Latest Odisha News

BREAKING NEWS

‘ଆଇଆଇଏମ୍‍ସି’ରେ ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ମନୋଗ୍ରାଫ୍‍ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ମହାତ୍ମ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ । ସାଧାରଣ ଲୋକଙ୍କ ସମସ୍ୟାକୁ ଖବରକାଗଜ ମାଧ୍ୟମରେ ଉପସ୍ଥାପନ କରୁଥିଲେ ଗାନ୍ଧୀ । ତାଙ୍କ ଭାଷା ଥିଲା ଅତି ସାଧାରଣ ଓ ସ୍ପଷ୍ଟ । ଏହାସହ ଜଣେ ଉଚ୍ଚକୋଟୀର ଉନ୍ନୟନମୂଳକ ସାମ୍ବାଦିକ ଭାବେ ସେ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ବର୍ତ୍ତମାନ ପିଢ଼ିର ସାମ୍ବାଦିକମାନେ ଗାନ୍ଧିଜୀଙ୍କ ସାମ୍ବାଦିକତା ମାର୍ଗକୁ ଆପଣାଇପାରିଲେ ସମୃଦ୍ଧ ଦେଶ ଗଠନରେ ଏହା ଖୁବ୍‍ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ଉନ୍ମୋଚିତ ହୋଇଛି । ସଂସ୍ଥାନର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ସମ୍ବିତ ପାଲ ଓ ଆକାଡେମିକ୍‍ କୋର୍ଡିନେଟର ଜିତେନ୍ଦ୍ର ପତି ମନୋଗ୍ରାଫ୍‍ଟିକୁ ସଂସ୍ଥାନର ଟେଲିଭିଜନ୍‍ ଷ୍ଟୁଡିଓରୁ ପ୍ରସାରିତ ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଉନ୍ମୋଚିତ କରିଛନ୍ତି ।

ଏଥିରେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଅରୁଣ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଦେଶର ବିଶିଷ୍ଟ ଲେଖକ, ଶିକ୍ଷାବିତ, ସାମ୍ବାଦିକ, ଐତିହାସିକଙ୍କ ୨୬ଟି ନିବନ୍ଧ ସ୍ଥାନ ପାଇଛି । ସାମ୍ବାଦିକତା ତଥା ସମ୍ପାଦନା କ୍ଷେତ୍ରରେ ଗାନ୍ଧୀଙ୍କ ଅବଦାନ ତଥା ବିଭିନ୍ନ ଭୂମିକା ନିବନ୍ଧଗୁଡ଼ିକରେ ଆଲୋଚିତ ହୋଇଛି । ମନୋଗ୍ରାଫ୍‍ର ସମ୍ପାଦନା କରିଛନ୍ତି ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଓ କୋଲ୍‍କାତା ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ସ୍ନେହାଶିଷ ସୁର । ନିବନ୍ଧଗୁଡ଼ିକୁ ମୂଳ ଇଂରାଜୀରୁ ଓଡ଼ିଆରେ ଅନୁବାଦ କରିଛନ୍ତି ଆକାଡେମିକ ଆସିଷ୍ଟାଣ୍ଟ ପଦ୍ମଲୋଚନ ପ୍ରଧାନ ।
ମନୋଗ୍ରାଫ୍‍ରେ କୋଲକାତାର ଲେଖକ ତଥା ସାମ୍ବାଦିକତା ଶିକ୍ଷକ ସୁବୀର ଘୋଷଙ୍କ ଅଭିଭାଷଣକୁ ରଖାଯାଇଛି ।

ସେ ଗାନ୍ଧୀଙ୍କ ଯୋଗାଯୋଗର ପ୍ରକ୍ରିୟାକୁ ଦୃଷ୍ଟିପାତ କରିଛନ୍ତି । ପ୍ରଫେସର ବି.ପି. ସଞ୍ଜୟ ତାଙ୍କ ନିବନ୍ଧରେ ଗାନ୍ଧୀଙ୍କ ସାମ୍ବାଦିକତାର ମହତ୍ତ୍ୱପୂର୍ଣ୍ଣ ଗୁଣଗୁଡି଼କ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପ୍ରୟାସ କରିଛନ୍ତି । ଐତିହାସିକ ରାମଚନ୍ଦ୍ର ଗୁହା, ଡ. ଅରୁଲ ଆରାମ ଓ ଡ. ଉମା ଶଙ୍କର ପାଣ୍ଡେ ଗାନ୍ଧୀଙ୍କୁ ତିଆରି କରିବାରେ ‘ଇଣ୍ଡିଆନ ଓପିନିୟନ’ର ମହତ୍ତ୍ୱ ସମ୍ପର୍କରେ ଲେଖିଛନ୍ତି ।

