ନୂଆଦିଲ୍ଲୀ: ବିଆରଏସ୍ ବିଧାୟିକା ଜି.ଲସ୍ୟା ନନ୍ଦିତାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଆଜି ସକାଳେ ହାଇଦ୍ରାବାଦର ନେହେରୁ ଆଉଟ୍ ରିଙ୍ଗ ରୋଡରେ ତାଙ୍କ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିଧାୟିକାଙ୍କ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା । ବିଧାୟିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜି.ଲସ୍ୟା ନନ୍ଦିତାଙ୍କୁ ୩୭ ବର୍ଷ ହୋଇଥିଲା । ଦୁର୍ଘଟଣାର ଶିକାର ହୋଇଥିବା ବିଧାୟିକାଙ୍କ କାରର ଗୋଟିଏ ଭାଗ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।
ଲସ୍ୟା ନନ୍ଦିତା ୨୦୧୬ ମସିହାରୁ କବାଡିଗୁଡାର କାଉନସିଲର ଥିଲେ। ଲାସ୍ୟାଙ୍କ ବାପା ଜି.ସାୟନା ପାଞ୍ଚ ଥର ବିଧାୟକ ଥିଲେ । ସେ ସିକନ୍ଦରାବାଦ କ୍ୟାଣ୍ଟ ଆସନରୁ ଜିତି ପାଞ୍ଚ ଥର ବିଧାନସଭାରେ ପହଞ୍ଚିଥିଲେ । ହେଲେ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଗତବର୍ଷ ଫେବୃଆରୀ ମାସରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏହାପରେ ନଭେମ୍ୱର ୨୦୨୩ରେ ବିଆରଏସ୍ ଆସନରୁ ଲାସ୍ୟାଙ୍କୁ ଟିକେଟ୍ ଦିଆଯାଇଥିଲା । ସେ ବିଜେପି ପ୍ରାର୍ଥୀଙ୍କୁ ୧୭ ହଜାର ଭୋଟରେ ହରାଇ ନିର୍ବାଚନରେ ବିଜୟୀ ହୋଇଥିଲେ । ଲାସ୍ୟା ପ୍ରଥମ ଥର ପାଇଁ ବିଧାୟିକା ହୋଇଥିଲେ ।
ସୂଚନାେଯାଗ୍ୟ, ଦଶ ଦିନ ପୂର୍ବରୁ ସେ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଏକ ସାଧାରଣ ସଭାରେ ଯୋଗଦେବାକୁ ନାଲଗୋଣ୍ଡା ଯାଉଥିଲେ। ଏହି ସମୟରେ ନାରକେଟପଲ୍ଲୀରେ ଘଟିଥିବା ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଥିଲେ । ତାଙ୍କ ହୋମଗାର୍ଡଙ୍କର ମୃତ୍ୟୁ ହୋଇଥିଲା ।
Comments are closed.