Latest Odisha News

ସୁପ୍ରିମ ଆଶ୍ୱସ୍ତି ପରେ ବାସହରା ରାହୁଲଙ୍କ ବଙ୍ଗଳାକୁ ନେଇ ବଢ଼ିଲା ସସପେନ୍ସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀ ଲୋକସଭାର ସଦସ୍ୟତା ପୁଣି ଫେରି ପାଇବେ। ଲୋକସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା ପରେ ସାଂସଦ ଭାବେ କାର୍ଯ୍ୟକ୍ଷେତ୍ରକୁ ଫେରିବା ସହ ପୁଣି ଥରେ ସାଂସଦ ହେବେ ରାହୁଲ। ଏଥିସହ ଆଗାମୀ ନିର୍ବାଚନ ମଧ୍ୟ ଲଢ଼ିପାରିବେ। କିନ୍ତୁ ସେ ସାଂସଦ ହେବା ପରେ ସରକାରୀ ବଙ୍ଗଳା ଫେରି ପାଇବେ ନା ନାହିଁ ସେ ନେଇ  ସମସ୍ତଙ୍କ ମନରେ ପ୍ରଶ୍ନ। ୧୨ ତୁଗଲକ ଲେନରେ କଂଗ୍ରେସ ନେତା ୧୯ ବର୍ଷ ଧରି ନିରନ୍ତର ରହି ଆସୁଥିଲେ। ସେ ପୁଣିଥିରେ ସେହି ସମାନ ବଙ୍ଗଳା ପାଇବେ ନା ନାହିଁ ସେନେଇ ନେଇ ବଢ଼ିଲା ସସପେନ୍ସ।

୨୦୧୯ ଲୋକସଭା ନିର୍ବାଚନ ବେଳେ ଏପ୍ରିଲ୍ ୧୩ ରେ କର୍ଣ୍ଣାଟକର କୋଲାରଠାରେ ରାହୁଲ ଗାନ୍ଧୀ ଏକ ରାଲିରେ ଭାଷଣ ଦେଇ ମୋଦୀ ସାଙ୍ଗିଆକୁ ନେଇ କଟାକ୍ଷ କରିଥିଲେ। ରାହୁଲଙ୍କ ଏହି ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ଗୁଜୁରାଟର ଜଣେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦୀ ସୁରଟ୍ ସିଜେଏମଙ୍କ କୋର୍ଟରେ କେସ୍ କରିଥିଲେ। ୪ ବର୍ଷ ପରେ ଗତ ମାର୍ଚ୍ଚ ୨୩ ତାରିଖରେ କୋର୍ଟ ଏହାର ରାୟ ଶୁଣାଇଥିଲେ। ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲଦଣ୍ଡ ଦେଇଥିଲେ। ଏହା ପରେ ରାହୁଲ ଗାନ୍ଧୀଙ୍କୁ ୨୨ ଏପ୍ରିଲ ୨୦୨୩ ରେ ଏହି ବଙ୍ଗଳା ଖାଲି କରିବାକୁ ପଡିଥିଲା। ସେ ବଙ୍ଗଳା ଛାଡିବା ପରେ, ଉକ୍ତ ବଙ୍ଗଳାଟି ଖାଲି ରହିଛି। ଏହା ଏପର୍ଯ୍ୟନ୍ତ କାହାକୁ ଦିଆଯାଇ ନାହିଁ।

