Latest Odisha News

BREAKING NEWS

ବାଦାମ ଚାଷୀଙ୍କୁ ଲୁଟିଲେ ଦଲାଲ: ଚାଷୀ ଫସଲ ବିକିଲେ ମିଳିପାରୁନି ଟଙ୍କା

ମାଲକାନଗିରି: ବାଦାମ ଚାଷୀଙ୍କୁ ଠକିଦେଲେ ଦଲାଲ । ବାଦାମ କିଣିନେଲେ କିନ୍ତୁ ଟଙ୍କା ଦେଲେନି । ଗରିବ ଚାଷୀ ବାରମ୍ବାର କହିବା ପରେ ଟଙ୍କା ନପାଇବାରୁ ଏବେ କଣ କରିବେ ମୁଣ୍ଡରେ ହାତ ମାରି ବସିଛନ୍ତି । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଏମ ଭି 31 ଓ 32 ନମ୍ବର ଗ୍ରାମରୁ ଏଭଳି ଅଭିଯୋଗ ଆସିଛି । ଗାଁର ନିର୍ମଳ କବିରାଜ ଏବଂ ଗଣେଶ ସରକାର ବହୁ ପରୀଶ୍ରମ କରି ବାଦାମ ଚାଷ କରିଥିଲେ  । ଆଶା କରିଥିଲେ କିଛି ଟଙ୍କା ରୋଜଗାର ହେଲେ ସାହୁକାର ବାକି ସୁଝିବେ ଏବଂ   ପରିବାର ପାଇଁ ତେଲ ଲୁଣ ସଂଚାର ଚଳାଇବେ । କିନ୍ତୁ ସବୁ ଆଶା ଆଶାରେ ରହିଗଲା । କିଛି ଦଲାଲଙ୍କ ଆଖି ତାଙ୍କ ବାଦାମ ଚାଷ ଉପରେ ପଡିଲା ପରେ ସେମାନେ ଠକାମିର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।

ଚାଷୀଙ୍କ ଅଭିଯୋଗ ଅନୁସାରେ ପ୍ରଥମେ ସେମାନ ବାଦାମ ମଣ୍ଡିରେ ବାଦାମ ବିକିବାକୁ ଚାହିଁ ବିଫଳ ହୋଇଥିଲେ । ଆଉ ତାପରେ ତାଙ୍କଠାରୁ ବାଦାମ କିଣିବା ପାଇଁ  ପଛରେ ପଡିଯାଇଥିଲେ ଦଲାଲ ।  କରୁକୋଣ୍ଡା ବ୍ଲକ ଏମ ଭି 31 ଓ 32 ଗ୍ରାମରେ ବାଦାମ ଚାଷ କରିଥିବା କିଛି ଚାଷୀ ସେମାନଙ୍କ ବାଦାମ ମଣ୍ଡିରେ ବିକ୍ରି କରିିବାକୁ ଚାହିଁ ପରେ ବିକ୍ରିକରିପାରିନଥିଲେ । ପରେ ସେମାନେ ଏମଭି 29 ଗ୍ରାମର ପରେଶ ବିଶ୍ୱାସ ନାମକ ଜଣେ ବ୍ୟବସାୟୀ (ଦଲାଲ) କୁ ଉତ୍ପାଦନ କରିଥିବା  ବାଦାମ ବିକ୍ରି କରିଥିଲେ । ତେବେ ପରେଶ ଟଙ୍କା ଦେବ ଦେବ କହି ଆଉ ଦେଉନାହିଁ । ପରେ ଜଣାପଡିଛି ପରେଶ  ଦଲାଲ ଭାବେ ସେମାନଙ୍କୁ ଠକି ଦେଇଛି । ଏବେ ଚାଷୀମାନେ ନିଜ ଟଙ୍କା ପାଇନଥିବାରୁ କିପରି  ଋଣ ସୁଜିବେ ସେ ଚିନ୍ତାରେ ଜୀବନ ବିତାଉଛନ୍ତି ।

ଏହା କେବଳ ଦୁଇଜଣ ଚାଷୀଙ୍କ ଅଭିଯୋଗ ନୁହେଁ  । ଜିଲ୍ଲାରେ ଏପରି ଅନେକ ଚାଷୀ ଦଲାଲଙ୍କ ଶିକାର ହୋଇ ନିଜ ଫସଲର ମୂଲ୍ୟ ପାଉନାହାଁନ୍ତି । ଆଉ ମାଲକାନଗିରି ଚାଷୀ ବାରମ୍ଭାର ଲୁଟର ଶିକାର ହେଉଛନ୍ତି ।   ରାଜ୍ୟ ଓ କେନ୍ଦ୍ର  ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଚାଷୀଙ୍କ ନିକଟରେ ତାହା ଅପହଁଚ ହୋଇ ରହିଯାଉଛି । ଏହି ଅଭିଯୋଗ ନୂଆ ନୁହେଁ ।  ପ୍ରଥମ କଥା ହେଲା ଚାଷୀମାନେ  ଉତ୍ପାଦନ କରିଥିବା ଫସଲ ମଣ୍ଡିରେ କାହିଁକି ଫସଲ ବିକ୍ରି କରିପାରୁନାହାଁନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ।  ଦଲାଲମାନେ ଚାଷୀଙ୍କୁ ଲୁଟ୍ କରୁଥିବା ବେଳେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଏବେ ପୁଣି ବର୍ଷା ଦିନ ଆସୁଛି । ଚାଷୀମାନେ ଖୁସିରେ କାମ ପାଇଁ କଣ ବାହାରିବେ ରବି ଋତୁରେ ସାହୁକାରମାନଙ୍କ ଠାରୁ  ଆଣିଥିବା ଋଣ ଏଯାଏଁ ସୁଝି ପାରିନାହାଁନ୍ତି । ଏଭଳି ଋଣ ଯନ୍ତାରେ ପଡି କିଛି ଚାଷୀ ପୂର୍ବରୁ ଆତ୍ମହତ୍ୟା ମଧ୍ୟ କରିଛନ୍ତି ।  ତେବେ ଏ ସମ୍ବନ୍ଧରେ ଗ୍ରାମବାସି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ସବୁଠୁ ବଡ଼ କଥା ହେଲା  ବର୍ଷ ବର୍ଷ ଧରି ମାଲକାନଗିରି ଜିଲ୍ଲାର ଚାଷୀମାନେ ଏପରି ଶୋଷଣର ଶିକାର ହେଉଛନ୍ତି ।  ଚାଷ କାମ ଆରମ୍ଭ କରିବାଠୁ ଫସଲ ବିକ୍ରୀ ପ୍ରଯ୍ୟନ୍ତ ଚାଷୀ ମାନେ ସମସ୍ୟାରେ ଜୀବନ ବିତାଉଥିବା ବେଳେ  ଜିଲ୍ଲା ପ୍ରଶାସନ କେବଳ କାଗଜ କଲମରେ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି କରୁଥିବା କହି ବା ବା ନେଉଛି । ତେଣୁ ଜିଲ୍ଲାପ୍ରଶାସନ ଚାଷୀଙ୍କ ଏହି ସମସ୍ୟା ପ୍ରତି ପ୍ରାଥମିକତା ଦେଇ ଦୃଷ୍ଟି ଦେବା ଆବଶ୍ୟକ ରହିଛି ।

Leave A Reply

Your email address will not be published.