କାମାକ୍ଷାନଗର: ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଏଭଳି ଅଭିଯୋଗ ଆସିଛି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ । ଜୀବିତ ରୋଗୀଙ୍କୁ ଚିକିତ୍ସା ନକରି ଡାକ୍ତର ମୃତ ଘୋଷଣା କରିଥିବା ଅଭିଯୋଗ ପରେ ରୋଗୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ପରିବାର ଲୋକ ।
ସୂଚନାଯୋଗ୍ୟ, ପରଜଙ୍ଗ ଥାନା ବସୁଲେଈ ଗାଁର ଚୈତନ୍ୟ ପରିଡା କୋଳି ତୋଳୁଥିବା ବେଳେ ଅସାଵଧାନତ କାରଣରୁ ଗଛରୁ ଖସି ପଡ଼ିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ରୋଗୀ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କାମାକ୍ଷାନଗର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ।
ହେଲେ ଡାକ୍ତର ସେଠାରେ ତାଙ୍କର ଚିକିତ୍ସା ନକରି ମୃତ ଘୋଷଣା କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପରେ ଚୈତନ୍ୟ ପରିଡାଙ୍କୁ ତାଙ୍କ ଘରେ ଲୋକ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।