୨୦୦୪ ରେ ରାହୁଲ ଗାନ୍ଧୀ ପ୍ରଥମଥର ପାଇଁ ଅମେଠୀରୁ ସାଂସଦ ହୋଇଥିଲେ। ସେ ପର୍ଯ୍ୟନ୍ତ ସେ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ସହ ୧୦ ଜନପଥର ଏକ ବଙ୍ଗଳାରେ ରହୁଥିଲେ। ୨୦୦୫ ରେ ଯେତେବେଳେ ସେ ସାଂସଦ ହେଲେ ସେତେବେଳେ ତାଙ୍କୁ ପ୍ରଥମେ ୧୨ ତୁଗଲକ ଲେନରେ ସରକାରୀ ବଙ୍ଗଳା ଦିଆଗଲା। ଏହା ଦିଲ୍ଲୀର ଲୁଟିୟନ୍ସ ଜୋନରେ ଅବସ୍ଥିତ ଟାଇପ୍-୮ ବଙ୍ଗଳା, ଯାହା ସର୍ବୋଚ୍ଚ ଶ୍ରେଣୀର ବୋଲି ବିବେଚନା କରାଯାଏ।

ରାହୁଲ ଗାନ୍ଧୀ ଚତୁର୍ଥ ଥର ସଂସଦର ସଦସ୍ୟ ଭାବେ ରହିଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ କୌଣସି ପ୍ରମୁଖ ପଦବୀରେ ନାହାଁନ୍ତି। ସେ କେବେ କୌଣସି ମନ୍ତ୍ରୀ ମଧ୍ୟ ହୋଇନାହାଁନ୍ତି କିମ୍ବା କୌଣସି ପ୍ରମୁଖ ପଦବୀ ମଧ୍ୟ ସମ୍ଭାଳି ନାହାଁନ୍ତି। ଏଭଳି ପରିସ୍ଥିତିରେ ଏହା ଲୋକସଭା ଗୃହ କମିଟି ଉପରେ ନିର୍ଭର କରେ ଯେ ତାଙ୍କୁ ଏହି ବଙ୍ଗଳା ଦିଆଯିବା ଉଚିତ ନା ନୁହେଁ। ତେବେ ଲୋକସଭାରେ ବିରୋଧୀଦଳର ନେତା ଅଧିର ରଞ୍ଜନ ଚୌଧୁରୀ ଯଥାଶୀଘ୍ର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଏକ ସରକାରୀ ବଙ୍ଗଳା ଦେବାକୁ ଦାବି କରିଛନ୍ତି।

ସାଂସଦମାନେ କିପରି ସରକାରୀ ବଙ୍ଗଳା ପାଇଥାନ୍ତି ?
ଲୋକସଭା ସଦସ୍ୟଙ୍କୁ ଦିଲ୍ଲୀରେ ବଙ୍ଗଳା ଆବଣ୍ଟନ ରାଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଏ। ଯାହା ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଆସେ। ଏପରିକି ରାଜ୍ୟ ନିର୍ଦ୍ଦେଶାଳୟ ମଧ୍ୟରେ ମଧ୍ୟ ଏହି କାର୍ଯ୍ୟ ଜେନେରାଲ୍ ପୁଲ୍ ରେସିଡେନ୍ସିଆଲ୍ ଆବାସ ଯଥା GPRA ଅଧିନିୟମ ଅନୁଯାୟୀ କରାଯାଇଥାଏ। ଲୋକସଭା ଏବଂ ରାଜ୍ୟସଭାକୁ ନେଇ ଏକ କମିଟି ଅଛି, ଯାହା ସଦସ୍ୟମାନଙ୍କୁ ବଙ୍ଗଳା ଆବଣ୍ଟନ କରିବାକୁ ସୁପାରିଶ କରନ୍ତି। ଏହି ଗୃହ କମିଟିର ସୁପାରିଶ କ୍ରମେ ସାଂସଦମାନଙ୍କୁ ବଙ୍ଗଳା ବଣ୍ଟନ କରାଯାଏ। କୁହାଯାଉଛି ଯେ ରାହୁଲଙ୍କୁ ମଧ୍ୟ ବଙ୍ଗଳା ଦିଆଯିବ କିନ୍ତୁ ସେହି ପୁରୁଣା ବଙ୍ଗଳା ଦିଆଯିବ ନା ନୂତନ ବଙ୍ଗଳା ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.