁ ଆଜି ନାୟକ ହୋଇଛି ଉପରିସ୍ଥ ଅଫିସର ଆଉ ବିଗତ ଦିନର ସେଇ ଖଳନାୟକ ବିବେକ ଆଜି କଲେଜ ଅଧ୍ୟକ୍ଷ । ଫ୍ଲାସବ୍ୟାକରେ ଘଟଣାର ଉତ୍ସଟି ଜାଣିବା ପରେ ହିଁ ପାଠକୀୟ ଉତ୍କଣ୍ଠା ବହୁଗୁଣିତ ହୁଏ । ଗାଳ୍ପିକ ବିଜୟ ପ୍ରଧାନ ମଣିଷ ମନର ଭିନ୍ନଭିନ୍ନ ସ୍ଥିତାବସ୍ଥାକୁ ଚିହ୍ନେଇବାରେ ତଥା ପ୍ରଶାସନିନ ତ୍ରୁଟି ବିଚ୍ୟୁତି, ଅବହେଳା ଓ ଅସଙ୍ଗତିକୁ ଅତି ମାର୍ମିକ ଭାବେ ଗଳ୍ପାୟନ କରିବାରେ ସିଦ୍ଧହସ୍ତ । ଆବେଗମୟ ଭାଷା ଓ ଛଳଛଳ ଆବେଦନ ତାଙ୍କ କଥାଶିଳ୍ପର ଅନ୍ୟତମ ବୈଶିଷ୍ଟ୍ୟ ।

‘ଅତଃ ଗୃଧ୍ର ଉପାଖ୍ୟାନ’ ଗଳ୍ପରେ ଚିକିତ୍ସା ବାହାନାରେ ସାଧାରଣ ମଣିଷଟିଏ କିପରି ଶୋଷଣ ଓ ଅତ୍ୟାଚାରର ଶିକାର ହୋଇଛି ତାର ଏକ ସ୍ଥୁଳ ଚିତ୍ର ରହିଛି । ଗାଳ୍ପିକ ମଣିଷ ମନରେ ଲୁଚି ରହିଥିବା ଅନ୍ଧ କ୍ଷମତାଲିପ୍ସୁ, ଅର୍ଥ ରୋଜଗାରର ନିକୃଷ୍ଟତମ ବ୍ୟବସାୟ ମନୋବୃତ୍ତି ଏପରିକି ମଣିଷପଣିଆର ଅଭାବକୁ ଦର୍ଶେଇଲା ବେଳେ ଲାଗେ ଯେମିତି ଚରିତ୍ରଗୁଡିକ ଆମ ଆଖପାଖରେ ଚଳପ୍ରଚଳ । ବଡବଡ ଡାକ୍ତରଖାନା, ଘରୋଇ ନର୍ସିଙ୍ଗହୋମରେ ଉନ୍ନତ ଓ ଉତ୍ତମ ଚିକିତ୍ସା ଅନ୍ତରାଳରେ ଚାଲିଥିବା ବେଆଇନ୍ ମାନବ ଅଙ୍ଗ ଚାଲାଣ, ଅର୍ଥ ଶୋଷଣ ଆଜିକାଲି ଦେହସୁହା ହୋଇଗଲାଣି । ବାଦଲ ଓ ପ୍ରବୀଣା, ହତଭାଗ୍ୟ ଗନ୍ତାୟତ ପରିବାର ଓ ତାଙ୍କ ମୃତ ଝିଅକୁ ନେଇ କାହାଣୀଟି ପରିକଳ୍ପିତ । ଝିଅର ଶବ ଆଣିବାକୁ ଯାଇ ଗନ୍ତାୟତ ବାବୁ ଯେଉଁ ବିଷମ ତରିସ୍ଥିତିର ସାମ୍ନା କରିଛନ୍ତି, ତା’ ସହି ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଅନ୍ୟ ଦଲାଲମାନଙ୍କ ଚକ୍ରାନ୍ତ ଦେଖିଲେ ଲାଗେ ଆମ ଭିତରୁ ମଣିଷପଣିଆ କାହିଁକି ହଜିହଜି ଯାଉଛି । ବାକିଆ ଟଙ୍କା ପରିଶୋଧ କରି ନପାରିଲେ ଛୋଟ ଝିଅଟିର ମୃତ ଶରୀରକୁ ନେଇ ଯେଉଁ ବୀଭତ୍ସ ଷଡଯନ୍ତ୍ର ରଚନା କରାଯାଇଛି, ତାହା ପାଠକକୁ ଚହଲାଇ ଦେବ । ତେବେ ବାଦଲର ନିସର୍ତ୍ତ ସାହାଯ୍ୟକୁ ଗାଳ୍ପିକ ଉପସ୍ଥାପିତ କରି ପରୋକ୍ଷରେ ସୁଚାଇ ଦେଇଛନ୍ତି ଯେ ମଣିଷପଣୀଆ କେଉଁଠି ନା କେଉଁଠି ଟିକେ ବଞ୍ଚି ବହିଛି । ମଣିଷ କୃତଘ୍ନ ହୋଇପାରେ କିନ୍ତୁ ପଶୁପକ୍ଷୀ ନୁହେଁ । ସୁଯୋଗ ପାଇଲେ ନିଜ ମାଲିକ ପାଇଁ ଜୀବନକୁ ଉତ୍ସର୍ଗ କରିପାରେ । ଜୀବେଦୟା ତଥା ଇତର ଜୀବନର ସାର୍ଥକତାକୁ ନେଇ ସେଇଭଳି ଏକ ସୁନ୍ଦର ଗପ ହେଉଛି ‘ଆ….ମ୍ୟାଉଁ…ଆ…’ । ଯେଉଁଠି ବିଲେଇଟିଏ ତା ପ୍ରତି ହୋଇଥିବା ନାନା ଅପେକ୍ଷା ଓ ଉପେକ୍ଷାର ଅନ୍ତ ଘଟାଇ ବିଷଧର ସର୍ପ ମୁହଁରୁ ନିଜ ଜୀବନ ବିନିମୟରେ ବୀରେନ୍ଦ୍ର ବାବୁଙ୍କ ଜୀବନ ରକ୍ଷା କରିଛି ।

