Latest Odisha News

BREAKING NEWS

ବ୍ୟବସାୟୀଙ୍କ ନିଖୋଜ ମାମଲାରେ ନୂଆ ଟ୍ୱିଷ୍ଟ: ମାମଲାରେ ସ୍କୁଲ ଶିକ୍ଷକଙ୍କ ସମ୍ପୃକ୍ତି ଥିବା ନେଇ ମିଳିଛି ସୁରାକ୍

ବୌଦ୍ଧ: ୪ ଦିନ ଧରି ନିଖୋଜ ଥିବା ବୌଦ୍ଧ ସହରର କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲଙ୍କ ନିଖୋଜ ମାମଲାରେ ସିସିଟିଭି (CCTV) ଫୁଟେଜରୁ ଜଣେ ସ୍କୁଲ ଶିକ୍ଷକଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଛି। ସମ୍ପୃକ୍ତ ଶିକ୍ଷକଙ୍କ ନାମ ସ୍ୱାଧୀନ କୁମାର ପ୍ରଧାନ ବୋଲି ଜଣାପଡ଼ିଛି। ବୌଦ୍ଧ ଗାନ୍ଧୀ ଛକ ଅଞ୍ଚଳର ବାସିନ୍ଦା ବିରୂପାକ୍ଷ ଅଗ୍ରୱାଲ ଗତ ନଭେମ୍ବର ୧୨ ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ତାଙ୍କ ପରିବାର ଲୋକେ ନଭେମ୍ବର ୧୩ ତାରିଖରେ ବୌଦ୍ଧ ଆଦର୍ଶ ଥାନାରେ ଅପହରଣ ଅଭିଯୋଗ ଦାଖଲ କରିଥିଲେ।

ବିଶିପାଲି ଛକ ଏବଂ କଦଳୀଗଡ଼ ନିକଟସ୍ଥ ଏକ ଦୋକାନର ସିସିଟିଭି ଫୁଟେଜରେ ବିରୂପାକ୍ଷ ଓ ଶିକ୍ଷକ ସ୍ୱାଧୀନ କୁମାର ପ୍ରଧାନ ଏକ ବାଇକରେ ରେଢ଼ାଖୋଲ ଅଭିମୁଖେ ଯାଉଥିବାର ଦେଖାଯାଇଛି। ତେବେ ପରବର୍ତ୍ତୀ ସମୟରେ କଦଳୀଗଡ଼ ଟୋଲଗେଟ୍ ନିକଟସ୍ଥ ସିସିଟିଭି ଫୁଟେଜରେ କେବଳ ସ୍ୱାଧୀନ ଏକୁଟିଆ ବାଇକରେ ଫେରୁଥିବା ନଜର ଆସିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିରୂପାକ୍ଷ ଶିକ୍ଷକ ସ୍ୱାଧୀନଙ୍କୁ କିଛି ଟଙ୍କା ଧାର ଦେଇଥିଲେ ଏବଂ ତାହା ଫେରସ୍ତ ପାଇବା ପାଇଁ ବାରମ୍ବାର କହୁଥିଲେ। ଟଙ୍କା ଫେରାଇବା ବାହାନାରେ ସ୍ୱାଧୀନ ତାଙ୍କୁ ଡାକି ନେଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଉଛି।

ଅଭିଯୋଗ ପରେ ପୋଲିସ ବୌଦ୍ଧ ବଡ଼ପୁଲିଆ ନିକଟରେ ଥିବା ଶିକ୍ଷକ ସ୍ୱାଧୀନଙ୍କ ଘରେ ପହଞ୍ଚିଥିଲା। ସେଠାରେ ଘରେ ତାଲା ଝୁଲୁଥିବା ବେଳେ ସେ ମଧ୍ୟ ଫେରାର ଅଛନ୍ତି। ପୋଲିସ ସିସିଟିଭି ଏବଂ ମୋବାଇଲ ଟ୍ରାକିଂ ଆଧାରରେ ତଦନ୍ତ ଚଳାଇଥିବା ବେଳେ ବ୍ୟବସାୟୀଙ୍କୁ ଶୀଘ୍ର ଉଦ୍ଧାର କରିବା ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

Leave A Reply

Your email address will not be published.