Latest Odisha News

BREAKING NEWS

ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କ୍ୟାବିନେଟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ନିୟମିତ ଭାବେ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ନିୟମିତ ଭାବେ ସମୀକ୍ଷା କରାଯାଉଛି । ବର୍ତମାନ ସୁଦ୍ଧା କ୍ୟାବିନେଟ ସଚିବ ୪ଟି ବୈଠକ ଆୟୋଜନ କରିସାରିଲେଣି । ଆଜି ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ସ୍ୱରାଷ୍ଟ୍ର, ବେସାମରିକ ବିମାନ ଚଳାଚଳ, ସୂଚନା ଓ ପ୍ରସାରଣ, ଶ୍ରମ ଓ ନିଯୁକ୍ତି ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟ ସହିତ ଏହି ଭୂତାଣୁର ମୁକାବିଲା ସ୍ଥିତି ସମୀକ୍ଷା କରିଥିଲେ ।

ଏହି ଅବସରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ମଧ୍ୟ କ୍ୟାବିନେଟ ସଚିବ ଆଲୋଚନା କରିଥିଲେ । କ୍ୟାବିନେଟ ସଚିବଙ୍କ ଆଜିର ବୈଠକରେ ନିମ୍ନୋକ୍ତ ନୂତନ ପଦକ୍ଷେପ ଗ୍ରହଣ କରାଯିବା ଲାଗି ନିର୍ଣ୍ଣୟ ହୋଇଥିଲା :
-୧୫ ଜାନୁଆରୀ, ୨୦୨୦ ପରେ ଚୀନରୁ ଆସିଥିବା ସମସ୍ତ ଯାତ୍ରୀଙ୍କର ରକ୍ତ ନମୁନା ପରୀକ୍ଷା କରାଯିବ, କାରଣ ଏହି ସମୟ ପରେ କରୋନା ଭୂତାଣୁ ଅଧିକ ମାତ୍ରାରେ ବ୍ୟାପିବା ଆରମ୍ଭ କରିଥିଲା ।

-ଚୀନରୁ ଫେରିଥିବା ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଘର ଭିତରେ ଅଲଗା କରି ରଖିବା ଉପରେ କ୍ୟାବିନେଟ ସଚିବ ଜୋର ଦେଇଥିଲେ ।

-ଚୀନ ଯାତ୍ରାକୁ ଏଡ଼ାଇବା ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଥିଲା ।

-ସେହିପରି ନମୁନା ପରୀକ୍ଷାଗାର ବୃଦ୍ଧି ଲାଗି ମଧ୍ୟ ନିଷ୍ପତି ନିଆଯାଇଥିଲା । ଅଧିକ ୬ଟି ପରୀକ୍ଷାଗାର ଆଜି ଠାରୁ କାର୍ଯ୍ୟକ୍ଷମ ହେବ : ଏନଆଇଭି ବେଙ୍ଗାଲୁରୁ ୟୁନିଟ, ବେଙ୍ଗାଲୁରୁ ଫୋର୍ଟସ୍ଥିତ କେଆର ରୋଡ ଭିକ୍ଟୋରିଆ ହସ୍ପିଟାଲ କ୍ୟାମ୍ପସ, ନୂଆଦିଲ୍ଲୀ ଏମ୍ସ, ଦିଲ୍ଲୀ ଏନସିଡିସି, ମୁମ୍ବାଇସ୍ଥିତ ସଂକ୍ରାମକ ରୋଗ ପାଇଁ କସ୍ତୁରବା ହସ୍ପିଟାଲ, ଏନଆଇଭି କେରଳ ୟୁନିଟ ।

-ସେହିପରି ଆସନ୍ତାକାଲି ଅର୍ଥାତ ୩୧ ତାରିଖ ଠାରୁ ଅଧିକ ୬ଟି ପରୀକ୍ଷାଗାର କାର୍ଯ୍ୟକ୍ଷମ ହେବ । ଏଗୁଡ଼ିକ ହେଲା- କୋଲକାତା ଏନଆଇସିଇଡିର ଆଇସିଏମଆର, ସିକନ୍ଦରାବାଦସ୍ଥିତ ଜିଏମସି, ଲକ୍ଷ୍ନୌର କେଜିଏମୟୁ, ଜୟପୁରର ଏସଏମଏସ, ନାଗପୁରସ୍ଥିତ ଆଇଜିଜିଏମସି, ଚେନ୍ନାଇର କେଆଇପିଏମଆର ।

-ଡିଜିଏଚଏସ ଦ୍ୱାରା ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଡିସଚାର୍ଜ ପୋର୍ଟାଲକୁ ପ୍ରସାରିତ କରାଯାଉଛି ।

