ଭୁବନେଶ୍ବର: ବିଜେଡି ଗଠନ ପରଠୁ ଅନୁଗୁଳରେ ହୋଇଛି ଶଙ୍ଖନାଦ। ଲଗାତର ୫ଥର ହେଲା ଅନୁଗୁଳରେ ଜିତିଆସୁଛି ବିଜେଡି । ୪ଥର ଜିତିଛନ୍ତି ରଜନୀକାନ୍ତ ସିଂହ। ଏଥର ରଜନୀକାନ୍ତଙ୍କ ଜାଗାରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ବିଜେଡି ଗଡରେ ପଦ୍ମ ଫୁଟାଇବାକୁ ଜୋରଦାର ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ । କଂଗ୍ରେସରୁ ମଇଦାନରେ ରହିଛନ୍ତି ଅମ୍ବିକା ପ୍ରସାଦ ଭଟ୍ଟ। ତେବେ କାହାକୁ ନେତା ବାଛିବ ଅନୁଗୁଳ ?
ସଂଯୁକ୍ତା ପ୍ରାର୍ଥୀ ରଜନୀକାନ୍ତଙ୍କ ରଣନୀତି
୪ଥର ଜିତିଥିବା ରଜନୀକାନ୍ତ ସିଂହଙ୍କର ଅନୁଗୁଳରେ ଦବଦବା ରହିଛି । ଏଥର ପତ୍ନୀ ସଂଯୁକ୍ତା ପ୍ରାର୍ଥୀ ହୋଇଥିଲେ ବି ତାଙ୍କ ପାଇଁ ବିଜୟ ଗଣିତ କଷୁଛନ୍ତି ରଜନୀକାନ୍ତ । ନିର୍ବାଚନ ତାରିଖ ଘୋଷଣାର କିଛି ମାସ ପୂର୍ବରୁ ସେ ଉପବାଚସ୍ପତି ପଦ ଛାଡିଥିଲେ। ଏପରିକି ରଜନୀକାନ୍ତଙ୍କୁ ଟିକେଟ୍ ନଦେବାକୁ ବିଜେଡିର ଏକ ଗୋଷ୍ଠୀ ଲବି ଚଳାଇଥିବା ବି ଚର୍ଚ୍ଚା ହୋଇଥିଲା। ଦୁଇ ପିଢି ଧରି ଅନୁଗୁଳକୁ ଦଖଲରେ ରଖିଥିବା ଏହି ପରିବାର ବାହାରୁ କାହାକୁ ଟିକେଟ୍ ଦେବାକୁ ଚାପ ପଡୁଥିଲା । ତେବେ ଶେଷରେ ସଂଯୁକ୍ତାଙ୍କୁ ହିଁ ପ୍ରାର୍ଥୀ କରିଛି ବିଜେଡି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା । ହେଲେ ସଞ୍ଜୁକ୍ତାଙ୍କ ପାଇଁ ସହଜ ହେବନି ବିଧାନସଭା ଲଢେଇ । ଅସନ୍ତୁଷ୍ଟଙ୍କୁ ମନାଇ ନିଜ ସପକ୍ଷରେ ଆଣିବା ଚ୍ୟାଲେଞ୍ଜ ହେବ ।
ବିଜେପି ଫୋକସରେ ଅନୁଗୁଳ
ଅନୁଗୁଳ ଜିଲ୍ଲାର ୫ଟି ଓ ଢେଙ୍କାନାଳ ଜିଲ୍ଲାର ୪ଟି ବିଧାନସଭା ଆସନ ବିଜେଡି ହାତରେ ରହିଛି । ତେଣୁ ଶଙ୍ଖ ଗଡ଼ରେ ପଦ୍ମ ଫୁଟାଇବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୁଳରେ ବିଜେଡି ସରକାର ଉପରେ ବର୍ଷିଛନ୍ତି । ବିଜେଡି ଶାସନରେ ଓଡିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ । ଓଡିଶା ବରବାଦିର କାରଣ ବିଜେଡି ସରକାର ବୋଲି ମୋଦି କହିଛନ୍ତି। ମୋଦିଙ୍କ ଗସ୍ତ ବିଜେପି ଭୋଟବ୍ୟାଙ୍କକୁ ମଜଭୂତ କରିପାରେ । ଗତ ନିର୍ବାଚନରେ ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ ବିଜେଡିକୁ ଭଲ ଫାଇଟ୍ ଦେଇଥିଲେ । ପ୍ରତାପ ୨୦୧୪ରେ କଂଗ୍ରେସ ଓ ୨୦୧୯ରେ ବିଜେପିରୁ ଲଢିଛନ୍ତି । କ୍ରମାଗତ ଭାବେ ତାଙ୍କ ଭୋଟ୍ ବଢିଛି । ତେଣୁ ବିଜେଡିର ବିଜୟ ରଥରେ ବ୍ରେକ୍ ମାରିପାରନ୍ତି ପ୍ରତାପ।
ଗଡ଼ ରକ୍ଷା ପାଇଁ ବିଜେଡି ବ୍ଲୁପ୍ରିଣ୍ଟ
ବିଜେପି ଅନୁଗୁଳ ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ କରୁଥିବା ବେଳେ ଗଡ ରକ୍ଷା ପାଇଁ ପ୍ରଚାର ମଇଦାନକୁ ନିଜେ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଏସକେଓ୍ବାଇ, ମିଶନ ଶକ୍ତି ହେଉ କି ଲକ୍ଷ୍ମୀ ବସ୍, ଫାଇଭ୍-ଟି ସ୍କୁଲ ରୂପାନ୍ତରଣ । ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାର ସୁଫଳ ଗଣାଇବା ସହ ବିରୋଧୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ନବୀନ । ବିରୋଧୀ ଦଳ ନେତା କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି ବିଜେଡି ସପକ୍ଷରେ ଭୋଟ୍ ମାଗିଛନ୍ତି ।
କମିଛି କଂଗ୍ରେସ ବଢିଛି ବିଜେପି
ଅନୁଗୁଳରେ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ହେଉଥିବା ବେଳେ କଂଗ୍ରେସ ଭୋଟ୍ ନିର୍ଣ୍ଣାୟକ ହୋଇପାରେ । କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇ ବିପ୍ଳବ ଜେନା ବିଜେଡିରେ ସାମିଲ ହୋଇଛନ୍ତି । ତେଣୁ କିଛି ପରିମାଣରେ କଂଗ୍ରେସ ଭୋଟ୍ ଏଥର ବିଜେଡିକୁ ଯାଇପାରେ। ୨୦୦୯ରେ ବିଜେଡି ବିଜେପି ମେଣ୍ଟ ଭାଙ୍ଗିବା ପରଠୁ ବିଜେପି ଅନୁଗୁଳରେ ପ୍ରାର୍ଥୀ ଦେଉଛି । କ୍ରମାଗତ ଭାବେ ବିଜେପି ଭୋଟ୍ ପର୍ସେଣ୍ଟେଜ୍ ବଢିଥିବା ବେଳେ ଦୁର୍ବଳ ହୋଇଛି କଂଗ୍ରେସ। ତେବେ ଏଥର କଂଗ୍ରେସ ଭୋଟ୍ ଦଳରେ ରହିବ ନା ଅନ୍ୟ ଦଳକୁ ଯିବ, ତାଉପରେ ନଜର ରହିଛି । ବିଜେଡିର ଅଭେଦ୍ୟ ଦୁର୍ଗ ଭାଙ୍ଗିବାକୁ ବିଜେପିର ମୋଦି ହାଓ୍ବା କେତେ ସଫଳ ହେବ ?
Comments are closed.