Latest Odisha News

BREAKING NEWS

ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ, ସନ୍ଦେହ ଘେରରେ ଡକ୍ଟରେଟ ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର: ସରିଛି ପ୍ରଚାର, ଏବେ ଅନ୍ଧାରି ବିଜେର ସମୟ । ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପଡିବ ଭୋଟ୍ । କିନ୍ତୁ ପ୍ରଚାର ବେଳେ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ଶିକ୍ଷାଗତ ଯୋଗ୍ୟତା ଏବେ ସନ୍ଦେହ ଘେରକୁ ଆସିଛି । ସୁନୀତି ତାଙ୍କ ନାଁ ପୂର୍ବରୁ ଡକ୍ଚର (Dr) ଲେଖିଛନ୍ତି । ଏହା ସାଧାରଣତଃ ସେଇମାନେ ଲେଖନ୍ତି ଯେଉଁମାନେ ଡାକ୍ତରୀ ପାଠ ପଢିଥାନ୍ତି ଅର୍ଥାତ ଡାକ୍ତର ହୋଇଥିବେ କିମ୍ବା କୌଣସି ବିଷୟରେ ପିଏଚଡି ବା ଡକ୍ଟରେଟ କରିଥିଲେ Dr ଲେଖିପାରେବି । ହେଲେ ସୁନୀତି ଜଣେ ସାମ୍ବାଦିକା, ଲେଖିକା ହୋଇଥିବା ବେଳେ କେଉଁ ବିଷୟରେ ପିଏଚଡି କରିଛନ୍ତି ତାହା ଅସ୍ପଷ୍ଟ ରହିଛି ।

ପ୍ରଚାର ବେଳେ, ମେୟର ପ୍ରାର୍ଥୀ ଘୋଷଣା ବେଳେ ସୁନୀତିଙ୍କ ନାମ ପୂର୍ବରୁ ଦଳୀୟ ନେତା. କର୍ମୀ ଡକ୍ଚର ସୁନୀତି ମୁଣ୍ଡ ବୋଲି ସମ୍ବୋଧନ କରିଥିବା ଦେଖିବାକୁ ମିିଳିଛି । କିନ୍ତୁ ଦଳ ଓ ଦଳର ନେତା ସୁନୀତିଙ୍କ ନାଁ ପୂର୍ବରୁ ଡକ୍ଚର ବୋଲି ସମ୍ବୋଧନ କରିବା କେତେ ଯୁକ୍ତିଯୁକ୍ତ ତାହା ଏବେ ପ୍ରଶ୍ନବାଚୀ । ନା ନିର୍ବାଚନ ବେଳେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ସୁନୀତି Dr ନାଁ ବ୍ୟବହାର କରି ଜଣେ ଉଚ୍ଚ ଶିକ୍ଷିତ ମହିଳାର ପରିଚୟ ଦେଇ ଭୋଟ୍ ହାତେଇବାକୁ ପ୍ରୟାସ କରିଛନ୍ତି କି ? ଯଦି ଭୋଟ୍ ପଡିଲେ ସେ ବିଜୟୀ ହୁଅନ୍ତି ତାହାଲେ ସେ ରାଜଧାନୀର ପ୍ରଥମ ନାଗରିକ ହେବେ । କିନ୍ତୁ ଜଣେ ପ୍ରଥମ ନାଗରିକ ହେବାକୁ ଯାଉଥିବା ନେତ୍ରୀ ଲୋକଙ୍କୁ ନିଜ ଶିକ୍ଷାଗତ ଯୋଗ୍ୟତା ବାବଦରେ ଅସ୍ପଷ୍ଟ ରଖିବା କେତେ ଯୁକ୍ତିଯୁକ୍ତ ?

ସୁନୀତି କେଉଁ ବିଷୟରେ ପିଏଚଡି କରିଛନ୍ତି ଜାଣିବା ପାଇଁ ଓଡିଶା ସମ୍ବାଦର ତରଫରୁ ଯୋଗାଯୋଗ କରାଯାଇଥିଲା । ହେଲେ ସୁନୀତି ପ୍ରଚାର ଶେଷ ହୋଇଗଲା ପଛେ କୌଣସି ଉତ୍ତର ରଖିନାହାନ୍ତି । ଏପରିକି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯିଏକି ସୁନୀତିଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ତାଙ୍କୁ ମଧ୍ୟ ସୁନୀତିଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗରେ ପଚରାଯାଇଥିଲା। ଜବାବରେ ଅପରାଜିତା କହିଥିଲେ, ମୁଁ ସୁନୀତିଙ୍କୁ ଏ ବାବଦରେ ପଚାରିବା ପରେ ଜଣେଇବେ ।

ତେବେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଆମେ ସୁନୀତିଙ୍କର ସୋଶିଆଲ ମିଡିଆ ପ୍ରୋଫାଇଲ ଚେକ୍ କରିଥିଲୁ। ଫେସବୁକ ପେଜରେ ସେ Dr ବ୍ୟବହାର କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି, କଳାହାଣ୍ଡିର ଭବାନୀପାଟଣା କଲେଜରୁ 1996ରୁ 1998 ମଧ୍ୟରେ ସେ ପିଏଚଡି କରିଛନ୍ତି । କିନ୍ତୁ ବଡ କଥା ହେଲା ସେହି କଲେଜରେ ଏଯାବତ ଡିଗ୍ରୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ରିହଛି । ପିଜି ପାଠ୍ୟକ୍ରମ ନାହିଁ କି ମେଡିକାଲ ପାଠ୍ୟକ୍ରମ ମଧ୍ୟ ନାହିଁ ।

ତେଣୁ ଜଣେ ମେୟର ପ୍ରାର୍ଥୀ, ଯିଏକି ଅନେକ ବହି ଲେଖିଛନ୍ତି , ସମାଜର ବୁଦ୍ଧିଜୀବୀ ବୋଲି ଚିତ୍ରଣ କରୁଛନ୍ତି, ସେ କେଉଁ ଆଧାରରେ ନିଜ ନାଁ ପୂର୍ବରୁ Dr ବୋଲି ଉଲ୍ଲେଖ କରୁଛନ୍ତି ତାହା ଏବେ ବଡ ପ୍ରଶ୍ନ ।

Leave A Reply

Your email address will not be published.