ନୂଆଦିଲ୍ଲୀ: ଇରାନର ରାଜଧାନୀ ତେହେରାନର ଜଣେ ଦୋକାନୀ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି ଦୋକନୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପରି ଦେଖାଯାଉଛନ୍ତି । ଦୋକାନୀଙ୍କ ଏକ ୯ ସେକେଣ୍ଡର ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ତାଙ୍କ ଦୋକାନରେ ତରାଜୁ ପଛରେ ବସିଥିବାର ଦେଖାଯାଉଛି। ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକମାନେ ତାଙ୍କ ମୁହଁ, କେଶ ସଜ୍ଜା ଏବଂ ଆଚରଣକୁ ନେତାନ୍ୟାହୁଙ୍କ ସହିତ ତୁଳନା କରୁଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ, ଏହି ବ୍ୟକ୍ତି ତେହେରାନରେ ଶୁଖିଲା ଫଳ ଏବଂ ମିଠା ବିକ୍ରି କରୁଥିବା ଏକ ଦୋକାନ ଚଳାଉଛନ୍ତି। ଭିଡିଓଟି ଇରାନ ଏବଂ ଆରବ ଦେଶର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବା ପରେ ୟୁଜର୍ସ ବିଭିନ୍ନ ମିମ୍ ସୃଷ୍ଟି କରୁଛନ୍ତି। କେତେକ ତାଙ୍କୁ ମଜାରେ ଇରାନର ନେତାନ୍ୟାହୁ ବୋଲି କହୁଛନ୍ତି, ଯେତେବେଳେ କି ଅନ୍ୟମାନେ ତାଙ୍କ ରୂପ ବିଷୟରେ ଆକର୍ଷଣୀୟ ମନ୍ତବ୍ୟ ଦେଇଛନ୍ତି।
ତୁର୍କୀ ଏବଂ ଆରବ ଗଣମାଧ୍ୟମରେ କିଛି ରିପୋର୍ଟ ଦାବି କରିଛନ୍ତି ଯେ, ନେତାନ୍ୟାହୁଙ୍କ ପରି ତାଙ୍କର ଚେହେରା ହେବା ଯୋଗୁଁ କିଛି ଲୋକ ଦୋକାନ ବର୍ଜନ କରୁଛନ୍ତି। ସୋସିଆଲ ମିଡିଆରେ ବର୍ଜନ ଅଭିଯାନ ଏବଂ ଗ୍ରାହକମାନେ ସାମଗ୍ରୀ କିଣିବା ବନ୍ଦ କରିବାର ମଧ୍ୟ ରିପୋର୍ଟ ରହିଛି। ଏହି ଦାବି ଅନୁଯାୟୀ, ଏହା ଦୋକାନୀଙ୍କ ବ୍ୟବସାୟକୁ ପ୍ରଭାବିତ କରୁଛି। ଏହି ସମୟରେ, ସୋସିଆଲ ମିଡିଆରେ କିଛି ଲୋକ ତାଙ୍କୁ ତାଙ୍କର ରୂପ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଉଛନ୍ତି।
କିଛି ଆରବ ଗଣମାଧ୍ୟମ ଅନୁସାରେ, ଭାଇରାଲ ଭିଡିଓ ଏବଂ ଫଟୋଗୁଡ଼ିକ ପ୍ରକୃତ ଏବଂ ଏଆଇ ସାହାଯ୍ୟରେ ସୃଷ୍ଟି କରାଯାଇ ନାହିଁ। ତଥାପି ଭିଡିଓର ମୂଳ ଉତ୍ସ, ଏହାକୁ ସୁଟ୍ କରାଯାଇଥିବା ସମୟ ଏବଂ ଦୋକାନୀଙ୍କ ପ୍ରକୃତ ପରିଚୟ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ସମୟରେ ଏହି ଭିଡିଓଟି ଭାଇରାଲ ହୋଇଛି।
