Latest Odisha News

BREAKING NEWS

କାହାର ହେବ କୋରେଇ ?

ଭୁବନେଶ୍ବର: ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରେ ବଡ ଲଢେଇ । ବିଜେଡିରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ତଥା ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି । ସେପଟେ ବିଜେଡି ଛାଡି ବିଜେପିରେ ମିଶିବା ସହ ପ୍ରାର୍ଥୀ ହୋଇଛନ୍ତି ଅଭିନେତା ଆକାଶ ଦାସନାୟକ । କଂଗ୍ରେସରୁ ମଇଦାନରେ ରହିଛନ୍ତି ବନ୍ଦିତା ପରିଡା । କୋରେଇକୁ ନେଇ ଅନେକ ସସପେନ୍ସ ପରେ ସଂଧ୍ୟାରାଣୀଙ୍କୁ ପ୍ରାର୍ଥୀ କରି ବଡ ସରପ୍ରାଇଜ୍ ଦେଇଥିଲା ବିଜେଡି । ତେବେ କେତେ କାମ ଦେବ ବିଜେଡିର ଗୋଟି ? ସ୍ୱାମୀଙ୍କ କର୍ମଭୂମିରେ ବିଜୟୀ ହେବେ କି ସଂଧ୍ୟାରାଣୀ ? ନା ସ୍ୱାଭିମାନ ଲଢେଇରେ ଆକାଶ ପାଇବେ ସଫଳତା ?

ପୁଅ ପାଇଁ ସଂଧ୍ୟାରାଣୀ କା !

ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସଂଧ୍ୟାରାଣୀ ଦାସ । ଏହାପୂର୍ବରୁ କୌଣସି ସଭା ସମିତି କିମ୍ବା ରାଜନୈତିକ କାର୍ଯ୍ୟକ୍ରମରେ ସଂଧ୍ୟାରାଣୀଙ୍କୁ ଦେଖିବାକୁ ମିଳିନି । ହଠାତ୍ ତାଙ୍କୁ ଟିକେଟ୍ ଦେଇ ଚମକାଇଥିଲା ବିଜେଡି । ଚର୍ଚ୍ଚା ହେଲା, ଯଦି ସମ୍ବଲପୁର ଲୋକସଭା ଲଢେଇ ହାରି ଯାଆନ୍ତି ବବି, ତେବେ କୋରେଇ ବାଟ ଦେଇ ବିଧାନସଭାକୁ ଏଣ୍ଟ୍ରି କରିବେ । ସମ୍ବଲପୁର ଲୋକସଭା ଜିତିଲେ ବି ଯାଜପୁର ରାଜନୀତିରେ ପକଡ ଆଗ ଭଳି ରହିବ । ସେଥିପାଇଁ ମାଆଙ୍କୁ ବବି ପ୍ରାର୍ଥୀ କରାଇଥିବା କୁହାଯାଉଛି । ହେଲେ ବିଜେଡିର ଏଭଳି ରାଜନୈତିକ ଗୋଟିକୁ କେମିତି ଗ୍ରହଣ କରୁଛନ୍ତି କୋରେଇବାସୀ, ତାଉପରେ ନଜର ରହିବ ।

କୋରେଇରେ ସ୍ୱାଭିମାନର ଲଢେଇ

କୋରେଇ ସ୍ୱାଭିମାନର ନାରା ଦେଇ ମଇଦାନରେ ଅଭିନେତାରୁ ନେତା ବନିଥିବା ଆକାଶ ଦାସନାୟକ । ବିଜେଡି ଛାଡି ବିଜେପିରେ ମିଶିବା ସହ ଆକାଶ କୋରେଇରୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୪ରେ ବିଜେଡିରୁ ସେ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ତାଙ୍କୁ ଦଳ ପ୍ରାର୍ଥୀ କରିନଥିଲା । ଏଥର ବି ଟିକେଟ୍ ନମିଳିବା ନେଇ ଜାଣିବା ପରେ ଆକାଶ ପଦ୍ମ ଧରିଥିଲେ । ପ୍ରାର୍ଥୀ ହେବା ପରଠୁ ଆକାଶ ପ୍ରଚାର ମଇଦାନରେ ବେଶ୍ ଆକ୍ଟିଭ ରହିଛନ୍ତି । ଆକାଶଙ୍କ ପାଇଁ ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଦାସନାୟକ ମଧ୍ୟ ପ୍ରଚାର କରୁଛନ୍ତି । କୋରେଇରେ ଆକାଶଙ୍କ ନିଜସ୍ୱ ସଂଗଠନ ରହିଥିବା ବେଳେ ନିର୍ବାଚନମଣ୍ଡଳୀରେ ସେ ଚିହ୍ନା ଚେହେରା ।

ଅସନ୍ତୁଷ୍ଟ ବିଗାଡିବେ ଅଙ୍କ !

