Latest Odisha News

BREAKING NEWS

ହେଭିୱେଟ୍ ଫେଲ୍: ଚନ୍ନି, ସିଦ୍ଧୁ, ଅମରିନ୍ଦର, ବାଦଲ ଓ ଧାମିଙ୍କୁ କିଏ ହରାଇଲେ ଜାଣନ୍ତୁ

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ସରକାର ଗଠନ କରିବ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି । ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଲା ଆମ୍ ଆଦମୀ ପାର୍ଟି । ଚଳିତ ନିର୍ବାଚନରେ ବହୁ ହେଭିଓ୍ୱେଟ ପରାଜୟର ମୁହଁ ଦେଖିଛନ୍ତି । ରାଜନୀତିରେ ପୋଖତ ସେସବୁ ରାଜନେତାଙ୍କୁ ନୂଆ ଚେହେରା ପରାଜୟର ରାସ୍ତା ଦେଖାଇଛନ୍ତି ।
୨ଟି ଆସନରେ ଚନ୍ନି ଫେଲ୍

ଚରଣଜିତ ସିଂ ଚନ୍ନି

ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଚରଣଜିତ ସିଂହ ଚନ୍ନି ଏଥର ନିର୍ବାଚନରେ ପରାସ୍ତ ହୋଇଛନ୍ତି । ୨ଟି ଆସନରୁ ଠିଆ ହୋଇଥିଲେ ବି ଗୋଟିଏ ଜିତିପାରିଲେ ନାହିଁ । ଚନ୍ନି ପ୍ରତିଦ୍ୱନ୍ଦିତା କରିଥିବା ଭଦୌର ସିଟରେ ବିଜୟୀ ହୋଇଛନ୍ତି ଆମ୍ ପ୍ରାର୍ଥୀ ଲାଭ ସିଂହ । ୩୫ ବର୍ଷୀୟ ଲାଭ ସିଂହ ରାଜନୀତିକୁ ଆସିବା ପୂର୍ବରୁ ମୋବାଇଲ୍ ରିପାରିଂ ଦୋକାନରେ କାମ କରୁଥିଲେ । ସେହିପରି ଚମକୌର ସାହିବ ଆସନରେ ଚନ୍ନିଙ୍କୁ ହରାଇଛନ୍ତି ଆପ୍ ପ୍ରାର୍ଥୀ ଡ. ଚରଣଜିତ ସିଂହ । ସେ ଜଣେ ଚକ୍ଷୁ ଡାକ୍ତର । ସେ ଚଣ୍ଡିଗଡ଼ ପିଜିଆଇରେ କାମ କରିବା ସହ ସମାଜସେବାରେ ନିଜର ନିୟୋଜିତ କରିଥିଲେ ।
ପଞ୍ଜାବରେ ସିଦ୍ଧୁ ଆଉଟ୍

ନଭଜୋତ ସିଂହ ସିଦ୍ଧୁ

କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରୁ ଲଢ଼ିଥିଲେ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ଆପର ଜୀବନଜୋତ କୌର । ଶିରୋମଣି ଅକାଳୀ ଦଳରୁ ହେଭିୱେଟ ଲିଡର ବିକ୍ରମ ସିଂହ ମଜିଠିଆ ଥିଲେ । ଦୁଇ ପୁରୁଖା ନେତାଙ୍କୁ ହରାଇ ବାଜି ମାରିଲେ ଜୀବନଜୋତ କୌର ।
ହାରିଲେ ୫ ଥରର ମୁଖ୍ୟମନ୍ତ୍ରୀ

ପ୍ରକାଶ ସିଂହ ବାଦଲ ଓ ସୁଖବୀର ସିଂହ ବାଦଲ

ପଞ୍ଜାବରେ ଚଳିତ ବିଧାନସଭା ନିର୍ବାଚନରେ ୫ ଥରର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର । ସେ ଲାମ୍ବି ସିଟରୁ ପ୍ରାର୍ଥୀ ହୋଇଥିଲେ । ଆପ୍ ପ୍ରାର୍ଥୀ ଗୁରମିତ ସିଂହ ଖୁଡିଆଙ୍କଠାରୁ ସେ ପରାସ୍ତ ହୋଇଛନ୍ତି । ଗୁରମିତ ପ୍ରଥମେ କଂଗ୍ରେସରେ ଥିଲେ । ନିର୍ବାଚନ ପୂର୍ବରୁ ସେ ହାତ ସହ ସମ୍ପର୍କ କାଟି ଛାଡୁ ଧରିଥିଲେ । ସେହିପରି ପ୍ରତାଶ ସିଂହ ବାଦଲଙ୍କ ପୁଅ ତଥା ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂହ ବାଦଲଙ୍କୁ ବି ପରାଜୟର ମୁହଁ ଦେଖିବାକୁ ମିଳିଛି ।
କ୍ୟାପଟେନ୍ ଚିତପଟ୍ଟାଙ୍ଗ

କ୍ୟାପଟେନ୍ ଅମରିନ୍ଦର ସିଂହ

ନିର୍ବାଚନରେ ହାରିଗଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମିରନ୍ଦର ସିଂହ । ନିର୍ବାଚନ ପୂର୍ବରୁ ଦଳରେ ବିଦ୍ରୋହ ପରେ କଂଗ୍ରେସ ଛାଡ଼ି ନିଜେ ଦଳ ଗଢ଼ିଥିଲେ । ପଟିଆଲାରୁ ସେ ପ୍ରାର୍ଥୀ ହୋଇଥିଲେ । ତାଙ୍କୁ ଆପ୍ ପ୍ରାର୍ଥୀ ଅଜିତପାଲ କୋହଲି ହରାଇଛନ୍ତି । ପୂର୍ବରୁ ଅକାଳୀ ଦଳ ସରକାରରେ ସେ ପଟିଆଲା ମେୟର ଥିଲେ । ପରେ ଆପରେ ସାମିଲ ହୋଇଥିଲେ ।
ହାରିଗଲେ ଧାମି ଓ ହରିଶ ରାୱତ

ପୁଷ୍ପର ସିଂ ଧାମି ଓ ହରିଶ ରାୱତ

ଉତ୍ତରାଖଣ୍ଡରେ ବିଜେପି ସରକାରକୁ ଆସିଲା । ଦଳ ଜିତିଲା । କିନ୍ତୁ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଖଟିମାରୁ ସେ ପ୍ରାର୍ଥୀ ହୋଇଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଭୁବନଚନ୍ଦ୍ର କାପଡୀଙ୍କଠାରୁ ହାରିଗଲେ । ୨୦୧୭ରେ ଭୁବନଚନ୍ଦ୍ର ଧାମିଙ୍କଠାରୁ ପରାସ୍ତ ହୋଇଥିଲେ । ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ ବି ନିଜ ସିଟ୍ ବଞ୍ଚାଇ ପାରିଲେ ନାହିଁ । ଲାଲକୁଆଁ ସିଟରେ ବିଜେପିର ମୋହନ ସିଂହ ବିଷ୍ଟଙ୍କଠାରୁ ସେ ହାରି ଯାଇଛନ୍ତି ।

Comments are closed, but trackbacks and pingbacks are open.