Latest Odisha News

ପୁସ୍ତକ ପରିଚୟ : ଚର୍ଚ୍ଚିତ ଗଳ୍ପ ସମ୍ଭାର

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା 

ଗଳ୍ପ ସଙ୍କଳନ : ଚର୍ଚ୍ଚିତ ଗଳ୍ପ ସମ୍ଭାର
ଗାଳ୍ପିକ ଯଦୁନାଥ ଜେନା,
ଶାଳପଡ଼ା, କେନ୍ଦୁଝର
ପ୍ରକାଶକ ‐ ଓମ୍ ସାଇ ପବ୍ଲିକେଶନ୍ସ,
ବାଙ୍କା ବଜାର, କଟକ
ପୃଷ୍ଠା ‐ ୧୫୨, ମୂଲ୍ୟ ‐ ଟ୧୨୦/-

ଉଣେଇଶଟି ଗପକୁ ନେଇ ଅନୁଭବୀ କଥାକାର ଯଦୁନାଥ ଜେନାଙ୍କ “ଚର୍ଚ୍ଚିତ ଗଳ୍ପ ସମ୍ଭାର” ଓଡ଼ିଆ ସାହିତ୍ୟ ଜଗତରେ ଏକ ଅମୁଲ୍ୟ ସୃଷ୍ଟି । ଲେଖକୀୟ ଅଭିବ୍ୟକ୍ତିରେ ଲେଖକ କୁହନ୍ତି ‘ଯେଉଁ ସାହିତ୍ୟ ସମାଜର ହିତ ସାଧନ ଓ ଦିଗଦର୍ଶନ ପାଇଁ ଉଦ୍ଦିଷ୍ଟ ନୁହେଁ, ଯେଉଁ ସାହିତ୍ୟ ସମାଜ ଉପରେ କିଛି ପ୍ରଭାବ ପକାଇ ପାରେ ନାହିଁ, ଯେଉଁ ସାହିତ୍ୟ ସମାଜକୁ ଆଦର୍ଶ ବାର୍ତ୍ତା ଦେବାରେ ବିଫଳ, ତାହା ସାହିତ୍ୟ ପଦବାଚ୍ୟ ନୁହେଁ । ସାହିତ୍ୟ ସମାଜର ଦର୍ପଣ । ସମାଜ ଦର୍ପଣରେ ପ୍ରତିବିମ୍ବରେ ଦୃଶ୍ୟଗମ୍ୟ କଳାଦାଗଗୁଡିକୁ ଧୋଇମାଜି ସଫା କରିବାରେ ଯତ୍ନବାନ ହୋଇଥାଏ, ତାହା କାଳଜୟୀ ସାହିତ୍ୟ ହୋଇଥାଏ । ସାମାଜିକ ହମସ୍ୟା ଓ ତା’ର ସମାଧାନର ବାର୍ତ୍ତା ଯୋଉ ସାହିତ୍ୟରେ ଥାଏ, ସେ ହିଁ ସୁସାହିତ୍ୟ’ ।

ସାହିତ୍ୟର ମୂଳ ଉଦ୍ଦେଶ୍ୟ ଆଜି ଆଉ ଏକ ନିର୍ଦ୍ଦିଷ୍ଟ ଏକକ ମଧ୍ୟରେ ସୀମାବଦ୍ଧ ନୁହେଁ । ଆଜି ଏହା ବ୍ୟକ୍ତି ଓ ସମାଜର ଏକ ବୃହତର ଦିଗକୁ ପ୍ରତିନିଧିତ୍ବ କରୁଛି । କ୍ଷୁଦ୍ରଗଳ୍ପର ପରିସର ତ ଆହୁରି ବ୍ୟାପକ । ଏହା ଯେ କେବଳ ସାମାଜିକ ସମସ୍ୟା, ବ୍ୟକ୍ତିଚେତନା, ଯୁଗଚେତନାଶ୍ରାୟୀ ହୋଇଛି ତା’ ନୁହେଁ ପରନ୍ତୁ ସମାଧାନର ବହୁମୁଖୀ ପନ୍ଥା ମଧ୍ୟ ଉନ୍ମୋଚନ କରେ । ସର୍ବୋପରି ନିର୍ମଳ ପାଠକୀୟ ଆନନ୍ଦ ସହ ପାଠକର ଚିନ୍ତା ଚେତନାରେ ଗଭୀର ଛାପଟିଏ ଛାଡି ଯାଇପାରିଲେ ହିଁ ଏହାର ସାର୍ଥକତା ପ୍ରତିପାଦିତ ହୁଏ । ଶଂସିତ ଗଳ୍ପ ସଂକଳନଟିର ସମସ୍ତ ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତଥା ପାଠକାଦୃତ । ସାଧାରଣ ବକ୍ତବ୍ୟ ଶୈଳୀରେ ବ୍ୟବହୃତ ଭାଷା ହିଁ ଏ ସଙ୍କଳନଟିର ପରମ ସମ୍ପଦ ।

