Latest Odisha News

BREAKING NEWS

ଭୁବନେଶ୍ୱର RBIରୁ ଟଙ୍କା ଚୋରି, ସିସିଟିଭିରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ମ୍ୟାନେଜର

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଭୁବନେଶ୍ୱର ଶାଖାରୁ ଟଙ୍କା ଚୋରି ହୋଇଛି । ତାହା ପୁଣି ହାଇସିକ୍ୟୁରିଟିରେ ଥିବା ସିଭିପିଏସ୍ (କରେନ୍ସି ଭେରିଫିକେସନ୍ ଆଣ୍ଡ ପ୍ରୋସେସିଂ ସିଷ୍ଟମ) ରୁମରୁ । ଆଉ ଚୋରି କେହି ବାହାର ଲୋକ ନୁହେଁ ବରଂ ଏଥିରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।

ଏନେଇ ଆରବିଆଇର ଆସିଷ୍ଟାଣ୍ଟ ଜିଏମ୍ ତଥା କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ସିସିଟିଭି ଫୁଟେଜରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚୋରି କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ଟଙ୍କା ଚୋରିରେ ଆରବିଆଇ ଆସିଷ୍ଟାଣ୍ଟ ମ୍ୟାନେଜର ଅମିତ୍ କୁମାର ମଣ୍ଡଳଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ, ଗତ ୧୭ ତାରିଖରେ ଆରବିଆଇ ଟଙ୍କା ଟ୍ରେଜରୀ ଦାୟିତ୍ୱରେ ଥିଲେ ଆସିଷ୍ଟାଣ୍ଟ ମ୍ୟାନେଜର ଅମିତ୍ ମଣ୍ଡଳ । ସେ ଟଙ୍କା ଗଣି ଅନ୍ୟ ବ୍ୟାଙ୍କକୁ ପଠାଉଥିଲେ । ସେହିଦିନ ସେ ଟଙ୍କା ରଖାଯାଇଥିବା ହାଇସିକ୍ୟୁରିଟି ସିଭିପିଏସ୍ ରୁମକୁ ଯାଇଥିଲେ । ଆଉ ୨୦ ହଜାର ଟଙ୍କା ବଣ୍ଡରୁ ବାହାର କରି ପକେଟରେ ପୂରାଇ ଥିଲେ ।

ଯାହାକି ଖାଲି ୫ ଶହ ଟଙ୍କିଆ ଥିଲା । ଦୁଇ ଦିନ ପରେ ଅନ୍ୟ ବ୍ୟାଙ୍କକୁ ପଠା ଯାଇଥିବା ଟଙ୍କାର ହିସାବ ବେଳେ ୪୦ଟି ୫ ଶହ ଟଙ୍କିଆ ନୋଟ୍ ନଥିବା ଜଣା ପଡ଼ିଥିଲା । ଏହାପରେ ଦାୟିତ୍ୱରେ ଥିବା ଅମିତ୍ ମଣ୍ଡଳଙ୍କୁ କର୍ତ୍ତୃପକ୍ଷ ପଚାରିବାରୁ ସେ ଜାଣି ନଥିବା କହିଥିଲେ । ଫଳରେ ବାଧ୍ୟ ହୋଇ ପୋଲିସକୁ ଜଣାଇଥିଲେ କର୍ତ୍ତୃପକ୍ଷ । ପୋଲିସ ସିସିଟିଭି ଯାଞ୍ଚ କରିବା ପରେ ଅମିତ୍ ଟଙ୍କା ବଣ୍ଡଲରୁ କାଢ଼ି ପକେଟରେ ରଖୁଥିବା ଦେଖାଯାଇଥିଲା ।

ଏନେଇ ପୋଲିସ ଅମିତଙ୍କୁ ପଚରାଉଚରା କରିଛି । ଲୋଭରେ ପଡ଼ି ଏଭଳି କାର୍ଯ୍ୟ କରିଥିବା ସେ କହିଛନ୍ତି । ସିସିଟିଭିରୁ ସବୁ ସତ ଜଣାପଡ଼ିବା ପରେ ଆରବିଆଇ ଭୁବନେଶ୍ୱର ପକ୍ଷରୁ ଅମିତ ମଣ୍ଡଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ଚିଠି ଲେଖା ଯାଇଛି । ଏଥିସହ ଅମିତ ଦାୟିତ୍ୱରେ ରହିଥିବା ଦିନ ଗୁଡ଼ିକର ଟଙ୍କା ଯାଞ୍ଚ ଆରବିଆଇ ଯାଞ୍ଚ କରୁଛି ।

Leave A Reply

Your email address will not be published.