Latest Odisha News

BREAKING NEWS

ଶିକାରୀ ଫାଶରେ ପଡ଼ି କଲରାପତରିଆର ମୃତ୍ୟୁ

ଅନୁଗୋଳ: ଜଙ୍ଗଲରୁ ମିଳିଲା କଲରାପତରିଆ ବାଘର ମୃତଦେହ । ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମିଣ୍ଡୋଳ ଗାଁ ମଠ ନିକଟସ୍ଥ କାଜୁ ବଗିଚା ପରିସରରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶିକାରୀ ଦ୍ଵାରା ବିଛା ଯାଇଥିବା ବିଦ୍ୟୁତ୍ ଫାଶରେ ପଡି ବାଘଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଗତକାଲି ସକାଳେ ମିଣ୍ଡୋଳ ଗାଁର କେତେକ ଗାଇ ଚରାଳି କାଜୁ ବଗିଚା ଦେଇ ଯାଉଥିବା ବେଳେ ମୃତ ବାଘଟିକୁ ଦେଖିଥିଲେ । ସଙ୍ଗେ ସଙ୍ଗେ ଏନେଇ ଧଣ୍ଡାତୋପା ବନବିଭାଗକୁ ଖବର ଦେଇଥିଲେ ଉକ୍ତ ଗାଇ ଚରାଳି । କିନ୍ତୁ ଦିନ ଯାଇ ରାତି ପାହିଯାଇଥିଲେ ମଧ୍ୟ ବନବିଭାଗ ତରଫରୁ କେହି ବି ଘଟଣାସ୍ଥଳରେ ପହଞ୍ଚିନଥିଲେ । ସେହି ଲୋକଙ୍କ କହିବା ଅନୁସାରେ ବାଘର ମୃତଦେହଟି ଏକ ସପ୍ତାହ ପୁର୍ବର ହୋଇଥିବା ଜଣାପଡୁଥିଲେ ମଧ୍ୟ ଏଯାବତ୍ ବନବିଭାଗ ପାଖରେ ଖବର ନାହିଁ । ଏପଟେ ଗତକାଲି ଖବର ଦିଆଯାଇଥିଲେ ବି ବନବିଭାଗ ଘଟଣାସ୍ଥଳରେ ପହଞ୍ଚିନାହିଁ । ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ସାତକୋଶିଆ ଅଭୟାରଣ୍ୟ କୁଲାଙ୍ଗୀ ଗାଁ ପାଖରେ ବିଦ୍ୟୁତ୍ ଫାଶରେ ପଡି ୨ଟି ବାଘଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ରାଜ୍ୟରେ କ୍ରମାଗତ ଭାବରେ ବାଘ ସଂଖ୍ୟା କମୁଥିବା ବେଳେ ଶିକାର କରୁଥିବା ଶିକାରୀ କରୁଥିବା ଅଭିଯୁକ୍ତଙ୍କୁ ଧରି କଡା ଦଣ୍ଡ ଦିଆଯିବା ନେଇ ସାଧାରଣଲୋକେ ଦାବୀ କରୁଛନ୍ତି ।

Leave A Reply

Your email address will not be published.