Latest Odisha News

BREAKING NEWS

Gold Walkway: ଏଠି ହାତ ମାରି ହେଉନି ସୁନା, ସେଠି ସୁନାରେ ତିଆରି ହେବ ରାସ୍ତା! ଚାଲିବେ ୨୪ କ୍ୟାରେଟ୍‌ ଗୋଲ୍ଡ ଓ୍ୱାକ୍‌ୱେରେ…

ନୂଆଦିଲ୍ଲୀ: ସୁନା କଥା ଶୁଣିଲେ ମନରେ ଆସେ ଗହଣା, ଦାମୀ ଅଳଙ୍କାର ଆଉ ବଡ଼ ବଡ଼ ଲକର୍‌! ଆଉ ବର୍ତ୍ତମାନ ଯାହା ଦାମ୍ ହେଲାଣି, ସେଥିରେ ସାଧାରଣ ବ୍ୟକ୍ତିଟି ପାଇଁ ସୁନା କିଣିବା ସ୍ବପ୍ନ ହେଉଛି । ସୁନା ଦାମ୍‌ ଶୁଣିଲେ ଉଡିଯାଉଛି ଲୋକଙ୍କ ହୋସ୍‌ । କିନ୍ତୁ ଦୁନିଆରେ ଏମିତି ଏକ ସହର ପ୍ରସ୍ତୁତ ହେବାକୁ ଯାଉଛି, ଯେଉଁଠି ସୁନାକୁ ଗହଣାରେ ନୁହେଁ, ରାସ୍ତାରେ ଦେଖିବାକୁ ମିଳିବ! ଆଉ ସେହି ସୁନା ରାସ୍ତା ଉପରେ ଚାଲିବେ ଲୋକେ। କଥାଟି ଅବିଶ୍ୱସନୀୟ ଲାଗୁଥିଲେ ବି ସତ, ଦୁବାଇରେ ୨୪ କ୍ୟାରେଟ୍‌ ସୁନାର ଓ୍ୱାକ୍‌ୱେ ବା ପଦଚଲା ରାସ୍ତା ତିଆରି କରିବାର ଯୋଜନା ଘୋଷଣା ହୋଇଛି।

ତେବେ ଦୁବାଇ ମାନେ ଲଗ୍‌ଜୁରୀ, ବିଳାସପୂର୍ଣ୍ଣ ଜୀବନ ଆଉ ଅଦ୍ଭୁତ ନିର୍ମାଣର ସହର। ଏବେ ଏହି ତାଲିକାରେ ଯୋଡ଼ିବାକୁ ଯାଉଛି ସୁନାର ରାସ୍ତା। ଦୁବାଇର ଡେଇରା ଅଞ୍ଚଳରେ ଥିବା ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟ‌ରେ ତିଆରି ହେବ ଏହି ଅନନ୍ୟ ସୁନାର ରାସ୍ତା। ଏହି ପ୍ରକଳ୍ପ ବିଶ୍ୱରେ ପ୍ରଥମ ଏବଂ ସବୁଠାରୁ ଲମ୍ବା ୨୪ କ୍ୟାରେଟ୍‌ ସୁନାର ଓ୍ୱାକ୍‌ୱେ ହେବ ବୋଲି ଦାବି କରାଯାଇଛି। ୨୦୨୬ ଶେଷ ସୁଦ୍ଧା ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିବାର ଯୋଜନା ରହିଛି। ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟର କମର୍ସିଆଲ୍‌ ସେକ୍ଟରର ସିନିୟର ଡାଇରେକ୍ଟର ରାଶିଦ୍‌ ଅଲ୍‌ ହରମୁଦି ଏହି ସୂଚନା ଦେଇଛନ୍ତି। ଜୁଏଲୁକାସ୍‌ ଜୁଏଲାରୀର ଦୁଇଟି ଗିନିଜ୍‌ ୱାର୍ଲ୍ଡ ରେକର୍ଡ ହାସଲ କାର୍ଯ୍ୟକ୍ରମ ଅବସରରେ ସେ ଏହି ଘୋଷଣା କରିଥିଲେ। ଏହି ରେକର୍ଡ ମଧ୍ୟରେ ପାରମ୍ପରିକ ଝୁମ୍‌କା ଡିଜାଇନ୍‌ରେ ତିଆରି ସବୁଠାରୁ ବଡ଼ ଓ ସବୁଠାରୁ ଭାରୀ ସୁନାର ଝୁମ୍‌କା ସାମିଲ ରହିଛି। ଏହି ସୁନାର ରାସ୍ତା ଖୋଲିବା ପରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଏକ ନିଆରା ଅନୁଭୂତି ପାଇପାରିବେ ବୋଲି ସେ କହିଛନ୍ତି।

ଜାନୁଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟରେ ସୁନା, ଗହଣା, ବୁଲିଅନ୍‌ ଓ ନିବେଶ ସହ ଜଡ଼ିତ ବ୍ୟବସାୟ ରହିଛି। ଏଠାରେ ୧,୦୦୦ରୁ ଅଧିକ ଖୁଚୁରା ବ୍ୟବସାୟୀ ଅଛନ୍ତି। ୨୦୨୬ ଆରମ୍ଭରୁ ହୋଲ୍‌ସେଲ୍‌ ସୁନା ବ୍ୟବସାୟ କାର୍ଯ୍ୟାଳୟ ୨୦ ପ୍ରତିଶତ ଏବଂ ସୁନା, ଗହଣା, ମୂଲ୍ୟବାନ ପଥର ଓ ଦାମୀ ଘଣ୍ଟା ବିକ୍ରି କରୁଥିବା ନୂଆ ଦୋକାନ ୧୫ ପ୍ରତିଶତ ବଢ଼ିଥିବା ରିପୋର୍ଟରେ କୁହାଯାଇଛି। ଆଗାମୀ ୧୨ ମାସରେ ଏଠାରେ ବ୍ୟବସାୟିକ ସଂସ୍ଥା ସଂଖ୍ୟା ଆହୁରି ୧୦ରୁ ୨୦ ପ୍ରତିଶତ ବଢ଼ିବା ଆଶା ରହିଛି। ଏହା ସହ ଏକ ବଡ଼ ସୁନା ଓ ଗହଣା ପ୍ରଦର୍ଶନୀ କେନ୍ଦ୍ର ନିର୍ମାଣର ମଧ୍ୟ ଯୋଜନା ଅଛି।

ତେବେ ଦୁବାଇ ସୁନା ବ୍ୟବସାୟ ପାଇଁ ସାରା ବିଶ୍ୱରେ ବେଶ୍‌ ପ୍ରସିଦ୍ଧ। ଏଠାରେ ଥିବା ‘ଗୋଲ୍ଡ ସୁକ୍‌’ ଭଳି ବଜାରରେ ଶହ ଶହ ସୁନା ଦୋକାନ ରହିଛି। ସୁନା ଉପରେ କମ୍‌ ଟିକସ ଓ ଶୁଦ୍ଧତା ଯାଞ୍ଚର ବ୍ୟବସ୍ଥା ଯୋଗୁଁ ଏହା ଅନ୍ତର୍ଜାତୀୟ ଗ୍ରାହକଙ୍କୁ ଆକର୍ଷିତ କରେ। ସେଥିପାଇଁ ଦୁବାଇକୁ ‘ସିଟି ଅଫ୍‌ ଗୋଲ୍ଡ’ ବୋଲି ମଧ୍ୟ କୁହାଯାଏ। ଆଉ ଏବେ ଦୁବାଇର ଲକ୍ଷ୍ୟ କେବଳ ସୁନା ବିକ୍ରି ନୁହେଁ; ଏହାକୁ ବିଶ୍ୱର ପ୍ରମୁଖ ସୁନା ବାଣିଜ୍ୟ କେନ୍ଦ୍ର ଏବଂ ପର୍ଯ୍ୟଟନ ସ୍ଥଳ ଭାବେ ଆହୁରି ଆକର୍ଷଣୀୟ କରିବା। ଯଦି ଯୋଜନା ଅନୁସାରେ ଏହି ସୁନା ରାସ୍ତାମ ବର୍ଷ ଶେଷ ସୁଦ୍ଧା ଖୋଲେ, ତେବେ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ନୂଆ ଅନୁଭବ ହୋଇପାରେ।

Leave A Reply

Your email address will not be published.