ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଧରାପଡିଲେ ଡାକ୍ତର ବାବୁ। ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର କ୍ୟାପିଟାଲ ହସ୍ପିଟାଲରେ ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ହସ୍ପିଟାଲର ଜଣେ ସହକାରୀ ସର୍ଜନ ଡାକ୍ତର ସତ୍ୟଜିତ୍ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ବିଭାଗ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଛି। ଜଣେ ଅସହାୟ ରୋଗୀ ସହାୟକ ଏନଜିଓ କର୍ମଚାରୀଙ୍କ ମାସିକ ଦରମା ବିଲ୍ ପାସ୍ କରାଇବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ।
କ୍ୟାପିଟାଲ ହସ୍ପିଟାଲର କାଜୁଆଲ୍ଟି ବିଭାଗରେ ଆସୁଥିବା ଅଜଣା, ନିରାଶ୍ରୟ ଏବଂ ଅସହାୟ ରୋଗୀମାନଙ୍କୁ ସହାୟତା ଯୋଗାଇବା ପାଇଁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ନିୟୋଜିତ କରାଯାଇଥିଲା । ଏହି ଏନଜିଓ ଅଧୀନରେ କାମ କରୁଥିବା କର୍ମଚାରୀମାନଙ୍କର ଗତ ଦୁଇ ମାସର ଅର୍ଥାତ୍ ଜୁନ୍ ଏବଂ ଜୁଲାଇ ୨୦୨୬ ଦରମା ବିଲ୍ ଉଠାଇବା ପାଇଁ କାର୍ଯ୍ୟ ପ୍ରମାଣପତ୍ରରେ ଦସ୍ତଖତ କରିବା ଆବଶ୍ୟକ ଥିଲା, କିନ୍ତୁ ଡାକ୍ତର ସତ୍ୟଜିତ୍ ବେହେରା ଏହି ପ୍ରମାଣପତ୍ରରେ ଦସ୍ତଖତ କରିବା ପାଇଁ ଏନଜିଓ କର୍ମଚାରୀଙ୍କଠାରୁ ଗତ ଜୁନ୍ ମାସରୁ ବାରମ୍ବାର ପଇସା ମାଗି ହଇରାଣ କରୁଥିଲେ।
ଶେଷରେ ଡାକ୍ତର ଜଣକ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ଦାବି କରିବାରୁ ଏନଜିଓର କର୍ମଚାରୀ ଜଣକ ଏ ସମ୍ପର୍କରେ ଓଡ଼ିଶା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଯୋଜନା ମୁତାବକ, ଆଜି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଜାଲ୍ ବିଛାଇ ଡାକ୍ତର ସତ୍ୟଜିତ୍ ବେହେରାଙ୍କୁ ଅଭିଯୋଗକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କାବୁ କରିଥିଲା। ଅଭିଯୁକ୍ତ ଡାକ୍ତରଙ୍କ ନିକଟରୁ ସେହି ଲାଞ୍ଚ ଟଙ୍କାକୁ ସମ୍ପୂର୍ଣ୍ଣ ଜବତ କରାଯାଇଛି। ଲାଞ୍ଚ ମାମଲାରେ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଡାକ୍ତର ସତ୍ୟଜିତ୍ ବେହେରାଙ୍କ ସମ୍ପତ୍ତି ଓ ଆୟ ବହିର୍ଭୂତ ମାମଲାର ଯାଞ୍ଚ ପାଇଁ ତାଙ୍କର ତିନୋଟି ଭିନ୍ନ ଭିନ୍ନ ଠିକଣାରେ ଏକକାଳୀନ ଚଢ଼ଉ ଜାରି ରହିଛି ।


Comments are closed.