ଗାନ୍ଧୀଙ୍କ ଯୋଗାଯୋଗ ରଣନୀତି ସମ୍ପର୍କରେ ଲେଖିଛନ୍ତି ବି.ଏନ୍‍. ପଟ୍ଟନାୟକ । କାଶ୍ମୀରରେ ରହୁଥିବା ମିଡିଆ ଶିକ୍ଷାବିତ୍‍ ଡ. ଜନ୍‍ ବାବୁ ଆରିଷ୍ଟୋଟଲଙ୍କ ଭାଷାତତ୍ତ୍ୱ ଅନୁସାରେ ଗାନ୍ଧୀଙ୍କ ଯୋଗାଯୋଗ ଓ ସାମ୍ବାଦିକତା ଉପରେ ବୁଝିବାକୁ ପ୍ରୟାସ କରିଛନ୍ତି । ପ୍ରଫେସର ଭି.ଏସ୍‍. ଗୁପ୍ତା ନିଜ ନିବନ୍ଧରେ, ଗାନ୍ଧୀ କିପରି ଗଣମାଧ୍ୟମ ସହ ସମ୍ପୃକ୍ତ ହେଲେ, ସାମାଜିକ କୁସଂସ୍କାର ଦୂରୀକରଣ ଓ ସ୍ୱାଧୀନତା ସଂଗ୍ରାମରେ କିପରି ତାକୁ ଗୋଟିଏ ଉପକରଣ ଭାବେ ବ୍ୟବହାର କଲେ, ସେ ବିଷୟରେ ଅନ୍ୱେଷଣ କରିବାକୁ ପ୍ରୟାସ କରିଛନ୍ତି ।

ବରିଷ୍ଠ ସାମ୍ବାଦିକ ବରୁଣ ଦାସ ଗୁପ୍ତା ଗାନ୍ଧୀଙ୍କ ଯୋଗାଯୋଗର କୌଶଳ ଉପରେ ଆଲୋଚନା କରିଛନ୍ତି । ଗାନ୍ଧୀଙ୍କ ମୁଖ୍ୟ ସିଦ୍ଧାନ୍ତ ଅହିଂସାକୁ ସାମ୍ବାଦିକତାରେ କିପରି ଗାନ୍ଧୀ ରୂପ ଦେଇଥିଲେ, ସେ ସମ୍ପର୍କରେ ଗୁରୁତ୍ୱ ଦେଇ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ୟାମଲ ରାୟ । ବରିଷ୍ଠ ଆଇନ୍‍ଜୀବୀ ତଥା ମୁକ୍ତ ସାମ୍ବାଦିକ, ଆଇନ୍‍ ସହ ସାମ୍ବାଦିକ ଭାବେ ଗାନ୍ଧୀଙ୍କ ଲଢ଼େଇ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଦକ୍ଷ ସାମ୍ବାଦିକ ଅମିତ୍‍ ପାଠକ, ଆଗାମୀ ପିଢ଼ିକୁ ଗାନ୍ଧିଜୀ କିପରି ମାର୍ଗଦର୍ଶନ କରିଛନ୍ତି, ସେ ଉପରେ ଆଲୋଚନା କରିଛନ୍ତି । ସ୍ନେହାଶୀଷ ସୁର, ସାମ୍ବାଦିକତାକୁ ଗାନ୍ଧୀଙ୍କ ପ୍ରବେଶକାଳର ଦିନଗୁଡି଼କ ଓ ବିଭିନ୍ନ ଖବରକାଗଜରେ ତାଙ୍କର ସମ୍ପୃକ୍ତି ଉପରେ ଦୃଷ୍ଟିନିକ୍ଷେପ କରିଛନ୍ତି । ଡ. ମୃଣାଳ ଚାଟାର୍ଜୀ ଓ ସମ୍ବିତ ପାଲଙ୍କ ନିବନ୍ଧ ‘ଜଣେ ଖାଦ୍ୟ ଲେଖକରୁ ସାମ୍ବାଦିକ ଓ ରାଜନୈତିକ ଦାର୍ଶନିକ: ଗାନ୍ଧୀରୁ ମହାତ୍ମାକୁ ରୂପାନ୍ତର’ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରେ ।

Leave A Reply

Your email address will not be published.