ଭୁବନେଶ୍ବର: ସହରରେ ଆବାସିକ ବ୍ୟବସାୟୀଙ୍କ ବ୍ୟବସାୟୀ ପ୍ରତିଷ୍ଠାନ ଭଙ୍ଗାଯିବାକୁ ନେଇ ବଡ କଥା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ସେ କହିଛନ୍ତି ଯେ, ସହରରେ ଆବାସିକ ବ୍ୟବସାୟୀଙ୍କ ବ୍ୟବସାୟୀ ପ୍ରତିଷ୍ଠାନ ଭଙ୍ଗା ହେବନାହିଁ କିମ୍ବା ନୂଆ ଦୋକାନ ମଧ୍ୟ ଖୋଲା ଯିବ ନାହିଁ । ଏହି ନିଷ୍ପତ୍ତି ବର୍ତ୍ତମାନ ସରକାରଙ୍କ ଗୃହ ଓ ନଗର ବିଭାଗ ଉପରେ ଅଛି । ଏହା ଉପରେ ଏକ ସ୍ୱତନ୍ତ୍ର ନିୟମ ଆଣିବାକୁ ଯୋଜନା କରୁଛି ଗୃହ ଓ ନଗର ଉନ୍ନୟନ ବିଭାଗ ।
ଯେପରି ଭାବେ ଦୋକାନୀ ଓ ବ୍ୟବସାୟୀମାନଙ୍କୁ କୌଣସି ସମସ୍ୟା ହେବନି ଏବଂ ସେମାନଙ୍କ ବ୍ୟବସାୟ ବାଧାପ୍ରାପ୍ତ ହେବ ନାହିଁ, ଆଉ ସରକାରଙ୍କ ସ୍ୱାର୍ଥ ମଧ୍ୟ ରହିବ ସେ ନେଇ ଆଲୋଚନା ଚାଲିଛି । କିଛି ବ୍ୟବସାୟୀ ମାନଙ୍କୁ ନିୟମିତ କରାଯିବ ବୋଲି ଯୋଜନା ରହିଛି । ଏହିଭଳି ନିୟମ ଫଳରେ ଦୋକାନୀ ମାନଙ୍କ ଉପରେ ଯେମିତି କିଛି ସମସ୍ୟା ନ ଦେଖା ଯିବ ସେଥିପ୍ରତି ଆମେ ଧ୍ୟାନ ଦେବୁ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ।
ନୂଆ ନୀତିନିୟମ ଚୂଡ଼ାନ୍ତ ହୋଇ ଏକ ସମାଧାନର ରାସ୍ତା ନ ବାହାରିବା ପର୍ଯ୍ୟନ୍ତ କାହା ଉପରେ କୌଣସି ପଦକ୍ଷେପ ନିଆଯିବ ନାହିଁ । ଏହାସହ ପୂର୍ବରୁ ନିର୍ଦ୍ଧାରିତ ଦୋକାନ ଅଞ୍ଚଳର ସୀମା ବର୍ତ୍ତମାନ ବଢ଼ିଥିବାରୁ ଏହାର ପରିବର୍ତ୍ତନ ଆବଶ୍ୟକ କି ନାହିଁ, ସେନେଇ ମଧ୍ୟ ତର୍ଜମା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ନୂଆ ଆବାସିକ ପ୍ରକଳ୍ପ ପାଇଁ ମଧ୍ୟ ସରକାର ଯୋଜନା ରଖିଥିବା ମନ୍ତ୍ରୀ କହିଛନ୍ତି । ନୂଆ ଆବାସିକ ଅଞ୍ଚଳରେ ମାର୍କେଟ୍ ବ୍ୟବସ୍ଥା କରିବାକୁ ଯୋଜନା ରହିଛି । ସ୍ଥାନୀୟ ନୂଆ ଆପାର୍ଟମେଣ୍ଟ ନିର୍ମାଣ ସମୟରେ ତଳ ମହଲାରେ କମର୍ସିଆଲ୍ ସ୍ଥାନ ରଖାଯିବ । ଯାହା ଫଳରେ ଆପାର୍ଟମେଣ୍ଟରେ ରହୁଥିବା ଲୋକେ ନିଜର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ନିଜ ଆଖପାଖ ଅଞ୍ଚଳରୁ କିଣିପାରିବେ ଏବଂ ମୁଖ୍ୟ ବଜାର ଉପରୁ ଭିଡ଼ କମିବ ।
