Trump Lost Midterm: ମିଡ୍ଟର୍ମରେ କାହିଁକି ହାରିଲା ରିପବ୍ଲିକାନ୍? ଟ୍ରମ୍ପଙ୍କ ୫ଟି ବଡ଼ ଭୁଲ୍! ଜନତା ଦେଲେ ମୁହଁତୋଡ ଜବାବ…
ନୂଆଦିଲ୍ଲୀ: ଆମେରିକା ରାଜନୀତିରେ ବଡ଼ ଭୂକମ୍ପ! ମିଡ୍ଟର୍ମ ନିର୍ବାଚନରେ ହାରିଗଲେ ଡୋନାଲ୍ଡ ଟ୍ରମ୍ପ! ନିଜ ଶାସନର ମଧ୍ୟଭାଗରେ ଟ୍ରମ୍ପଙ୍କୁ ଲାଗିଛି ଜୋରଦାର ଝଟକା। ଉଭୟ ସିନେଟ୍ ଓ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ବାଜି ମାରିଛନ୍ତି ଡେମୋକ୍ରାଟ୍ମାନେ। ନଭେମ୍ବର ୩ରେ ହୋଇଥିବା ଏହି ନିର୍ବାଚନର ଫଳାଫଳ ଆମେରିକାର ରାଜନୀତିକୁ ନୂଆ ମୋଡ଼ ଦେଇଛି। ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ଉଭୟ ଗୃହରେ ନିଜର ଅଧିକାର ହରାଇଛି। ଏହା କେବଳ ଆସନର ହାର୍ଜିତ୍ ନୁହେଁ, ବରଂ ଟ୍ରମ୍ପଙ୍କ ନୀତି ଉପରେ ଆମେରିକୀୟ ଭୋଟରଙ୍କ ଅସନ୍ତୋଷର ଏକ ବଡ଼ ସଙ୍କେତ। ମିଡ୍ଟର୍ମ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ପରେ ଏବେ ସବୁଠି ଗୋଟିଏ ପ୍ରଶ୍ନ, କାହିଁକି ହାରିଲେ ଡୋନାଲ୍ଡ ଟ୍ରମ୍ପ? ଆସୋସିଏଟେଡ୍ ପ୍ରେସ୍ର ଭୋଟର ସର୍ଭେରେ ସାମ୍ନାକୁ ଆସିଛି ଟ୍ରମ୍ପଙ୍କ ୫ଟି ବଡ଼ ଭୁଲ୍, ଯାହା ରିପବ୍ଲିକାନ୍ଙ୍କ ପରାଜୟର କାରଣ ହୋଇଥିବା କୁହାଯାଉଛି।
ପ୍ରଥମ ଭୁଲ୍…ମହଙ୍ଗା ମାଡ଼!
ଟ୍ରମ୍ପ ମହଙ୍ଗା ଦର କମାଇବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗ୍ରୋସରୀ, ପେଟ୍ରୋଲ, ବିଦ୍ୟୁତ୍ ବିଲ୍ ଓ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଲୋକଙ୍କୁ ଚିନ୍ତାରେ ପକାଇଲା। ଟେକ୍ସାସରେ ମହଙ୍ଗା ଦରରେ ଅତ୍ୟଧିକ ପ୍ରଭାବିତ ଭୋଟରଙ୍କ ପ୍ରାୟ ୭୫ ପ୍ରତିଶତ ଡେମୋକ୍ରାଟ୍ ଜେମ୍ସ ତାଲାରିକୋଙ୍କୁ ଭୋଟ୍ ଦେଇଥିବା ରିପୋର୍ଟରେ ଖୁଲାସା ହୋଇଛି । ପ୍ରାୟ ଦୁଇ-ତୃତୀୟାଂଶ ଭୋଟର ଟ୍ରମ୍ପଙ୍କ ନୀତି ଅର୍ଥନୀତିକୁ ଖରାପ କରିଥିବା ଦାବି କରିଥିଲେ।
ଦୁର୍ନୀତିକୁ ନେଇ ଅସନ୍ତୋଷ!
ଅଧାରୁ ଅଧିକ ଭୋଟରଙ୍କ ପାଇଁ ସରକାରୀ ଦୁର୍ନୀତି ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ ଥିଲା। ଟ୍ରମ୍ପଙ୍କ କ୍ରିପ୍ଟୋକରେନ୍ସି ବ୍ୟବସାୟ, ହ୍ୱାଇଟ୍ ହାଉସ୍ରେ ବଲ୍ରୁମ୍ ନିର୍ମାଣ ପାଇଁ କମ୍ପାନୀଙ୍କଠାରୁ ଚାନ୍ଦା ଏବଂ ପରିବାର-ସହଯୋଗୀଙ୍କ ବ୍ୟବସାୟକୁ ନେଇ ପ୍ରଶ୍ନ ଉଠିଥିଲା। ପ୍ରାୟ ଦୁଇ-ତୃତୀୟାଂଶ ଭୋଟର ଟ୍ରମ୍ପଙ୍କ ପ୍ରାଥମିକତାକୁ ଭୁଲ୍ ବୋଲି କହିଥିଲେ।
ରାଷ୍ଟ୍ରପତିଙ୍କ ଉପରେ ନିୟନ୍ତ୍ରଣ ନାହିଁ!
