Latest Odisha News

BREAKING NEWS

ବାହାନଗା ଦୁର୍ଘଟଣାରେ ୩ ଖଳନାୟକଙ୍କ ହାତରେ ପଡ଼ିଲା ହାତକଡ଼ି, ଜାଣିଶୁଣି ଘଟାଇଥିଲେ ଅପରାଧ !

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଆରମ୍ଭ କଲା ଗିରଫଦାରୀ । ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି । ଆଇପିସି ଧାରା ୩୦୪ ଓ ୨୦୧ରେ ୩ ଜଣଙ୍କୁ ସିବିଆଇର ଗିରଫ କରିଥିବା ଜଣାପଡ଼ିଛି ।

ଭାରତୀୟ ରେଳବାଇର ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ଟେକ୍ନିସିଆନ୍ ପପୁ କୁମାର, ସିନିୟର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କୁ ସିବିଆଇ ଗିରଫ କରିଛି । ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲି ଦେବା, ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଆଦି ଅଭିଯୋଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହା ପୂର୍ବରୁ ରେଲୱେ ସେଫ୍ଟିକମିଶନରଙ୍କ ରିପୋର୍ଟ ଆସିଥିବା ବେଳେ ଦୁର୍ଘଟଣା ମନ୍ୟୁଷକୃତ ବୋଲି ରିପୋର୍ଟରେ କୁହା ଯାଇଥିଲା । ଟ୍ରେନ୍ ଦୁର୍ଘଟଣାରେ ୩ ଦିନ ମଧ୍ୟରେ ରେଲୱେ ବୋର୍ଡ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ମଧ୍ୟ ଷଡ଼ଯନ୍ତ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ତେବେ ଗିରଫ ୩ ଜଣ ହିଁ ଦୁର୍ଘଟଣା ପାଇଁ ଦାୟୀ ନା ଏଥିରେ ଆଉ କାହାରି ସମ୍ପୃକ୍ତି ରହିଛି । ସେନେଇ ସିବିଆଇ ଖୋଳତାଡ଼ ଜାରି ରଖିଛି ।

ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ବେଳେ ବାହାନଗା ରୋଡ୍ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍ । ମାଲବାହୀକୁ କରମଣ୍ଡଳ ଧକ୍କା ଦେବା ପରେ କିଛି କୋଚ୍ ଅନ୍ୟ ଟ୍ରାକକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

Leave A Reply

Your email address will not be published.