ପ୍ରତି ଗଳ୍ପରେ ଗୋଟେ ସମସ୍ୟା ସହିତ ଗାଳ୍ପିକ ଚରିତ୍ରର ମନୋବିଶ୍ଳେଷଣ କରିଛନ୍ତି ଓ ପରିବେଶ, ପରିସ୍ଥିତିକୁ ଆଖି ଆଗରେ ସମାଧାନର ଖିଅଟିଏ ଯୋଡିଛନ୍ତି । ପ୍ରଥମ ଗଳ୍ପ ‘ମା’ ମାଟିର ମାୟା’କୁ ଲକ୍ଷ୍ୟ କରାଯାଉ । ଯେଉଁଥିରେ ପୀତବାସ ଭଳି ଉଚ୍ଚଶିଖିତ ଯୁବକ ସରକାରୀ ଚାକିରୀକୁ ଅନେଇ ଅନେଇ ବେକାର ସାଜି ଘରେ ବସିଛି । ତା’ ପରିବାରର ଆର୍ଥିକ ଓ ସାମାଜିକ ଅବସ୍ଥା ଦୋଳାୟମାନ । ବାପା, ବୋଉ, ଭଉଣୀମାନଙ୍କ ପାଇଁ ସେ ଆଜି ଅପାଂକ୍ତେୟ, ଅଲୋଡା । ସେମାନଙ୍କ ଆଶା ଭରସାକୁ ସେ ମାଟିରେ ମିଶେଇ ଦେଇଛି । ସବୁ ଅପମାନ ଓ ତିରସ୍କାରକୁ ସେ ନୀଳକଣ୍ଠ ଭଳି ପିଇ ଚାଲିଛି ମାତ୍ର ରୋଜଗାରର ନାଁ ଧରୁନି । ଆଜିକାଲି ଏ ସମସ୍ୟା ପ୍ରାୟ ପ୍ରତ୍ୟେକ ଯୁବପୀଢ଼ିଙ୍କର । କିନ୍ତୁ ଭାରତ ଭଳି ଗୋଟିଏ ଜନବହୁଳ ରାଷ୍ଟ୍ର ଯେଉଁଠି ଫି ବର୍ଷ ଶିକ୍ଷିତଙ୍କ ସଂଖ୍ୟା ବଢି ବଢି ଚାଲିଥାଏ, ସେମାନଙ୍କ ପାଇଁ ସରକାରୀ ଚାକିରୀ କ’ଣ ଏକମାତ୍ର ମାଧ୍ୟମ ? ଆତ୍ମ ସଚେତନ ବ୍ଯକ୍ତିଟିଏ ପର ପାଖରେ ଚାକିରୀ କରିବା ଅପେକ୍ଷା ନିଜେ ରୋଜଗାରକ୍ଷମ ହେବା ପାଇଁ ଚେଷ୍ଟା ତ କରିପାରିବ ! ନହେଲେ ଶହଶହ ପୀତବାସ ସୃଷ୍ଟି ହେବାକୁ ବେଶୀ ଦିନ ଲାଗିବନି । ଶିକ୍ଷିତ ଯୁବପୀଢ଼ିଙ୍କ ଏଇ ଚାକିରୀ ମନସ୍କତା ଯୋଗୁଁ ଆଜି ଗ୍ରାମୀଣ ଭାରତର କୃଷି ସଂସ୍କୃତି ରସାତଳଗାମୀ । ଗାଳ୍ପିକ ଏଇ ଚିରାଚରିତ ସମସ୍ୟାକୁ ଦର୍ଶାଇବା ସହିତ ପୁଣି ଥରେ କୃଷିକାର୍ଯ୍ୟକୁ ପୁବପୀଢ଼ି ଆଦରି ନେବାପାଇଁ ଆହ୍ବାନ ଦେଇଛନ୍ତି । ସାଧାରଣ କଥୋପକଥନ ଶୈଳୀର ବ୍ୟବହାର ହିଁ ଗଳ୍ପଟିର ଲୋକପ୍ରିୟତାର ହେତୁ ।

