ଭୁବନେଶ୍ଵର: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ଲାଗିଲା ରୋକ୍। ପୁରୀ ଜିଲ୍ଲାପାଳଙ୍କ ଚିଠି ପରେ ରାଜସ୍ଥାନରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରାଗଲା। ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍। ଗତକାଲି ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ ପୁରୀ ଜିଲ୍ଲାପାଳ। ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଅନୁରୋଧ କରିଥିଲେ ଜିଲ୍ଲାପାଳ।
ରାଜସ୍ଥାନ ସିକରରେ ଆଜି ରଥଯାତ୍ରା ହୋଇଥାନ୍ତା। ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିଲା। ରାଜସ୍ଥାନର ସିକର ଜିଲ୍ଲାପାଳଙ୍କୁ ଉପ-ମୁଖ୍ୟ ପ୍ରଶାସକଙ୍କ ଚିଠି ଲେଖିଥିଲେ। ଏଥିସହିତ ରାଜସ୍ଥାନର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଏହାପରେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ରୋକିବାକୁ ସିକର ତହସିଲଦାର ଖାଟୁଶ୍ୟାମ ମଣ୍ଡଳକୁ ଅନୁରୋଧ କରିଛନ୍ତି। ସନାତନ ଧର୍ମ ଓ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ ପାଇଁ ଅନୁରୋଧ କରିଛନ୍ତି।
ଧାର୍ମିକ ଭାବନାକୁ ଆଘାତରୁ ବଞ୍ଚାଇବା ସହ ଜିଲ୍ଲାରେ ଶାନ୍ତି ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି । ସିକର ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶିଷ ମୋଦି ଅଫିସିଆଲ୍ ଚିଠି ଜରିଆରେ ପୋଲିସକୁ ତୁରନ୍ତ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଏହା ସହିତ ଦାନ୍ତାରାମଗଡ଼ର ସବ୍-ଡିଭିଜନାଲ ଅଫିସରଙ୍କୁ ମଧ୍ୟ ଏହି ନିର୍ଦ୍ଦେଶର କପି ପଠାଯାଇ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଯେକୌଣସି ଉତ୍ସବ ଆୟୋଜନ କରିବା ସମୟରେ ସମସ୍ତ ସଂଗଠନ ଶାସ୍ତ୍ରୀୟ ନୀତି ଓ ପାରମ୍ପରିକ ପଞ୍ଜିକାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରନ୍ତୁ, ନଚେତ୍ ଆଗକୁ ମଧ୍ୟ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
Comments are closed.