Latest Odisha News

BREAKING NEWS

କାହା ପକ୍ଷରେ ରାଜ୍ୟପାଳ? ରଘୁବରଙ୍କ ମୁଁହରେ ସରକାରଙ୍କ ଗୁଣଗାନ, ବିରୋଧି ଅସନ୍ତୋଷ

ଭୁବନେଶ୍ୱର: ସୋମବାର ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଷୋଡ଼ଶ ବିଧାନସଭାର ପ୍ରଥମ ଦିନରୁ ହାଇ ଡ୍ରାମା ମଧ୍ୟରେ ଆରମ୍ଭ ହୋଇଥିଲା ଅଧିବେଶନ। ଗୋଟେ ପଟେ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୁଚାଇ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ ରଘୁବର ଦାସ। ଯାହାକୁ ନେଇ ହୋଇଛି ତମ୍ବିତୋଫାନ। ରାଜ୍ୟପାଳଙ୍କ ଅଭିଭାଷଣରେ ପରିକ୍ରମା ପ୍ରକଳ୍ପ ଠୁ ଆରମ୍ଭ କରି କାଳିଆ ଯୋଜନା ସହ 5-ଟି ତଥା ନୂଆ-ଓ କାର୍ଯ୍ୟକ୍ରମର ବାଃ ବାଃ ଥିଲା। ରାଜ୍ୟପାଳଙ୍କ ଉପସ୍ଥାପିତ ତଥ୍ୟ କେତେ ଠିକ୍ ଥିଲା ଆଉ କେତେ ଭୁଲ୍ ତାହାର ଜବାବ ମାଗିଛନ୍ତି ବିରୋଧି। ରାଜ୍ୟ ସରକାରଙ୍କ ବିକାଶର କଥା କେବଳ କାଗଜ କଲମରେ ହିଁ ସୀମିତ। ଏବଂ ରାଜ୍ୟପାଳଙ୍କ ମୁଁହରେ ଏହାର ସଫଳ କାହାଣୀ ଶୁଣିବାକୁ ନିନ୍ଦା କରିଛନ୍ତି ଭାରତୀୟ ଜନତା ପାର୍ଟିର ସଦସ୍ୟ। ଏହି ବଜେଟ୍ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ନିରାଶଜନକ ବୋଲି କହିଛନ୍ତି ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ।

ସେପଟେ ରଘୁବର ଦାସଙ୍କ ଭାଷଣ ପରେ କ୍ଷୋଭ ପ୍ରକାଶ କରି କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ନେତୃତ୍ଵରେ କକ୍ଷ ତ୍ୟାଗ କରିଥିଲା ଦଳ। ରାଜ୍ୟପାଳଙ୍କ ଠାରୁ ପ୍ରକୃତ ତଥ୍ୟ ଆଶା କରାଯାଉଥିଲା କିନ୍ତୁ ସେ ସରକାରଙ୍କ ପକ୍ଷରେ କଥା ରଖିଛନ୍ତି। ବିଭିନ୍ନ ଭୁଲ୍ ତଥ୍ୟକୁ ଦେଖାଇ ଆଗମୀ ଦିନରେ କେଉଁ ପ୍ରକଳ୍ପ ଆସିବ, ବିକାଶ ପାଇଁ କଣ କରାଯିବ ସେନେଇ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର। ତାଙ୍କ ସହ ଇଏ ଜଣେ ତେଲିଆ ଗଭର୍ଣ୍ଣର ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ।

ବିରୋଧୀଙ୍କ ଅସନ୍ତୋଷ ମଧ୍ୟରେ ଶାସକ ଦଳ କହିଛି ରାଜ୍ୟର ବିକାଶର ଚିତ୍ରକୁ ଉପସ୍ଥାପନା କରିଛନ୍ତି ରାଜ୍ୟପାଳ। ବିରୋଧି ନିନ୍ଦା କଲେ କି ଅସନ୍ତୋଷ ଜାହିର କଲେ ଶାସକ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା।

ରାଜ୍ୟପାଳ ରାଜ୍ୟର ଭାର ସମ୍ଭାଳିବା ପରେ ସେ କୌଣସି ଦଳ ପାଇଁ ନୁହେଁ ବରଂ ଲୋକଙ୍କ ପାଇଁ କାମ କରନ୍ତି। ତେବେ ପ୍ରଥମ ଦିନରୁ ହିଁ ଏପରି ପରିସ୍ଥିତି ଉପୁଜିଥିବା ବେଳେ ଅଧିବେଶନ ସମୟରେ ରାଜ୍ୟପାଳ ଗୃହ ମଧ୍ୟରେ ନିରପେକ୍ଷ ରହୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.