‘ଅନ୍ଧକାରର ରଙ୍ଗ’ରେ ପୀତବାସ ଆପଣେଇ ନେଇଛି ତା’ ମନର ମାନସୀ ପ୍ରୀତିନନ୍ଦାକୁ ମାତ୍ର ଏକ ଭୁଲ୍ ବୁଝାମଣା ଯୋଗୁଁ ସେ ବାରମ୍ବାର ହୋଇଛି ଲାଞ୍ଛିତ । ପ୍ରୀତି ନିଜର ଦୁର୍ଦ୍ଦଶା ପାଇଁ ପୀତବାସକୁ ଦାୟୀ କରି ତାକୁ ମାନସିକ ନିର୍ଯ୍ୟାତନା ଦେଇ ଚାଲିଛି ଆଉ ପୀତବାସ ନିର୍ଦ୍ଦୋଷ ଥାଇ ମଧ୍ୟ ସହି ଚାଲିଛି । ଶେଷରେ ସତ ସାମନାକୁ ଆସିଲା ପରେ ପ୍ରୀତି ପଶ୍ଚାତାପ କରିଛି । ପୀତବାସର ନିଷ୍କଳଙ୍କ ବ୍ୟକ୍ତିତ୍ବ ଆଗରେ ତାର ସମସ୍ତ କ୍ରୋଧ, ପ୍ରତିଜ୍ଞା, ପ୍ରତିଶୋଧ ସବୁ ଫିକା ପଡିଯାଇଛି । ଏ ସ୍ବରଟି ଆହୁରି କରୁଣ ହେଇଛି ‘ଉଡନ୍ତା ପକ୍ଷୀର ସ୍ବର’ରେ । ଯେଉଁଠି ପ୍ରୌଢ଼ କେଶବ ସୁଦୂର କଲିକତାରୁ ସୁନ୍ଦରୀ ସୁଲତାକୁ ନେଇ ଗାଁରେ ପାଦ ଦିଏ ସେଦିନ ସେଇ ଛୋଟ ପୃଥିବୀରେ ସୃଷ୍ଟି ହୁଏ ବିଶାଳ ଭୂମିକମ୍ପ । ସାଇଭାଇଙ୍କ ଟାହିଟାପରା, ମନ୍ଦ ଉଦ୍ଦେଶ୍ୟ, ପୋଲିସବାବୁଙ୍କ ଧମକ, ମାଡଗାଳି ସବୁ ସହି ପଥର ହୋଇଯାଇଛି କେଶବ । ଶେଷରେ ରହସ୍ୟ ଉନ୍ମୋଚନ କରିଛି ସୁଲତାର ଥାନାବାବୁଙ୍କ ଉଦ୍ଦେଶ୍ୟରେ ଗୋଟେ ଚିଠି । କେଶବର ତ୍ୟାଗ ଆଗରେ ଥାନାବାବୁଙ୍କ ହୃଦୟ ତରଳି ଯାଇଛି, ବ୍ୟକ୍ତିତ୍ବ ଫିକା ପଡିଯାଇଛି । ଗୋଟେ ତୀବ୍ର ରହସ୍ୟବୋଧ ପାଠକକୁ ଶେଷ ପର୍ଯ୍ୟନ୍ତ ଟାଣି ନେଇଯାଏ । ଗାଳ୍ପିକଙ୍କ ପ୍ରାୟ ଗଳ୍ପରେ ଏଇ ରହସ୍ୟଟି ଉଣା ଅଧିକେ ପ୍ରକଟିତ ।

