Latest Odisha News

BREAKING NEWS

ଷ୍ଟ୍ରଙ୍ଗ୍ ରୁମ୍‌ରେ ସିସିଟିଭି ବିଭ୍ରାଟ: ଘଣ୍ଟାଏ ଧରି କାହିଁକି ବନ୍ଦ ରହିଲା କ୍ୟାମେରା ପ୍ରଶ୍ନ କଲା ଟିିଏମସି

ପୂର୍ବ ବର୍ଦ୍ଧମାନ: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଛି ସିସିଟିଭି ବିଭ୍ରାଟ। ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ୍ ରୁମ୍‌ରେ ସିସି କ୍ୟାମେରା ବନ୍ଦ ରହିବା ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି। ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଏହି ସାଂଘାତିକ ଅଭିଯୋଗ ଅଣାଯାଇଛି, ଯାହା ନିର୍ବାଚନୀ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି।

ସୂଚନା ଅନୁଯାୟୀ, ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ଯଥା- ଆଉଶଗ୍ରାମ, ଭାତାର, ଗଲ୍‌ସି, ବର୍ଦ୍ଧମାନ ଉତ୍ତର ଏବଂ ବର୍ଦ୍ଧମାନ ଦକ୍ଷିଣର ଷ୍ଟ୍ରଙ୍ଗ୍ ରୁମ୍ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟର ଗୋଲାପବାଗ କ୍ୟାମ୍ପସ୍ ସ୍ଥିତ ୟୁଆଇଟି (UIT) ଭବନରେ ରହିଛି। ରବିବାର ଦିନ ଆଉଶଗ୍ରାମ ବିଧାନସଭାର ଷ୍ଟ୍ରଙ୍ଗ୍ ରୁମ୍‌ରେ ଥିବା ସିସିଟିଭି କ୍ୟାମେରା ପ୍ରାୟ ଘଣ୍ଟାଏ ୧୫ ମିନିଟ୍ ଧରି ବନ୍ଦ ଥିଲା ବୋଲି ଅଭିଯୋଗ ହୋଇଛି। ଦଳୀୟ ନେତାଙ୍କ ନିର୍ଦ୍ଦିଷ୍ଟ ଦାବି ଅନୁସାରେ, ସକାଳ ୯ଟା ୨୪ ମିନିଟ୍‌ରୁ ୧୦ଟା ୩୭ ମିନିଟ୍ ପର୍ଯ୍ୟନ୍ତ କ୍ୟାମେରା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ଏ ନେଇ ଜିଲ୍ଲା ଟିଏମ୍‌ସି ଛାତ୍ର ପରିଷଦର ସଭାପତି ସ୍ୱରାଜ ଘୋଷ କହିଛନ୍ତି ଯେ, ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ତୁରନ୍ତ ନିର୍ବାଚନ କମିଶନ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା। କିନ୍ତୁ ଏଯାବତ୍ ଏହାର କୌଣସି ସମାଧାନ ବାହାରି ପାରିନାହିଁ। ତାଙ୍କ କହିବା କଥା, “ଆମେ ସକାଳୁ ସିସିଟିଭି ଉପରେ କଡ଼ା ନଜର ରଖିଥିଲୁ। ହଠାତ୍ ଦେଖିଲୁ କ୍ୟାମେରା ବନ୍ଦ ହୋଇଯାଇଛି। ସଙ୍ଗେ ସଙ୍ଗେ ଆମେ କର୍ତ୍ତୃପକ୍ଷଙ୍କୁ ଏବାବଦରେ ଜଣାଇଥିଲୁ।”

ସେହିପରି ସମାନ ଅଭିଯୋଗ ଆଣିଛନ୍ତି ଜିଲ୍ଲା ଟିଏମ୍‌ସି ଯୁବ କଂଗ୍ରେସ ଉପସଭାପତି ସେଖ୍ ଆବଜଲ୍ ରହମାନ। ସେ କହିଛନ୍ତି, “କ୍ୟାମେରା ବନ୍ଦ ଥିବା ସମୟର ଫୁଟେଜ୍ ଦେଖାଇବା ପାଇଁ ଆମେ ଦାବି କରିଛୁ। କିନ୍ତୁ କମିଶନ ଏପର୍ଯ୍ୟନ୍ତ ତାହା ଦେଖାଇପାରି ନାହାନ୍ତି। ଫଳରେ ଏହି ଗୋଟିଏ ଘଣ୍ଟା ଭିତରେ କ’ଣ ସବୁ ଘଟିଲା, ସେହି ସମଗ୍ର ବିଷୟକୁ ନେଇ ରହସ୍ୟ ଆହୁରି ଘନୀଭୂତ ହେବାରେ ଲାଗିଛି।”

ଭୋଟ୍ ଗଣତି ପୂର୍ବରୁ ଇଭିଏମ୍‌ର ସୁରକ୍ଷାକୁ ନେଇ ଏପରି ଏକ ବିଭ୍ରାଟ ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଆରୋପ-ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଯାଇଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି ନା ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

Leave A Reply

Your email address will not be published.