ଭୁବନେଶ୍ବର: ବିସ୍ମୃତ ଗ୍ରାମ୍ୟ ଜୀବନର ଏକ ନିରୁତା ପ୍ରତିବେଦନ ହେଉଛି ଚନ୍ଦ୍ରଶେଖର ଦାଶଙ୍କ ‘ଗାଁ କଥା’ ପୁସ୍ତକ। ଗାଁରେ ବଢିଥିବା ପ୍ରତିଟି ମଣିଷ ଏ ପୁସ୍ତକ ମାଧ୍ୟମରେ ସ୍ମୃତିର ଆଇନାରେ ନିଜର ଅତୀତକୁ ଫେରିପାଇବେ । ‘ଗାଁ କଥା’ ପୁସ୍ତକ ଆଲୋଚନା ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କଥା କହିଛନ୍ତି ପ୍ରସିଦ୍ଧ କଥାଶିଳ୍ପୀ ଡ. ଗୌରହରି ଦାସ।
ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ପ୍ରକାଶିତ ‘ଗାଁ କଥା’ରେ ଲେଖକଙ୍କ ଚରିତ୍ର ଚୟନ, ଆଲେଖଗୁଡ଼ିକର ଭାଷା ଓ ବର୍ଣ୍ଣନା ଶୈଳୀ ବେଶ୍ ସାବଲୀଳ ବୋଲି ଡ. ଦାସ ମତ ଦେଇଥିଲେ। ଗମ୍ଭୀର କଥାଟିଏ ବଖାଣିବା ବେଳେ ଚନ୍ଦ୍ରଶେଖର ଦାଶଙ୍କ ଚଟୁଳ ହାସ୍ୟରସ ପ୍ରୟୋଗ ଏ ବହିଟିକୁ ଅଧିକ ପାଠକୀୟ ଶ୍ରଦ୍ଧା ଆଣିଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଚନ୍ଦ୍ରଶେଖର ଦାଶ ନିଜର ଲେଖକୀୟ ବକ୍ତବ୍ୟ ରଖି କହିଥିଲେ ଯେ ସେ ନିଜର ସ୍ମୃତିକଥାକୁ ନେଇ ପୁସ୍ତକ କରିବାର ସ୍ବପ୍ନ କେବେ ବି ଦେଖି ନ ଥିଲେ। ସାମାଜିକ ଗଣମାଧ୍ୟମରେ ନିଜର ଅତୀତର ଅନୁଭବ ସବୁ ବଖାଣିବା ସମୟରେ ଶୁଭେଚ୍ଛୁଙ୍କଠାରୁ ଉତ୍ସାହ ପାଇଥିଲେ। ପରବର୍ତ୍ତୀ ସମୟରେ ଏହାକୁ ପୁସ୍ତକ ଆକାରରେ ପ୍ରକାଶନ ପାଇଁ ନିଷ୍ପତ୍ତି ନେଇଥିଲେ ।
ଏହି ଆଲୋଚନା ଉତ୍ସବରେ କଥାକାର ତଥା ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ମୁଖ୍ୟ ଆୟକ ଆୟୁକ୍ତ ପ୍ରଣବ ପ୍ରକାଶ ଦାସ, ଲେଖକ ତଥା ଏସେଲ୍ ମାଇନିଂ ସିଇଓ ଅଶୋକ କୁମାର ବଳ, ମୁଖ୍ୟ ରାଜ୍ୟ ସୂଚନା ଆୟୁକ୍ତ ସୁନୀଲ କୁମାର ମିଶ୍ର, ଅନୁଗୁଳ-ସୁକିନ୍ଦା ରେଳବାଇ ପରିଚାଳନା ନିର୍ଦ୍ଦେଶକ ଦିଲୀପ ସାମନ୍ତରାୟ, ବୀମା ଅମ୍ବୁଡ୍ସମ୍ୟାନ ସୁରେଶ ଚନ୍ଦ୍ର ପଣ୍ଡା, ସ୍ତମ୍ଭକାର ମନୋରଂଜନ ପାଣିଗ୍ରାହୀ, ତ୍ରୈଲୋକ୍ୟ ଜେନା, କବି ଶରତ କୁମାର ଦାଶ, ଡ ହିମାଂଶୁ ମହାପାତ୍ର, ଡ. ଯତୀନ୍ଦ୍ର କୁମାର ନାୟକ, ରମେଶ ଚନ୍ଦ୍ର ଖାଡ଼ଙ୍ଗା, ଶିବପଦ ସ୍ବାଇଁ, ଅଭୟ ଚରଣ ରାଉତ, ଯୁଗଳ କିଶୋର ମିଶ୍ର, ସଚ୍ଚିଦାନନ୍ଦ ମିଶ୍ର, ସୂର୍ଯ୍ୟ ଦାସ, ଅଶ୍ବିନୀ ବେହେରା, ଭାସ୍କର ଚନ୍ଦ୍ର ରଥ, ପୀୟୁଷ ପଟ୍ଟନାୟକ ଓ ଅସିତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ‘ଗାଁ କଥା’ ବହି ଉପରେ ବକ୍ତବ୍ୟ ରଖିଥିଲେ ।
Comments are closed.