ବଜେଟ୍-୨୦୨୫: ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ବ; ସମସ୍ତ ଜିଲ୍ଲା ହସ୍ପିଟାଲରେ ଡେକେୟାର କ୍ୟାନସର ସେଣ୍ଟର ପ୍ରତିଷ୍ଠା ହେବ
ନୂଆଦିଲ୍ଲୀ: ବଜେଟ୍-୨୦୨୫-୨୬ରେ ଆଗାମୀ ୩ ବର୍ଷରେ ସମସ୍ତ ଜିଲ୍ଲାରେ ଡେ କେୟାର କ୍ୟାନସର ସେଣ୍ଟର ଡାକ୍ତରଖାନା ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି ସରକାର । ଦେଶରେ ଚଳିତ ବର୍ଷ ୨୦୦ ଡେ କେୟାର କ୍ୟାନସର ସେଣ୍ଟର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ।
ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ପାଖାପାଖି ୧ କୋଟି ଠିକା କର୍ମଚାରୀ ଚିକିତ୍ସାର ଲାଭ ପାଇବେ । ଆଗାମୀ ବର୍ଷରେ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦ ହଜାର ସିଟ୍ ଦିଆଯିବା ସହ ଆଗାମୀ ୫ ବର୍ଷରେ ଏହା ୭୫ ହଜାରକୁ ବୃଦ୍ଧି ପାଇବ ବୋଲି ଘୋଷଣା କରିଛନ୍ତି ।
ଆଗାମୀ ୧୦ ବର୍ଷରେ ଡାକ୍ତରୀ ଶିକ୍ଷା ପାଇଁ ୧୩୦ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୟୁଜି-ପିଜି ସିଟ୍ ଦିଆଯିବାକୁ ଯୋଜନା କରାଯାଇଛି । ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେହିପରି ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି ଯେ, କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ଦୂରାରୋଗ୍ୟ ରୋଗ ପାଇଁ ଦରକାର ପଡ଼ୁଥିବା ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ । ଏହି ଔଷଧ ଗୁଡିକ ଉପରୁ ସମ୍ପୂର୍ଣ୍ଣ ରୂପେ ସୀମା ଶୁଳ୍କ ଛାଡ଼ କରାଯିବ । ଅନ୍ୟ କିଛି ଔଷଧ ଉପରୁ ଆଂଶିକ ରୂପେ ସୀମା ଶୁଳ୍କ ଛାଡ଼ କରାଯିବ ବୋଲି ।
Comments are closed.