ଗାଳ୍ପିକ ସମାଜର ବିଭିନ୍ନ ସ୍ତରର ଚରିତ୍ରମାନଙ୍କୁ ନେଇ ତାଙ୍କ ପରୀକ୍ଷା ନିରୀକ୍ଷା କରିଛନ୍ତି । ମଣିଷର ଅବକ୍ଷୟମୁଖୀ ଚରିତ୍ରର ନଗ୍ନ ଚିତ୍ରକୁ ଦେଖେଇବା ସହ ତୀବ୍ର କଟାକ୍ଷ ଓ ସମାଲୋଚନା କରିଛନ୍ତି । ପ୍ରଥମ ପୁରୁଷରେ ରଚିତ ‘ମା’ ଗପରେ ବିଲେଇଟିଏ ଲେଖକଙ୍କ ପଡିଶା ଘରେ ରହିଯାଇଛି ଆଉ ଗୃହକର୍ତ୍ତା ଛୁଟି କଟାଇବାକୁ ଯାଇ ନିଜ ଗାଁରେ । ଏପଟେ ଦୁଇଟି କୁନି ବିଲେଇ ଛୁଆ ଙ୍କ କରୁଣ କ୍ରନ୍ଦନ ଲେଖକ ଓ ତାଙ୍କ ପରିବାରକୁ ବିବ୍ରତ କରିଦେଇଛି । ଅନନ୍ୟୋପାୟ ହୋଇ ସେ ନିଜେ ମା’ ବିଲେଇଟିକୁ ଘରୁ ଉଧାର କରିବାକୁ ଯାଇ ମହାନ୍ତି ବାବୁଙ୍କୁ ଗାଁକୁ ଯାଇଛନ୍ତି । ମାତ୍ର ଘଟଣାଟିକୁ ଅତି ସାଧାରଣ ଓ ଖାମଖିଆଲି ଭାବେ ଗ୍ରହଣ କରିଛନ୍ତି ମହାନ୍ତି ଦମ୍ପତି । ତାଙ୍କ ପାଇଁ ଗାଈଗୋରୁ, ବିଲେଇ, କୁକୁରଙ୍କ ଭଳି ଇତର ପ୍ରାଣୀଙ୍କ ଜୀବନର କୌଣସି ମୂଲ୍ୟ ଯେପରି ନାହିଁ । ଆଜି ଆମ ସମାଜରେ ଏଭଳି ବିଚିତ୍ର ଚରିତ୍ରଙ୍କର ଢେର୍ ପାଦୁର୍ଭାବ ! ପରିଶେଷରେ ଶ୍ରୀମତୀ ମହାନ୍ତି ଗାଁରୁ ଆସି ଦ୍ବାର ଖୋଲିଲା ବେଳକୁ ସବୁ ଶେଷ । ବିଲେଇଟି ବଡ ଦୟନୀୟ ଭାବେ ମୃତ୍ୟୁବରଣ କରିଛି ଯାହାକୁ ଦେଖି ଲେଖକ ଓ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ଏବଂ ଏକ ତୀବ୍ର ଅପରାଧବୋଧ ଶ୍ରୀମତୀ ମହାନ୍ତିଙ୍କ ମାତୃ ହୃଦୟକୁ ମଧ୍ୟ କବଳିତ କରିଛି ।

ସେହିପରି ‘ରାସ୍ତା’ ଗପରେ ସୁକୁନୀ ଓ ‘ମୂଳଧନ’ରେ ପଦ୍ମାଳୟା ଉଭୟେ ଅନ୍ୟର ସ୍ବାର୍ଥ ପାଇଁ ବଳି ବୋଦା ସାଜିଛନ୍ତି । ପ୍ରତିବଦଳରେ ପାଇଛନ୍ତି ଅପରିସୀମ ଲାଞ୍ଛନା, ପ୍ରତାରଣା ଓ ବ୍ୟର୍ଥତା । ନିଜ ଗାଁରେ କାରଖାନା ଓ ରାସ୍ତାର ନିର୍ମାଣ ହେବ, ଗାଁ ଭୂଇଁ ଓ ଗାଁ ଭାଇଙ୍କ କଲ୍ୟାଣ ନିମନ୍ତେ ସୁକୁନୀ କଣ୍ଟ୍ରାକ୍ଟର ବାବୁଙ୍କ ରକ୍ଷିତା ସାଜିଛି । ରାସ୍ତା ହେଇଛି, କାରଖାନା ବି ବସିଛି, ହେଲେ ସୁକୁନୀ କ’ଣ ପାଇଛି ? ମୁଠାଏ ଶୂନ୍ୟତା ! ପୁଣି ସେପଟେ ପଦ୍ମାଳୟା ରାଜନୀତିରେ ଉଚ୍ଚାଭିଳାଷା ନେଇ ମନ୍ତ୍ରୀଙ୍କ ଦ୍ବାରା ଲୁଣ୍ଠିତା ହୋଇଛି । ତାର ସବୁ ମହତ୍ତ୍ବାକାଂକ୍ଷା ଆଜି ଭୁଲୁଣ୍ଠିତ । ଆଉ ଆଖିରେ ଆଖିଏ ଶୂନ୍ୟତା !

‘ହୁଣ୍ଡୀ’ ଗପରେ ଜାତିପ୍ରଥାକୁ ନେଇ ଭାଙ୍ଗି ଯାଉଥିବା ସଂପର୍କ ପୁଣି ଘଟଣା କ୍ରମେ ଯୋଡିହେବା ସହ ଜଣେ ନାରୀର ତ୍ୟାଗକୁ ଲେଖକ ଖୁବ୍ ଆତ୍ମିକ ଢଙ୍ଗରେ ଉପସ୍ଥାପନ କରିଛନ୍ତି । ‘ବ୍ୟାବହାରିକ ସଂପର୍କ’ ଗପରେ ସମସ୍ତଙ୍କ ଦୃଷ୍ଟିରେ ଅବହେଳିତ ଅନିମେଶ ହଠାତ୍ ଚାକିରୀ ପାଇବାପରେ ପରିବଶ ଓ ପରିସ୍ଥିତି କିପରି ତା’ ସପକ୍ଷରେ ଯାଇଛି, ତା’ର ଗୋଟିଏ ମାର୍ମିକ ଚିତ୍ର ପ୍ରଦାନ କରିଛନ୍ତି ଗାଳ୍ପିକ ।