ମଣିଷ ଜୀବନର ନାନାଦି ଛୋଟବଡ ଘଟଣା ଦୁର୍ଘଟଣାକୁ ଗଳ୍ପାୟିତ କଲାବେଳେ ଗାଳ୍ପିକ ବିଜୟ ପ୍ରଧାନ ଅସାମାନ୍ୟ କଳାକୁଶଳତା ହାସଲ କରିଛନ୍ତି । ଚିତ୍ରକଳ୍ପମୟ ଭାଷା ଓ ଭାବର ଅପୂର୍ବ ବିନ୍ୟାସ, କଥାବସ୍ତୁ ନିର୍ବାଚନରେ ନିରନ୍ତରତା ଓ ଗତିଶୀଳତା, ଅତୀତ ପ୍ରବଣତା ସର୍ବୋପରି ଚରିତ୍ର ଚିତ୍ରଣରେ ଭବ୍ୟ ମନନଶୀଳତା ଓଡିଆ କଥାସାହିତ୍ୟ ପାଇଁ ସମ୍ଭାବନାର ଅନେକ ଦ୍ବାର ଖୋଲି ଦେଇଛି । “ୟୁ. ଡି. କେସ୍ ଓ ଅନ୍ୟାନ୍ୟ ଗଳ୍ପ” ପାଠକୀୟ ସଫଳତାର ନୂତନ ଦିଗନ୍ତ ଉନ୍ମୋଚିତ କରିବା ଆଶା କରାଯାଏ ।

ନୀଳଚକ୍ର ନଗର
ଅଠରନଳା
ପୁରୀ

Comments are closed.