Latest Odisha News

BREAKING NEWS

ଉଦଘାଟିତ ହେଲା ୩ଟି ପର୍ଯ୍ୟଟନ ସ୍ଥଳୀରେ ‘ଇକୋ ରିଟ୍ରିଟ୍ ୨୦୨୬’

ଭୁବନେଶ୍ୱର: ଆଜି ‘ଇକୋ ରିଟ୍ରିଟ୍ ୨୦୨୬’ର ଶୁଭାରମ୍ଭ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ସ୍ଥିତ ପର୍ଯ୍ୟଟନ ଭବନରୁ ଆଭାସୀ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି । ଏଥିସହ ରାଜ୍ୟର ତିନୋଟି ମନୋରମ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ, ଦାରିଙ୍ଗବାଡ଼ି ଏବଂ ହୀରାକୁଦଠାରେ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି ।

ପର୍ଯ୍ୟଟକମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ପର୍ଯ୍ୟଟକମାନେ କୌଣସି ସ୍ଥାନକୁ ବୁଲିବାକୁ ଆସିଲେ କେବଳ ସେହି ସ୍ଥାନକୁ ଦେଖନ୍ତି ନାହିଁ, ବରଂ ସେଠାରୁ ମିଳିଥିବା ଅନୁଭୂତିକୁ ସାଙ୍ଗରେ ନେଇ ଫେରନ୍ତି।” ତେଣୁ ପ୍ରତ୍ୟେକ ଆଗନ୍ତୁକଙ୍କ ପାଇଁ ଅନନ୍ୟ, ସମୃଦ୍ଧ ଏବଂ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବା ଉପରେ ଆମର ଧ୍ୟାନ ରହିବା ଉଚିତ ବୋଲି ସେ ସମସ୍ତ ଜିଲ୍ଲା ର ପର୍ଯ୍ୟଟନ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶାର ପର୍ଯ୍ୟଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର, ଘରୋଇ ଅଂଶୀଦାର ଏବଂ ସ୍ଥାନୀୟ ଗୋଷ୍ଠୀଙ୍କ ମଧ୍ୟରେ ଏକ ମିଳିତ ପ୍ରୟାସ ଅତ୍ୟନ୍ତ ଜରୁରୀ, ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।

ପର୍ଯ୍ୟଟନ ବିଭାଗର ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ‘ଇକୋ ରିଟ୍ରିଟ୍’ ପ୍ରକୃତି, ବିଳାସପୂର୍ଣ୍ଣ ଆତିଥ୍ୟ ଏବଂ ଅନୁଭୂତିଭିତ୍ତିକ ପର୍ଯ୍ୟଟନର ଏକ ଅନନ୍ୟ ସମନ୍ୱୟ ପ୍ରଦାନ କରେ। ଏହା ପର୍ଯ୍ୟଟକମାନଙ୍କୁ ପ୍ରାକୃତିକ ପରିବେଶ ମଧ୍ୟରେ ବିଳାସପୂର୍ଣ୍ଣ ତମ୍ବୁରେ ରହିବାର ସୁଯୋଗ ଦେବା ସହ ଦୁଃସାହସିକ କ୍ରୀଡ଼ା, ସ୍ଥାନୀୟ ଖାଦ୍ୟ ଏବଂ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବାର ସୁଯୋଗ ଦେଇଥାଏ।

ଚଳିତ ବର୍ଷର ସଂସ୍କରଣର ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ‘ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ମଡେଲ’ର କାର୍ଯ୍ୟକାରୀତା, ଯାହା ଘରୋଇ କ୍ଷେତ୍ରର ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହ ବୃତ୍ତିଗତ ପରିଚାଳନା ସୁନିଶ୍ଚିତ କରିବ। ଏହି ବ୍ୟବସ୍ଥା ଅଧୀନରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍ ସୁବିଧା ସ୍ଥାପନ ଓ ପରିଚାଳନା ପାଇଁ ମନୋନୀତ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିଗୁଡ଼ିକୁ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଏହି ତିନୋଟି ସ୍ଥାନରେ ମୋଟ ୧୨୫ଟି ବିଳାସପୂର୍ଣ୍ଣ ତମ୍ବୁ (Luxury Tents) ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ସେଥିମଧ୍ୟରୁ ଦାରିଙ୍ଗବାଡ଼ିରେ ୨୫ଟି, ହୀରାକୁଦରେ ୫୦ଟି ଏବଂ ସାତକୋଶିଆରେ ୫୦ଟି ତମ୍ବୁ ସ୍ଥାପନ କରାଯିବ। ଦାରିଙ୍ଗବାଡ଼ି ଏବଂ ସାତକୋଶିଆରେ ଏହି ସୁବିଧା ସର୍ବନିମ୍ନ ୧୫୦ ଦିନ ପାଇଁ କାର୍ଯ୍ୟକ୍ଷମ ରହିବାକୁ ଥିବାବେଳେ ହୀରାକୁଦରେ ଏହା ସର୍ବନିମ୍ନ ୧୨୦ ଦିନ ପାଇଁ ଖୋଲା ରହିବ।

ଏହି ପଦକ୍ଷେପ ଦ୍ୱାରା ସ୍ଥାୟୀ ପର୍ଯ୍ୟଟନର ପ୍ରସାର ହେବା ସହ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଉଦ୍ୟୋଗିତାକୁ ପ୍ରୋତ୍ସାହନ ମିଳିବ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାର ପରିଚୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

‘ଇକୋ ରିଟ୍ରିଟ୍ ୨୦୨୬–୨୭’ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ଓଡ଼ିଶାକୁ କେବଳ ଏକ ଭ୍ରମଣ ସ୍ଥଳୀ ଭାବେ ନୁହେଁ, ବରଂ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି ଏବଂ ଆତିଥ୍ୟ ସହ ପର୍ଯ୍ୟଟକଙ୍କୁ ଯୋଡ଼ୁଥିବା ଏକ ଅନନ୍ୟ ଅନୁଭୂତିର କେନ୍ଦ୍ର ଭାବେ ଉପସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.