Latest Odisha News

BREAKING NEWS

ସୁପ୍ରିମକୋର୍ଟ ବଦଳାଇ ପାରିବେ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ?

ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୪ ବର୍ଷ ପରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ୩୭୦ ଉଚ୍ଛେଦକୁ ଅସାମ୍ବିଧାନିକ ଦର୍ଶାଯାଇଛି । ଯାହାର ଶୁଣାଣି ଅଗଷ୍ଟ ୨ରୁ ନିୟମିତ ଭାବେ କରାଯିବ । ସମସ୍ତ ପକ୍ଷର ତଥ୍ୟ ଶୁଣିବା ପରେ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ ।

୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ସଂସଦରେ ଜାମ୍ମୁକାଶ୍ମୀର ସହ ଜଡ଼ିତ ଧାରା ୩୭୦କୁ ଉଚ୍ଛେଦ କରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଥିଲା । ୨୦୨୦ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ମାମଲାକୁ ବଡ଼ ବେଞ୍ଚକୁ ସ୍ଥାନାନ୍ତର ପାଇଁ ମନା କରିଥିଲେ ।

ଏହାପରେ ୨୦୨୦ ଅକ୍ଟୋବରରେ ୩୭୦ ହଟାଇବା ନେଇ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ହୋଇଥିଲା । ୨୦୨୨ ଡିସେମ୍ବର ୧୪ରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ପିଏସ୍ ନରସିହ୍ନା ପୁଣି ଥରେ ମାମଲାର ଶୁଣାଣି ପାଇଁ ୫ ଜଣିଆ ଖଣ୍ଡପୀଠ କଥା ଉଠାଇଥିଲେ ।

୨୦୨୩ ଜୁଲାଇ ୧୧ରେ ପ୍ରଧାନ ବିଚାରପତି ଅଗଷ୍ଟ ୨ରୁ ୫ ଜଣିଆ ଖଣ୍ଡପୀଠରେ ମାମଲାର ନିୟମିତ ଶୁଣାଣି ହେବ ବୋଲି କହିଥିଲେ । ୩୭୦ ଉଚ୍ଛେଦକୁ ନେଇ ଶୁଣାଣି ବେଞ୍ଚରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୟ କିଷାନ, ଜଷ୍ଟିସ୍ ସଞ୍ଜୀବ ଖନ୍ନା, ଜଷ୍ଟିସ୍ ବିଆର୍ ଗବଈ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରହିଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ବରିଷ୍ଠ ଓକିଲ ରାଜୁ ରାମଚନ୍ଦ୍ରନଙ୍କ ସହ ଅନ୍ୟମାନେ ଲଢ଼ୁଥିବା ବେଳେ ସରକାରଙ୍କ ପକ୍ଷରୁ ଲଢ଼ୁଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ଏହା ପୂର୍ବରୁ ୧୦ ଜୁଲାଇରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଷ୍ପତ୍ତି ସଠିକ୍ କହିଥିଲେ । ଅନୁଚ୍ଛେଦ ୩୭୦ ଉଚ୍ଛେଦ ଦ୍ୱାରା ଜମ୍ମୁକାଶ୍ମୀରରେ ଆତଙ୍କବାଦ ଘଟଣା ହ୍ରାସ, ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି, ପଥରମାଡ଼଼ କମିଥିବା କହିଥିଲେ କେନ୍ଦ୍ର ସରକାର ।

ଯେତେବେଳେ କି ଆବେଦନକାରୀଙ୍କ ଯୁକ୍ତି ହେଉଛି, ଜମ୍ମୁକାଶ୍ମୀର ବିଧାନସଭାର ବିନା ସହମତିରେ ରାଷ୍ଟ୍ରପତି ଅନୁଛେଦ ୩୭୦ରେ ସଂଶୋଧନକୁ ଅନୁମତି ଦେଇ ପାରିବେ ନାହିଁ । ସମ୍ବିଧାନର ଧାରା ୩ ଅନୁସାରେ, କୌଣସି ରାଜ୍ୟକୁ ସଂସଦ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇ ପାରିବ ନାହିଁ । ଏପରିକି ବିଧାନସଭାକୁ ନିର୍ବାଚିତ ପ୍ରତିନିଧିଙ୍କ ସଂଖ୍ୟା କମାଇ ପାରିବ ନାହିଁ । ସଂଘୀୟ ଗଣତନ୍ତ୍ର ଅନୁସାରେ, ରାଜ୍ୟ ପାଖରେ ନିଜସ୍ୱ ଅଧିକାର ରହିଛି । କେନ୍ଦ୍ର ନେଇଥିବା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ଆବେଦନକାରୀ ।

Leave A Reply

Your email address will not be published.