କଟକ: କଟକ ସିଡିଏ ସେକ୍ଟର-୯ ଅଂଚଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି l ସେହିପରି ବଡ଼ମ୍ବାରେ ଆଉ ୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ପରେ ବଡମ୍ବା ପଞ୍ଚାୟତ ଓ ସଂଲଗ୍ନ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ଜଣାଯାଇଛି।
ସିଏମ୍ସି ପକ୍ଷରୁ କୁହାଯାଇଛି ଯେ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳକୁ ବାହାର ପଟରୁ କୌଣସି ଲୋକ ପ୍ରବେଶ କରିପାରିବେ ନାହିଁ। ସେହିଭଳି ନିଷିଦ୍ଧାଞ୍ଚଳରୁ ବାହାରକୁ କେହି ଯାଇପାରିବେ ନାହିଁ। କେବଳ ଜରୁରୀ କାମ ଥିଲେ ବାହାରକୁ ଯିବା ପାଇଁ ଅନୁମତି ମିଳିବ।
ଆଜି ବଡମ୍ବାରୁ ଜଣେ ବ୍ୟାଙ୍କ କ୍ୟାସିୟରଙ୍କ ସମେତ ୫ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡମ୍ବା ପଞ୍ଚାୟତ ଓ ସଂଲଗ୍ନ ଅଂଚଳକୁ ୭୨ ଘଣ୍ଟିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି l ଆଠଗଡ଼ ଉପଜିଲ୍ଲାପାଳ ବଡ଼ମ୍ବା ଅଗ୍ନିଶମ କାର୍ଯ୍ୟାଳୟ ଠାରୁ ସୁନାପାଳ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।
କଣ୍ଟେନମେଣ୍ଟ ଜୋନରେ ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ଜିନିଷ ଓ ଔଷଧ ସାମଗ୍ରୀ ମହାନଗର ନିଗମ ପକ୍ଷରୁ ଯୋଗାଇ ଦିଆଯିବ। ସେହିଭଳି କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ।