Latest Odisha News

BREAKING NEWS

ଆଜିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ପରୀକ୍ଷା ହଲ୍ ରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସଇ ଅଧୀନରେ ଥିବା ସମସ୍ତ ସ୍କୁଲମାନଙ୍କରେ ଏହି ପରୀକ୍ଷା ଚାଲିବ । ଦଶମ ପରୀକ୍ଷା ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ ତାରିଖ ଯାଏଁ ଚାଲିବ । ଛାତ୍ରଛାତ୍ରୀମାନେ ଯେପରି ପରୀକ୍ଷା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭ ଲଗାଯାଇଛି ।

ଚଳିତ ବର୍ଷ ଭାରତ ସମେତ ବିଦେଶର ୨୬ଟି ଦେଶର ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବେ । ସେଥିମଧ୍ୟରୁ ଓଡ଼ିଶାରୁ ୧ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସକାଳ ସାଢ଼େ ୧୦ଟାରୁ ପରୀକ୍ଷା ଆରମ୍ଭ । ୩୦ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି । ଆଡମିଟ୍ କାର୍ଡ ଆଣିନଥିଲେ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ ।

୨୦୨୪ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବ। ଫେବ୍ରୁଆରି ଆଜି, ଆସନ୍ତାକାଲି ଏବଂ ୧୭ତାରିଖରେ ଆର୍ଟ, ମ୍ୟୁଜିକ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଥିବାବେଳେ ମୁଖ୍ୟ ପରୀକ୍ଷା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବ। ଦଶମ ବୋର୍ଡର ସବୁ ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ। ମୁଖ୍ୟ ବିଷୟରେ ପରୀକ୍ଷାଗୁଡ଼ିକ ପାଇଁ ୩ ଘଣ୍ଟା ସମୟ ମିଳିବ।

ଅନ୍ୟପଟେ ସିବିଏସଇ ଦ୍ୱାଦଶ ପରୀକ୍ଷା ମଧ୍ୟ ଆଜିଠୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖରେ ଯାଏଁ ଚାଲିବ। ସବୁ ଦ୍ୱାଦଶ ପରୀକ୍ଷା ମଧ୍ୟ ସକାଳ ୧୦ଟା ୩୦ରୁ ଆରମ୍ଭ ହେବ। କେବଳ ଆର୍ଟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟକୁ ବାଦ ଦେଲେ ପ୍ରତି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ୩ ଘଣ୍ଟା ସମୟ ମିଳିବ। ତେବେ ପରୀକ୍ଷା ହଲ୍ ଭିତରେ ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ କୌଣସି ଜିନିଷ ଦେବା ନେବା କରିପାରିବେ ନାହିଁ । ଛାତ୍ରଛାତ୍ରୀ ପରୀକ୍ଷା ହଲ୍ ଭିତରକୁ କୌଣସି ବୈଦ୍ୟୁତିକ ସାମଗ୍ରୀ ନଆଣିବା ପାଇଁ ସିବିଏସଇ ବାରଣ କରିଛି ।

Leave A Reply

Your email address will not be published.