-ଉନ୍ନତ ନିରୀକ୍ଷଣ ପାଇଁ ଉପଯୁକ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ତନଖି ଫାଟକ ପ୍ରତିଷ୍ଠା କରିବା ଲାଗି ନିଷ୍ପତି ନିଆଯାଇଛି ।

-ଲୋକମାନଙ୍କୁ ରୋଗର ଲକ୍ଷଣ, ନିରାକରଣ ଓ ଜରୁରି ପଦକ୍ଷେପ ବିଷୟରେ ଅଧିକ ସଚେତନ କରିବା ଲାଗି ଗ୍ରାମପଂଚାୟତ ବୈଠକ ଆୟୋଜନ କରାଯାଉଛି । ନେପାଳ ସୀମାକୁ ଲାଗି ରହିଥିବା ଗ୍ରାମଗୁଡ଼ିକରେ ନୋଭେଲ କରୋନା ଭୂତାଣୁର ନିରାକରଣ ଓ ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ପଦକ୍ଷେପ ଗ୍ରହଣ କରାଯାଇଛି ।

-ନିୟନ୍ତ୍ରଣ କକ୍ଷ ଖୋଲିବା ସହିତ ନୋଡାଲ ଅଧିକାରୀ ନିଯୁକ୍ତ କରିବା ଏବଂ ନିୟନ୍ତ୍ରଣ କକ୍ଷର ନମ୍ବରର ପ୍ରଚାରିତ କରିବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ।

-ସମ୍ପୃକ୍ତ ରାଜ୍ୟଗୁଡ଼ିକ ଦ୍ୱାରା ସ୍ଥାନୀୟ ଭାଷାରେ ସୂଚନା ଦିଆଯାଇ ଲୋକମାନଙ୍କୁ ସଚେତନ କରିବା ଲାଗି ନିଷ୍ପତି ନିଆଯାଇଛି ।

ସ୍ଥିତି :

୩୦ ଜାନୁଆରୀ, ୨୦୨୦ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଚୀନର ୩୧ଟି ପ୍ରାନ୍ତରେ ୭୭୧୧ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୭୦ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୧୩୭୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୧୨୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୨୧୬୭ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ରୁଗଣ ବୟସ୍କ ଅଛନ୍ତି ।

ଅନ୍ୟ ୨୧ଟି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥାଇଲ୍ୟାଣ୍ଡ ୧୪, ସିଙ୍ଗାପୁର ୧୦, ଅଷ୍ଟ୍ରେଲିଆ ୫, ଆମେରିକା ୫, ଜାପାନ ୮, ଦକ୍ଷିଣ କୋରିଆ ୪, ମାଲେସିଆ ୭, ଫ୍ରାନ୍ସ ୪, ଭିଏତନାମ ୨, କାନାଡା ୨, ନେପାଳ ୧, କାମ୍ବୋଡିଆ୧, ଶ୍ରୀଲଙ୍କା ୧, ଜର୍ମାନୀ ୪, ୟୁଏଇ ୪, ହଂକଂ ୧୦, ମାକାଓ ୭, ତାଇୱାନ ୮, ଫିନଲ୍ୟାଣ୍ଡ ୧, ଆଙ୍ଗୋଲା ୧ ଓ ଭାରତର ଜଣେ କରୋନା ଭୂତାଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ଚୀନର ଉହାନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା କେରଳର ଜଣେ ଛାତ୍ର ନୋଭେଲ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଠାରେ ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଅଲଗା ରଖାଯାଇ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯିବା ସହ ତାଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ।

୨୧ଟି ବିମାନ ବନ୍ଦରରେ ଯାଂଚ ତଥ୍ୟ

ଯାଂଚ ହୋଇଥିବା ମୋଟ ବିମାନ ସଂଖ୍ୟା : ୨୩୪
ଯାଂଚ ହୋଇଥିବା ଯାତ୍ରୀଙ୍କ ସଂଖ୍ୟା : ୪୩୩୪୬

ପରୀକ୍ଷାଗାର ସହାୟତା :

ସନ୍ଦିଗ୍ଧ କରୋନା ଭାଇରସ ନମୁନା ପରୀକ୍ଷା ଲାଗି ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଇଛି ।
୫ହଜାର ନମୁନା ପରୀକ୍ଷା ପାଇଁ ଏନଆଇଭି, ପୁଣେରେ ଯଥେଷ୍ଟ ସଂଖ୍ୟକ ପରୀକ୍ଷକଙ୍କୁ ନିୟୋଜିତ କରାଯାଇଛି ।
ବର୍ତମାନସୁଦ୍ଧା ଏନଆଇଭିକୁ ୪୯ଟି ସନ୍ଦିଗ୍ଧ ନମୁନା ଆସିଥିବା ବେଳେ ସେଥିରୁ ୪୮ଟି ନେଗେଟିଭ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.