Latest Odisha News

BREAKING NEWS

ଗଞ୍ଜାମରେ ଅପହରଣ, ଲୁଟ୍‌ର ଶିକାର ହେଲେ ଝାଡ଼ଖଣ୍ଡର ଦୁଇ ବ୍ୟବସାୟୀ

ବ୍ରହ୍ମପୁର: ଝାଡଖଣ୍ଡର ଦୁଇଜଣ ବ୍ୟବସାୟୀ ଗଞ୍ଜାମରେ ଅପହରଣ ଓ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅପହରଣକାରୀମାନେ ଏହି ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୫ ହଜାର ଟଙ୍କା ସହ କାର ଓ ମୋବାଇଲ ନେଇଯାଇଛନ୍ତି। ଯେନତେନ ପ୍ରକାରେ ମୁକ୍ତ ହେବା ପରେ ଲୁଟର ଶିକାର ବ୍ୟକ୍ତିମାନେ ମଙ୍ଗଳବାର ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହେବା ପରେ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନାପ୍ରକାରେ, ଝାଡଖଣ୍ଡ ରାଞ୍ଚିର ନରେଶ ସାହୁ ଓ କ୍ରିଷ୍ଣା କୁମାର ଦୁଇ ଦିନ ତଳେ ଏକ କାର ଯୋଗେ ବ୍ରହ୍ମପୁରରୁ ଚିକିଟି ଆଡ଼କୁ ଯାଉଥିଲେ । ଦିଗପହଣ୍ଡି ଥାନା ଅନ୍ତର୍ଗତ ଖାକିପଡା ନିକଟରେ କିଛି ବ୍ୟକ୍ତି ତାଙ୍କ କାରକୁ ଅଟକାଇଥିଲେ। ଏହି ବ୍ୟକ୍ତିମାନେ ନରେଶ ଓ କ୍ରିଷ୍ଣାଙ୍କୁ ମାରଣାସ୍ତ୍ର ଦେଖାଇ ଧମକାଇବା ସହ ସେହି କାରରେ ବସାଇ ବିଭିନ୍ନ ସ୍ଥାନକୁ ବୁଲାଇଥିଲେ।

ସେହିପରି ଫୋନ-ପେ ମାଧ୍ୟମରେ ସମ୍ପର୍କୀୟଙ୍କ ଟଙ୍କା ମାଗି ଦେବାକୁ ବାଧ୍ୟ କରିଥିଲେ। ନରେଶ ଓ କ୍ରିଷ୍ଣାଙ୍କ ପାଖରେ ଥିବା ଟଙ୍କା ଏବଂ ଫୋନ-ପେ’ ରେ ଆସିଥିବା ଟଙ୍କାକୁ ମିଶାଇ ମୋଟ ୩ ଲକ୍ଷ ୭୫ ହଜାର ଟଙ୍କା ନେଇଯାଇଥିଲେ ।

ଏହାପରେ ଅପହରଣକାରୀମାନେ ନରେଶ ଓ କ୍ରିଷ୍ଣାଙ୍କ କାର ଓ ମୋବାଇଲ ନେଇଯିବା ସହ ସନ୍ଧ୍ୟାରେ ବ୍ରହ୍ମପୁରକୁ ଆଣି ଭୁବନେଶ୍ବର ଯାଉଥିବାଏକ ବସରେ ବସାଇ ଦେଇଥିଲେ। ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଲେ ଗଞ୍ଜେଇ ମାମଲାରେ ଫସେଇ ଦେବେ​‌ ବୋଲି ମଧ୍ୟ ଧମକ ଦେଇଥିଲେ।

ତେବେ ଏସପିଙ୍କ ନିକଟରେ ମଙ୍ଗଳବାର ଏହି ଦୁଇ ଜଣ ଅଭିଯୋଗ କରିବାପରେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବାକୁ ଏସପି ସର୍ବଣା ବିବେକ ଏମ୍‌ ଉଭୟଙ୍କୁ ପରାମର୍ଶ ଦେଇଥିଲେ । ସେହିକ୍ରମରେ ଦିଗପହଣ୍ଡି ପୁଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହ ଅପହରଣକାରୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି।

ତେବେ ନରେଶ ଓ କ୍ରିଷ୍ଣା ଦିଗପହଣ୍ଡି ଅଞ୍ଚଳକୁ କାହିଁକି ଆସିଥିଲେ, ଏମାନେ କ’ଣ ବ୍ୟବସାୟ କରୁଛନ୍ତି, ସେନେଇ ମଧ୍ୟ ପୋଲିସ ତନାଘନା ଚଲାଇଛି

Leave A Reply

Your email address will not be published.