ନୂଆଦିଲ୍ଲୀ: କ’ଣ ଦୁଇ ଜଣ ପୁରୁଷଙ୍କ ମିଳନରେ ଜନ୍ମ ହୋଇପାରିବେ ସନ୍ତାନ? କ’ଣ ମହିଳାଙ୍କ ବିନା ଏହା ସତରେ ସମ୍ଭବ? ଦେଖିବାକୁ ଗଲେ ଅନେକ ଦିନ ଧରି ବୈଜ୍ଞାନିକ ମାନେ ଏହି ଦାବି କରିଆସୁଛନ୍ତି ଯେ ଏହା ସମ୍ଭବ ବୋଲି, କିନ୍ତୁ କେବେ ଏନେଇ କୌଣସି ସଫଳ ପରୀକ୍ଷଣ ହୋଇନଥିଲା । ବିଶ୍ଵରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବେ ଶିଖର ଛୁଇଁବାରେ ଲାଗିଛି । ପ୍ରତିଦିନ କିଛି ନା କିଛି ନୂତନ ଆବିଷ୍କାର ହେଉଛି । ଯେଉଁଥିରୁ କିଛି ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ନିକଟରେ ଚିନରେ ଏକ ବିରଳ ପରୀକ୍ଷଣ କରାଯାଇଛି । ଯେଉଁଥିରେ ବୈଜ୍ଞାନିକମାନେ ଦୁଇ ପୁରୁଷ ମୂଷାଙ୍କ ମିଳନରୁ ସଫଳତାର ସହ ଏକ ମୂଷା ସନ୍ତାନ ଜନ୍ମ ହେବା ନେଇ ଦାବି କରାଯାଉଛି ।
ବାସ୍ତବରେ ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସେସ୍ (CAS) ର ମଲିକୁଲାର୍ ବାୟୋଲୋଜିଷ୍ଟ୍ ଜି କୁନ୍ ଲି ଏବଂ ତାଙ୍କ ଟିମ୍ ଏହି ପରୀକ୍ଷଣ କରିଥିଲେ । ଷ୍ଟେମ୍ ସେଲ୍ ଇଞ୍ଜିନିୟରିଂ ସାହାଯ୍ୟରେ ସେମାନେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ବୈଜ୍ଞାନିକମାନେ ଦୁଇ ପୁରୁଷଙ୍କ ମିଳନରୁ ସନ୍ତାନ ଜନ୍ମ କରିବାକୁ ଚେଷ୍ଟା କରିଛନ୍ତି। ଏହାପୂର୍ବରୁ ୨୦୨୩ ମସିହାରେ ଜାପାନୀ ବୈଜ୍ଞାନିକମାନେ ମଧ୍ୟ ଏପରି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁଇ ପୁରୁଷ ମୂଷାଙ୍କ ମିଲନରୁ ଜନ୍ମିତ ମୂଷାର ଆୟୁଷ ବହୁତ କମ୍ ଥିଲା । ପୁରୁଷ ଷ୍ଟେମ୍ କୋଷରୁ ଅଣ୍ଡା ବିକାଶ ପାଇଁ ଏପର୍ଯ୍ୟନ୍ତ ସମସ୍ତ ଚେଷ୍ଟା ବିଫଳ ହୋଇଛି । ତେବେ ସରୋଗେସି ମାଧ୍ୟମରେ ଜୈବିକ ମା ବିନା ସନ୍ତାନକୁ ଜନ୍ମ ଦେବା ସମ୍ଭବ କିନ୍ତୁ ଏହି ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ।
ଯେତେବେଳେ ଜଣେ ପୁରୁଷର ଶୁକ୍ରାଣୁ ଏକ ଅଣ୍ଡାଣୁକୁ ଫର୍ଟିଲାଇଜ୍ କରେ, ସେତେବେଳେ ସେଥିରେ ଯୁଗଳ ଜିନ୍ ସୃଷ୍ଟି ହୁଏ, କିନ୍ତୁ ଏହି ଯୋଡିର ଏକ ଅଂଶ ନିଷ୍କ୍ରିୟ ହୋଇଯାଏ । ଯଦି ଉଭୟ ଶୁକ୍ରାଣୁରୁ ଏକ ଶିଶୁ ସୃଷ୍ଟି ହୁଏ, ତେବେ ଏହି ନିଷ୍କ୍ରିୟତା ଦୁଇଥର ଘଟିଥାଏ, ଯାହା ଅନେକ ଜେନେଟିକ୍ ସମସ୍ୟା ସୃଷ୍ଟି କରିଥାଏ । ବୈଜ୍ଞାନିକଙ୍କ ଭାଷାରେ ଏହାକୁ ଜିନ୍ ଇମ୍ପ୍ରିଟିଙ୍କ ତ୍ରୁଟି କୁହାଯାଏ । ଏହି ସମସ୍ୟାର ସମାଧାନ ପାଇଁ ଲି ଏବଂ ତାଙ୍କ ଦଳ ଜିନ୍ ଡେଲିଶନ, ରିଜନ ଏଡିଟିଂ ଏବଂ ଜିନ୍ ବେସ୍ ପେୟର ଏଡିସନ-ରିମୁଭଲ ଭଳି ଅନେକ କୌଶଳ ବ୍ୟବହାର କରିଥିଲେ । ଫଳରେ ଜନ୍ମିତ ମୂଷା ସନ୍ତାନ ସୁସ୍ଥତାର ସହ ବଡ ହୋଇ ଚଳପ୍ରଚଳ କରୁଛି । ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ମୂଷାଟି ବର୍ତ୍ତମାନ ତା’ର ଯୁବାବସ୍ଥାରେ ଅଛି ଏବଂ ସମ୍ପୁର୍ଣ୍ଣ ସୁସ୍ଥ ଅଛି ।
ତେବେ ଏହାପୂର୍ବରୁ ବୈଜ୍ଞାନିକମାନେ ଦୁଇ ମହିଳାଙ୍କ ମିଳନରୁ ସନ୍ତାନ ଜନ୍ମ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ଜାପାନର ବୈଜ୍ଞାନିକମାନେ ୨୦୦୪ରେ ଏହି ପରୀକ୍ଷଣ କରିଥିଲେ ।
Comments are closed.