Latest Odisha News

BREAKING NEWS

ସୂର୍ଯ୍ୟଙ୍କ ପରେ ଦିଗପହଣ୍ଡି ଲଢେଇ

ଭୁବନେଶ୍ବର : ୨୦୦୯ରୁ ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗଡ ରହିଛି ଦିଗପହଣ୍ଡି । ଲଗାତର ତିନି ତିନି ଥର ସେ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି । ରାଜ୍ୟ ରାଜନୀତିର ବଡ ଚେହେରା ସୂର୍ଯ୍ୟ ପାତ୍ରଙ୍କ ପରଲୋକ ପରେ ଦିଗପହଣ୍ଡିରୁ ତାଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଟିକେଟ୍ ଦେଇଛି ବିଜେଡି । ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର।

ସୂର୍ଯ୍ୟଙ୍କ ପରଲୋକ ପରେ ଗୋଳମାଳିଆ ହୋଇଥିଲା ଦିଗପହଣ୍ଡି ରାଜନୀତି । ଦିନେ ସୂର୍ଯ୍ୟଙ୍କ ଘନିଷ୍ଠ ଥିବା ବିପିନ ପ୍ରଧାନ ସୂର୍ଯ୍ୟଙ୍କ ପୁଅ ବିପ୍ଳବ ପାତ୍ରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲେ । ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିପ୍ଲବଙ୍କୁ ଝଟକା ଦେଇଥିଲେ । ବହୁ ଉଦ୍ୟମ ପରେ ବି ବିପ୍ଳବଙ୍କ ହାତରୁ ଛଡାଇ ନେଇଥିଲେ ଦିଗପହଣ୍ଡି । ବିଶୃଙ୍ଖଳା ପାଇଁ ବିପିନ ପ୍ରଧାନଙ୍କୁ ନିଲମ୍ବିତ କରିଥିଲା ବିଜେଡି । ଏହାପରେ ବିଜେପିରେ ସାମିଲ ହୋଇଥିଲେ ବିପିନ । ତେବେ ତାଙ୍କୁ ପ୍ରାର୍ଥୀ ନକରି ସିଦ୍ଧାନ୍ତ ମହାପାତ୍ରଙ୍କୁ ଭରସା କରିଛି ବିଜେପି ।

୨୦୧୯ରେ ସୂର୍ଯ୍ୟ ପାତ୍ରଙ୍କ ବିପକ୍ଷରେ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ପ୍ରାୟ ୪୦ହଜାରରୁ ଅଧିକ ଭୋଟରେ ହାରିଥିଲେ ପିଙ୍କି । ଏଥର ସୂର୍ଯ୍ୟଙ୍କ ପରଲୋକ ପରେ ତାଙ୍କ ଗଡରେ ପଦ୍ମ ଫୁଟାଇବାକୁ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ତାଙ୍କର ଦିଗପହଣ୍ଡିରେ ଭଲ ସଂଗଠନ ସହ ଲୋକପ୍ରିୟତା ରହିଛି । ତେବେ ଦୁଇ ଦୁଇ ଥର ବ୍ରହ୍ମପୁର ସାଂସଦ ହୋଇଥିବା ସିଦ୍ଧାନ୍ତଙ୍କ ପାଇଁ ସହଜ ହେବନି ଦିଗପହଣ୍ଡି ଲଢେଇ। ବିଜେଡିର ଅନ୍ୟତମ ସୁରକ୍ଷିତ ସିଟ୍ କୁହାଯାଉଥିବା ଦିଗପହଣ୍ଡିରେ ବିପ୍ଳବ ପାତ୍ରଙ୍କୁ ଅନୁକମ୍ପାମୂଳକ ଭୋଟ୍ ମିଳିପାରେ । ସୂର୍ଯ୍ୟଙ୍କ ଲୋକପ୍ରିୟତା ଓ ସଂଗଠନର ବି ଫାଇଦା ପାଇବେ ବିପ୍ଳବ । ସେପଟେ ବଡଖେମୁଣ୍ଡି ରାଜ ପରିବାର ସଦସ୍ୟ ଶ୍ରୀଧର ଦେବଙ୍କୁ ପ୍ରଥମେ କଂଗ୍ରେସ ପ୍ରାର୍ଥୀ କରିଥିଲା । ତେବେ ଶେଷ ମୁହୁର୍ତ୍ତରେ ପ୍ରାର୍ଥୀ ବଦଳାଇ ସାକା ସୁଜିତ କୁମାରଙ୍କୁ ଟିକେଟ ଦେଇଛି ।

Leave A Reply

Your email address will not be published.