ଭୁବନେଶ୍ୱର: ଯଦି ଆପଣ ନିଜ ସ୍କୁଟି, ବାଇକ୍ କିମ୍ବା କାର୍ ଧରି ବଜାର କିମ୍ବା ଅଫିସ ବାହାରୁଛନ୍ତି, ତେବେ ଟିକିଏ ଅଟକି ଯାଆନ୍ତୁ। ଆପଣଙ୍କ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ଅଛି ତ? କାରଣ ଏବେ ରାଜ୍ୟର ବିଭିନ୍ନ ଛକରେ ଛକି ବସିଛନ୍ତି ପରିବହନ ବିଭାଗର ଅଧିକାରୀ। ନିୟମ ଖିଲାପକାରୀଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ଏବଂ ଏଥିରେ କାହାକୁ ବି ନିସ୍ତାର ମିଳୁନାହିଁ।
ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଦିଆଯାଇଥିବା କଡ଼ା ନିର୍ଦ୍ଦେଶ ପରେ ପୂରା ରାଜ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ମାନେ ଆକ୍ସନ ମୋଡ଼କୁ ଆସିଛନ୍ତି। ମୋଟର ଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ଇତିମଧ୍ୟରେ ସାରା ରାଜ୍ୟରେ ୧୦୦ରୁ ଅଧିକ ଗାଡ଼ିକୁ ଜବତ କରାଯାଇସାରିଲାଣି।
ବିଶେଷ କରି ଯେଉଁ ଗାଡ଼ିଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ନାହିଁ, ବୀମା ଅବଧି ସରିଯାଇଛି କିମ୍ବା ପରମିଟ୍ ବିନା ବେଆଇନ ଭାବେ ରାସ୍ତାରେ ଚାଲୁଛନ୍ତି, ସେଗୁଡ଼ିକୁ ମୁଖ୍ୟତଃ ଟାର୍ଗେଟ୍ କରାଯାଉଛି। କେବଳ କଟକ ସହରରେ ଚେକିଂ କଡ଼ାକଡ଼ି କରାଯାଇ ପ୍ରାୟ ୫୬ଟି ଗାଡ଼ିକୁ ସିଜ୍ କରିଛି କଟକ ଆରଟିଓ।
ପୂର୍ବରୁ କେବଳ ମାଲବାହୀ ବା ବ୍ୟବସାୟିକ ଗାଡ଼ି ଉପରେ ଚେକିଂ ଅଧିକ ଫୋକସ୍ କରାଯାଉଥିବା ବେଳେ ଏବେ ଘରୋଇ ଗାଡ଼ିଗୁଡ଼ିକ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି: ଜବତ ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ କେବଳ ବଡ଼ ଟ୍ରକ୍ ନୁହେଁ, ବରଂ ଅଟୋ, ଟ୍ରାକ୍ଟର, ଦୁଇଚକିଆ ଯାନ ଓ ବିଭିନ୍ନ ଛୋଟ ମାଲବୁହା ଗାଡ଼ି ସାମିଲ ରହିଛି। ଯେଉଁମାନଙ୍କ ପାଖରେ ବୈଧ କାଗଜପତ୍ର ନାହିଁ, ସେମାନଙ୍କ ଗାଡ଼ିକୁ ସିଧାସଳଖ ଜବତ କରାଯାଉଛି।
ବିନା ହେଲମେଟ୍ ଏବଂ ବେପରୁଆ ଗାଡ଼ି ଚାଳନା କରୁଥିବା ଅମାନିଆଙ୍କ ବିରୋଧରେ ମଧ୍ୟ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କେବଳ ଜୋରିମାନା ଦେଇ ଖସିଯିବାର ବାଟ ଏବେ ବନ୍ଦ। ନିୟମ ଭାଙ୍ଗିଲେ ସିଧା ଗାଡ଼ି ଜବତ ହେଉଛି।
ଆଗାମୀ ଦିନରେ ଏହି ଚେକିଂ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।