Latest Odisha News

BREAKING NEWS

ସରିଗଲା ପ୍ରଚାର, ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍

ଭୁବନେଶ୍ୱର: ମହାନଗର ନିଗମ ଏବଂ ପୌର ନିର୍ବାଚନ ପାଇଁ ପ୍ରଚାର ସରିଗଲା କିନ୍ତୁ ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍ ନେତା । ପଞ୍ଚାୟତ ନିର୍ବାଚନର ପରାଜୟ ପରେ ବିଜେପି ମହାନଗର ଏବଂ ପୌର ନିର୍ବାଚନ ଉପରେ ଜୋରଦାର ଫୋକସ କରିବ ଏବଂ ପଞ୍ଚାୟତ ନିର୍ବାଚନର ଭୁଲରୁ ଶିକ୍ଷାଲାଭ କରି ଶାସକ ଦଳକୁ କଡା ଟକ୍କର ଦେବ ବୋଲି କୁହାଯାଉଥିଲା । କାରଣ ସହରରେ ଅଧିକ ସଚେତନ ନାଗରିକ ରୁହନ୍ତି। ଏଠାରେ ଭୋଟ୍ କିଣିବା ସହଜ ନୁହେଁ, କେବଳ ଲୋକଙ୍କୁ କିଏ କେମିତି ବୁଝାଇ ପାରୁଛି ତାହା ହିଁ ବଡ କଥା । ଆଉ ଭୋଟ୍ ହାତେଇବା ପାଇଁ ପ୍ରତ୍ୟେକ ଦଳ ବଡ ବଡ ନେତାଙ୍କୁ ମୈଦାନକୁ ଓହ୍ଲାଇଥାନ୍ତି ।

ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବ ସୁନୀତି ମୁଣ୍ଡଙ୍କ ନାମ ଘୋଷଣା ପରେ ପରେ ବିଜେପିର ପ୍ରଚାରରେ ସେମିତି କୌଣସି ବଡ ବଡିଆଙ୍କୁ ଦେଖିବାକୁ ମିଳିନଥିଲା। ତେଣୁ ବିଜେପି ଏପରି କରି ଶାସକ ଦଳକୁ ଓ୍ୱାକ ଓଭର ଦେବାକୁ ପ୍ରୟାସ କରୁଛି ବୋଲି କୁହାଗଲା । କାରଣ ପ୍ରଚାର ମୈଦାନରେ କେବଳ ସାଂସଦ ଅପରାଜିତା ଷଡଙ୍ଗୀ, ବାବୁ ସିଂ ଏବଂ ଜଗନ୍ନାଥ ପ୍ରଧାନଙ୍କୁ ଛାଡି ଦେଲେ ଆଉ କୌଣସି ନେତାଙ୍କୁ ଦେଖିବାକୁ ମିଳିନଥିଲା। ଯେମିତିକି ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ଇତ୍ୟାଦି ।

ଅନ୍ୟପଟେ ଶାସକ ଦଳ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସଙ୍କ ପାଇଁ ବିଜେଡିର ବିଧାୟକ ଏବଂ ମନ୍ତ୍ରୀମାନେ ଘରକୁ ଘର ବୁଲି ପ୍ରଚାର କରିବା ସହିତ ବିଭିନ୍ନ ସ୍ଥାନରେ ସଭା ସମିତି କରିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ସହିତ କଂଗ୍ରେସ ନେତା ପ୍ରଚାର କରୁଥିବା ଦେଖିବାକୁ ମିିଳିଥିଲା।

ଏହାରି ଭିତରେ ଏକ ଖବର ଆସିଥିଲା ଯେ ପ୍ରଚାର ପାଇଁ ବିଜେପିର ବେବିଓ୍ୱେଟ ଓହ୍ଲାଇବେ । ଏପରି ଖବର ଜରିଆରେ ବିଜେପି ତରଫରୁ ସୂଚନା ଦିଆଯାଇଥିଲା ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ମୈଦାନକୁ ଓହ୍ଲାଇବେ । ତେବେ ପ୍ରଚାର ସରିଗଲା ପଛେ ସେଭଳି କୌଣସି ନେତାଙ୍କୁ ପୌର ଓ ମହାନଗର ନିଗମ ନିର୍ବାଚନରେ ସକ୍ରିୟ ଦେଖିବାକୁ ମିଳିନଥିଲା। ହେଲେ ଇତିମଧ୍ୟରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ରାଜଧାନୀକୁ ଆସି ଏକ ପ୍ରେସମିଟ୍ କରିଥିଲେ । ହେଲେ ସେ ପ୍ରଚାରକୁ ଓହ୍ଲାଇନଥିଲେ। କିନ୍ତୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରଚାର କରିଥିଲେ ।

ମୁଖ୍ୟତଃ ବିଜେପିରେ ଅପରାଜିତା ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ମଧ୍ୟରେ କନ୍ଦଳ ରହିଥିବା କୁହାଯାଉଛି। ଏଥିସହ ଦଳର ନେତୃତ୍ୱକୁ ନେଇ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଥିବାରୁ ବଡ ବଡିଆ ପ୍ରଚାର କରିନଥିବା ସୂଚନା ରହିଛି।

Leave A Reply

Your email address will not be published.