Latest Odisha News

ସିସିଡି ପ୍ରତିଷ୍ଠାତାଙ୍କ ଆତ୍ମହତ୍ୟା: ଏହି ରାସ୍ତାକୁ ଆପଣେଇ ନେଇଥିବା ଅନ୍ୟ ୫ ସିଇଓ

ବେଙ୍ଗାଲୁରୁ: ଭାରତର ସର୍ବ ବୃହତ କଫି ସପ୍ ‘କାଫେ କଫି ଡେ’ର ପ୍ରତିଷ୍ଠାତା ଭି.ଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା କର୍ପୋରେଟ ଦୁନିଆର ଏକ ଅସୁନ୍ଦର ସତକୁ ପଦାରେ ପକାଇଛି । ଯାହାକୁ ନଜର ଅନ୍ଦାଜ କରିବା ନିହାତି ଭାବେ କଷ୍ଟ ।

ତେବେ କର୍ପୋରେଟ ଦୁନିଆର ଦିଗଜ୍ଜ ମାନଙ୍କ ଭିତରେ ସିଦ୍ଧାର୍ଥ ପ୍ରଥମ ନୁହେଁ ଯିଏ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ବଡ଼ ବଡ଼ କମ୍ପାନୀରରେ ଉଚ୍ଚ ପଦପଦବୀରେ ଥିବା କାର୍ଯ୍ୟକର୍ତ୍ତା ମାନେ କମ୍ପାନୀର ଷ୍ଟେକହୋଲଡରମାନଙ୍କ ଦାବି ଓ ଚିନ୍ତା ସହ ପରିସ୍ଥିତିକୁ ସାମ୍ନା କରିନପାରି ଆତ୍ମହତ୍ୟା କରିଥିବା ନଜରରେ ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅଧ୍ୟୟନ ଅନୁସାରେ ଘରୋଇ ଉଦ୍ୟୋଗ ଗୁଡିକର ୪୨.୫ ପ୍ରତିଶତ କାର୍ଯ୍ୟକର୍ତ୍ତା କାମର ଚାପ ଯୋଗୁଁ ଚିନ୍ତା ଓ ଡିପ୍ରେସନରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଏହି ଚାପକୁ ସଯ୍ୟ କରିପାରୁନାଥିବା ବ୍ୟକ୍ତି ମାନେ ଏହିଭଳି ଚରମ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଏଠାରେ ୫ ଜଣ କାର୍ଯ୍ୟ ଅଧିକାରୀଙ୍କ ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁମାନେ କର୍ପୋରେଟ ଦୁନିଆର ଚାପ ସମ୍ଭାଳି ନପାରି ନିଜ ଜୀବନ ହରାଇଛନ୍ତି ।

୧.ଲଲିତ ସେଠ୍(୫୬) ରାଜ୍ ଟ୍ରାଭେଲ ୱାର୍ଲଡ଼ ର ପ୍ରତିଷ୍ଠାତା:
ଲଲିତ ୨୦୧୨ ମସିହାରେ ଘରକୁ ଫେରୁଥିବା ସମୟରେ ମୁମ୍ବାଇର ବାନ୍ଦ୍ରା ଠାରେ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିଥିଲେ । ରିପୋର୍ଟ ଅନୁଯାୟୀ ଲଲିତ ଏତେ ଧାର କରଜ କରିଥିଲେ ଯେଉଁଥିପାଇଁ ଅନେକ ସମୟରେ ସେ ଚିନ୍ତାରେ ରହୁଥିଲେ । ଆଉ ଏହି ଚିନ୍ତା ହିଁ ତାଙ୍କ ଆତ୍ମହତ୍ୟାର କାରଣ ଥିଲା ।

୨.ବିନୀତ(୪୭) ଏନସାଇକ୍ଲୋପିଡ଼ିଆ ବ୍ରିଟାନିକାର ସିଓଓ (ଦକ୍ଷିଣ ଏସିଆ):
ବିନୀତ ୨୦୧୬ ମସିହାରେ ଗୁରୁଗ୍ରାମର ଏକ ଫ୍ଲାଟର ୧୯ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ରିପୋର୍ଟ ଅନୁସାରେ ସେ ଡିପ୍ରେସନ ଦେଇ ଗତି କରୁଥିଲେ । ଯାହାକି ତାଙ୍କ ଆତ୍ମହତ୍ୟାର ମଧ୍ୟ କାରଣ ଥିଲା ।

୩.ଅଙ୍ଗଦ ପଲ୍(୪୫) କପାରୋ ଇଣ୍ଡଷ୍ଟ୍ରିର ସିଇଓ:
ବ୍ୟବସାୟୀ ସ୍ୱରାଜ ପଲଙ୍କ କମ୍ପାନୀ କ୍ଷତିରେ ଚାଲିବାରୁ ଏହାକୁ ବୁଝାସୁଝା କରୁଥିବା ତାଙ୍କ ପୁଅ ଅଙ୍ଗଦ ୨୦୧୬ ମସିହାରେ ସେଣ୍ଟ୍ରାଲ ଲଣ୍ଡନ ସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ ।

୪.କାର୍ଲ ସ୍ଲେମ(୫୨) ଟାଟା ମୋଟର୍ସର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର:

କାର୍ଲ ୨୦୧୪ ମସିହାରେ ବ୍ୟାଙ୍କକ୍ ଯାଇଥିବା ସମୟରେ ନିଜ ଜୀବନ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ ହୋଇରହିଛି ।

୫.ସୁଟୋମୋ ଓମର, ଅଲମ୍ପସ ମେଡିକାଲ ସିଷ୍ଟମ ଇଣ୍ଡିଆର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର:
ଗୁରୁଗ୍ରାମ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ୨୦୧୨ ମସିହାରେ ଝୁଲୁଥିବା ଅବସ୍ଥାରେ ଓମରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ଲିଖିତ ଏକ ସୁଇସାଇଡ଼ ନୋଟ ମଧ୍ୟ ପୋଲିସ ଜବତ କରିଥିଲା। ଯେଉଁଥିରେ ସେ କମ୍ପାନୀରେ ହୋଇଥିବା ଅସୁବିଧା ପାଇଁ ଲଜ୍ଜିତ ଓ ଦୁଃଖିତ ଥିବା ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.