‘ବିଦେଶୀ ଫୁଲର ବାସ୍ନା’ରେ ଗାଳ୍ପିକ ପ୍ରବାସରେ ରହୁଥିବା ଜଣେ ଯୁବକ ସହିତ ଜଣେ ବିଦେଶୀନୀର ପ୍ରେମ ଓ ତ୍ୟାଗକୁ ରୁଚିବନ୍ତ ଭାବେ ଉପସ୍ଥାପନା କରିଛନ୍ତି । ସେହିପରି ‘ବନ୍ଦୀ ମୁକ୍ତି’ରେ ଗାଳ୍ପିକ ପୁଅଝିଅମାନେ ବଡ ହେବା ପରେ ସଂପତ୍ତିବାଡି, ଘରଦ୍ବାର ସହିତ ବାପା ଓ ମା’ ନାମକ ଦୁଇଟି ନିରୀହ ପ୍ରାଣୀ କିପରି ଭାଗ ବାଣ୍ଟି ହୋଇ ଅଲଗା ହୋଇଯାଆନ୍ତି, ତା’ର ଏକ କରୁଣ ଚିତ୍ର ଦେଇଛନ୍ତି । ଏପରି ଘଟଣା ଆଜି ଆମ ସମାଜରେ ନିହାତି ମାମୁଲି । ଯେଉଁ ପିତାମାତାଙ୍କ ଅସୀମ ତ୍ୟାଗ ପିଲାମାନଙ୍କୁ ମଣିଷ କରେ ସେହି ପିଲା ବଡ ହେଲା ପରେ କେମିତି ଭୁଲିଯାଆନ୍ତି । ସେମାନଙ୍କୁ ବାଣ୍ଟିବା ପାଇଁ କିଏ ଏ ଘୂଣ୍ୟ ଅଧିକାର ଦେଲା ? ଏ ପ୍ରକାର ବିକଳ ମାନସିକତାର ଅନ୍ତ ନାହିଁ ଯେପରି !

ଗାଳ୍ପିକ ଯଦୁନାଥ ଜେନା ଓଡିଆ ସାହିତ୍ୟାକାଶରେ ଜଣେ ବିଚକ୍ଷଣ ପ୍ରତିଭା । ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର ୪୦ରୁ ଉର୍ଦ୍ଧ୍ବ ଗ୍ରନ୍ଥ ପ୍ରକାଶିତ । ଜଣେ ଐତିହ୍ୟପ୍ରେମୀ ଗବେଷକ ତଥା ‘ରଥିସାରଥି’ ପତ୍ରିକାର ସଂପାଦକ ଭାବେ ଲେଖକ ଅସପତ୍ନ ପ୍ରଶଂସାର ଅଧିକାରୀ । ଶଂସିତ ଗଳ୍ପ ଗ୍ରନ୍ଥଟିର ସମସ୍ତ ୧୯ଟି ଯାକ ଗଳ୍ପ ପୂର୍ବରୁ ପତ୍ରପତ୍ରିକାରେ ପ୍ରକାଶ ପାଇ ଲେଖକଙ୍କୁ ଅନେକ ପ୍ରଶଂସା ଆଣିଦେଇଛି । ସାପ୍ରତିକ ସମାଜର ଘଟଣାବହୁଳ ପ୍ରସଙ୍ଗକୁ ଲେଖକ ନିଜ ଗପର ବିଷୟବସ୍ତୁ କରିଛନ୍ତି । ଭାଷାର ଅଯଥା ଆଡମ୍ବର ନାହିଁ । ଗ୍ରାମ୍ୟ ଭାଷାର ଜୀବନ୍ତ ପ୍ରୟୋଗ, ଲୋକଚରିତ୍ରର ଚମତ୍କାର ବିଶ୍ଳେଷଣ, ମାନବିକ ମୂଲ୍ୟବୋଧର ଜୟଗାନ ସର୍ବୋପରି ସମସ୍ୟା ସହିତ ସମାଧାନର ସରଳ ପନ୍ଥା ଗଳ୍ପଗୁଡିକୁ ସୁଖପାଠ୍ୟ କରିପାରିଛି ।

Comments are closed.