Latest Odisha News

କରୋନା ମୃତକଙ୍କ ପରିବାରକୁ ଦେଇ ହେବନି ୪ଲକ୍ଷ ଟଙ୍କା କ୍ଷତିପୂରଣ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇ ହେବ ନାହିଁ । ସୁପ୍ରିମକୋର୍ଟଙ୍କୁ ଏକଥା କହିଛନ୍ତି କେନ୍ଦ୍ର ସରକାର । କୋଭିଡ୍ କ୍ଷତିପୂରଣ ସମ୍ପର୍କିତ ପିଟିସନର ଶୁଣାଣି ବେଳେ ସତ୍ୟପାଠ ଜରିଆରେ କେନ୍ଦ୍ର ସରକାର ଉତ୍ତର ରଖିଛନ୍ତି । ଏହାସହ ସରକାର କହିଛନ୍ତି, ବିପର୍ୟ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କ୍ଷତିପୂରଣ କେବଳ ପ୍ରାକୃତିକ ବିପର୍ୟ୍ୟୟ ଯେପରିକି ଭୂକମ୍ପ, ବନ୍ୟା ଇତ୍ୟାଦି ପାଇଁ ପ୍ରଯୁଜ୍ୟ ଅଟେ ।

ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି, ଗୋଟିଏ ରୋଗ ପାଇଁ କ୍ଷତିପୂରଣ ଦେବା ଓ ଅନ୍ୟ ରୋଗ ପାଇଁ ଏହାକୁ ଅସ୍ୱୀକାର କରିବା ଅନ୍ୟାୟ ହେବ । ସମସ୍ତ କରୋନା ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ ରାଜ୍ୟଗୁଡିକର ଆର୍ଥିକ କ୍ଷମତା ବାହାରେ । କରୋନା କାୟା ଓ ଏହାର ପ୍ରଭାବ ଯୋଗୁଁ ପ୍ରାକୃତିକ ବିପର୍ୟ୍ୟୟ ପାଇଁ କ୍ଷତିପୂରଣ ଲାଗୁ କରିବା ଠିକ୍ ନୁହେଁ । ଏହାକୁ କରୋନା ମହାମାରୀରେ ଲାଗୁ କରାଯାଇ ପାରିବ ନାହିଁ ।

ଏମିତି ବି କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଟିକସ ରାଜସ୍ୱ ହ୍ରାସ ଓ ସ୍ୱାସ୍ଥ୍ୟ ଖର୍ଚ୍ଚରେ ବୃଦ୍ଧି ହେତୁ ଆର୍ଥିକ ଚାପରେ ଅଛନ୍ତି । ଏଭଳି ସମୟରେ କରୋନା ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ମହାମାରୀ ମୁକାବିଲା କାମ ଓ ସ୍ୱାସ୍ଥ୍ୟ ଖର୍ଚ୍ଚ ଉପରେ ପ୍ରଭାବ ପକାଇବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ଦାୟର ପିଟିସନର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । ପିଟିସନରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ବିପର୍ୟ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ ସଂକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଦର୍ଶାଯାଇଛି । ସୋମବାର ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ।

Comments are closed.