କୋରେଇରେ ଉଭୟ ବିଜେଡି ଓ ବିଜେପିରେ ଅସନ୍ତୋଷ ରହିଛି । ବିଜେଡିରୁ ଆସି ଆକାଶ ଦାସନାୟକ ବିଜେପି ଟିକେଟ୍ ହାତେଇବାକୁ ଅନେକ ଦଳୀୟ ନେତା ବିରୋଧ କରିଥିଲେ । ଗତଥରର ବିଜେପି ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ଓ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ ବିଜେପି ଛାଡି ବିଜେଡିକୁ ଯାଇଛନ୍ତି । ଉଭୟ ବିଜେପି ଟିକେଟ୍ ପାଇଁ ଆଶାୟୀ ଥିଲେ । ଏବେ ଆକାଶଙ୍କୁ ମାତ୍ ଦେବାକୁ ଉଭୟ ଅଙ୍କ କଷୁଛନ୍ତି । ସେପଟେ ବିଜେଡିରେ ବି ସଂଧ୍ୟାରାଣୀଙ୍କ ପାର୍ଥୀତ୍ୱକୁ ନେଇ ଚାପା ଅସନ୍ତୋଷ ରହିଛି । ବିଜେଡି ବିଧାୟକ ଅଶୋକ ବଳ ଓ ବ୍ୟାସନଗର ପୌର ପରିଷଦର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ପ୍ରଚାର ମଇଦାନରେ ସେଭଳି ଆକ୍ଟିଭ ନାହାନ୍ତି । ସେପଟେ କୋରେଇ ଉପରେ ନଜର ପକାଇଥିବା ପ୍ରୀତିରଞ୍ଜନ ଘଡେଇ ବି ନିରାଶ ହୋଇଛନ୍ତି ।

କୋରେଇରେ ଫୁଟିବ କି ପଦ୍ମ !

୨୦୦୪ରେ କୋରେଇରୁ ବିଜେପି ପ୍ରାର୍ଥୀ ସଞ୍ଚିତା ମହାନ୍ତି ଜିତିଥିଲେ । ସେତେବେଳେ ସେ ବିଜେଡି ଓ ବିଜେପିର ମେଣ୍ଟ ପ୍ରାର୍ଥୀ ଥିଲେ । ଏହାପରଠୁ ବିଜେପି କୋରେଇ ଜିତିପାରିନି । ତେବେ ଗତଥର ବିଜେପି ପ୍ରାର୍ଥୀ ପ୍ରାୟ ୧୭ପ୍ରତିଶତ ଭୋଟ୍ ବଢାଇଥିଲେ । ବିଜେଡିର ଭୋଟ୍ ପ୍ରତିଶତ କମିଥିଲା । ତେଣୁ ବିଜେପି ରାଜ୍ୟ ଶାସନ ବିରୋଧୀ ହାୱା ଓ ମୋଦି ଲହରରୁ ଫାଇଦା ନେଇପାରିଲେ କୋରେଇ ଗଣିତ ଆକାଶଙ୍କ ସପକ୍ଷରେ ଯାଇପାରେ ।

ସ୍ୱାମୀଙ୍କ ଗଡରେ ଜିତିବେ ସଂଧ୍ୟାରାଣୀ !

ବିଜୁବାବୁଙ୍କ ଅମଳରେ ଜନତା ଦଳର ଟାଣୁଆ ନେତା ଅଶୋକ ଦାସଙ୍କ ଗଡ ରହିଥିଲା କୋରେଇ । ୧୯୭୪ରୁ ୨୦୦୪ ମଧ୍ୟରେ ସେ ଏଠାରୁ ୫ଥର ଜନତା ଦଳରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଅଶୋକ ଦାସଙ୍କ ଗଡରେ ସଂଧ୍ୟାରାଣୀଙ୍କୁ ପ୍ରାର୍ଥୀ କରି ବଡ ଗୋଟି ଚଳାଇଛି ବିଜେଡି । ତେବେ ସଂଧ୍ୟାରାଣୀଙ୍କୁ ଏଥିରୁ କେତେ ଫାଇଦା ମିଳିବ ? ଅଶୋକ ଦାସଙ୍କ ପରି ତାଙ୍କ ପତ୍ନୀଙ୍କ ଉପରେ ବି ଭରସା କରିବେ କି କୋରେଇ ଭୋଟର ?

କୋରେଇ ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି । ଗତ ଦୁଇ ଦଶନ୍ଧି ଧରି ଏଠାରେ ଦ୍ୱିତୀୟ ଥର ବିଧାୟକ ହୋଇନାହାନ୍ତି କୌଣସି ରାଜନେତା । ତେଣୁ ସ୍ଥାନୀୟ ସମସ୍ୟା ସହ ଯୁଝୁଥିବା କୋରେଇ ବାସୀ କାହାକୁ ଜିତାଇବେ ?

Comments are closed.