ପ୍ରାୟ ୭୦ ପ୍ରତିଶତ ଭୋଟରଙ୍କ ମତରେ, ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ଓ ତାଙ୍କ କାର୍ଯ୍ୟର ତଦନ୍ତ କରିବାରେ ସଂସଦ ଯଥେଷ୍ଟ କାମ କରୁନଥିଲା। ସରକାରୀ କର୍ମଚାରୀଙ୍କ ଛଟେଇ, ଟାରିଫ୍, ଇରାନ୍ ସହ ଯୁଦ୍ଧ ଓ ପୁରୁଣା ସହଯୋଗୀ ଦେଶଙ୍କ ସହ ଟ୍ରମ୍ପଙ୍କ ଟକ୍କରକୁ ନେଇ ଅସନ୍ତୋଷ ଥିଲା।
ଡେମୋକ୍ରାଟ୍ଙ୍କୁ ନେଇ ଅସନ୍ତୋଷ, ତଥାପି ଭୋଟ୍ ସେମାନଙ୍କୁ!
ରିପୋର୍ଟରେ ଆହୁ ଏକ ବଡ ଖୁଲାସା ମଧ୍ୟ ହୋଇଛି, ଅନେକ ଭୋଟର ଡେମୋକ୍ରାଟ୍ ପାର୍ଟିକୁ ମଧ୍ୟ ପସନ୍ଦ କରୁନଥିଲେ। ଅର୍ଥନୀତି, ସ୍ୱାସ୍ଥ୍ୟ, ଟ୍ୟାକ୍ସ ଓ ଇମିଗ୍ରେସନ୍ରେ କୌଣସି ଦଳ ଭଲ ନୁହେଁ ବୋଲି କହିଥିଲେ। ତଥାପି ଟ୍ରମ୍ପଙ୍କୁ ବିରୋଧ କରିବା ଏବଂ ତାଙ୍କ ମନମାନି ଉପରେ ରୋକ୍ ଲଗାଇବା ଆଶାରେ ଅନେକ ଡେମୋକ୍ରାଟ୍ଙ୍କୁ ଭୋଟ୍ ଦେଇଥିଲେ।
ଦୁର୍ବଳ ଓ ବିବାଦୀୟ ପ୍ରାର୍ଥୀଙ୍କୁ ସମର୍ଥନ!
ଟ୍ରମ୍ପଙ୍କ ପସନ୍ଦର ପ୍ରାର୍ଥୀଙ୍କ ଛବି ଭୋଟରଙ୍କ ମଧ୍ୟରେ ଭଲ ନଥିଲା। ଟେକ୍ସାସରେ କେନ୍ ପାକ୍ସଟନ୍ଙ୍କ ଚରିତ୍ରକୁ ପ୍ରାୟ ଦୁଇ-ତୃତୀୟାଂଶ ଭୋଟର ପ୍ରଶ୍ନ କରିଥିଲେ। ନର୍ଥ କାରୋଲିନାରେ ମାଇକେଲ୍ ହ୍ୱାଟଲିଙ୍କୁ ଟ୍ରମ୍ପଙ୍କ ଅତ୍ୟଧିକ ସମର୍ଥକ ବୋଲି ପ୍ରାୟ ୬୦ ପ୍ରତିଶତ ଭୋଟର କହିଥିଲେ। ଫଳରେ ଡେମୋକ୍ରାଟ୍ ରୟ କୁପର ବିଜୟୀ ହୋଇଥିଲେ।
ତେବେ ଏହି ପରାଜୟ ପରେ କ’ଣ ଶେଷ ହୋଇଯିବ ଟ୍ରମ୍ପଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ? ନା, ଆଦୌ ନୁହେଁ! ମିଡ୍ଟର୍ମ ନିର୍ବାଚନରେ ହାରିବାର ଅର୍ଥ ରାଷ୍ଟ୍ରପତି ପଦରୁ ହଟିଯିବା ନୁହେଁ। ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତି କାର୍ଯ୍ୟକାଳ ୨୦୨୫ ଜାନୁଆରୀ ୨୦ରୁ ଆରମ୍ଭ ହୋଇଛି, ଯାହା ୨୦୨୯ ଜାନୁଆରୀ ୨୦ରେ ଶେଷ ହେବ। ଅର୍ଥାତ୍ ତାଙ୍କ ପାଖରେ ଆଉ ପ୍ରାୟ ୨ ବର୍ଷ ୨ ମାସ ରହିଛି। ଏହି ସମୟରେ ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇବେ, କିନ୍ତୁ ବର୍ତ୍ତମାନ ଡେମୋକ୍ରାଟ୍ଙ୍କ ନିୟନ୍ତ୍ରଣରେ ରହିବ ଆମେରିକାର ସଂସଦ କଂଗ୍ରେସ । ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ନଜର ରଖିବା ଓ ତାଙ୍କ ଏଜେଣ୍ଡାକୁ ଚ୍ୟାଲେଞ୍ଜ କରିବାର ଶକ୍ତି ବଢ଼ିବ। ତେବେ ଆମେରିକାର ସମ୍ବିଧାନର ୨୨ତମ ସଂଶୋଧନ ଅନୁସାରେ ଟ୍ରମ୍ପ ଦୁଇଥର ନିର୍ବାଚିତ ହୋଇସାରିଥିବାରୁ ତୃତୀୟ ଥର ରାଷ୍ଟ୍ରପତି ନିର୍ବାଚିତ ହୋଇପାରିବେ ନାହିଁ। କିନ୍ତୁ ଏବେ ଦେଖିବାକୁ ବାକି, ଏହି ମିଡ୍ଟର୍ମ ପରାଜୟ ପରେ ଟ୍ରମ୍ପ ଓ ତାଙ୍କ ଦଳ ରିପବ୍ଲିକାନ୍ କିପରି କମବ୍ୟାକ୍ କରୁଛନ୍ତି ନା ଆମେରିକା ରାଜନୀତିରେ ଆରମ୍ଭ ହେବ ନୂଆ ଅଧ୍ୟାୟ?
