Latest Odisha News

BREAKING NEWS

କେନ୍ଦ୍ରୀୟ ଡେପୁଟେସନରେ ଯିବେ ବିବାଦୀୟ ଆଇପିଏସ ଆଶିଷ ସିଂ

ଭୁବନେଶ୍ବର: ପୁଣି ବଦଳି ହେଲେ ବିବାଦୀୟ ଆଇପିଏସ ଆଶିଷ ସିଂ । କେନ୍ଦ୍ରୀୟ ଡେପୁଟେସନରେ ଯିବେ । କେନ୍ଦ୍ରରେ ଇଣ୍ଡାେ-ତାଇବାନ୍ ବର୍ଡର(ଆଇଟିବିପି) ଆଇଜି ଭାବେ କାର୍ଯ୍ୟ କରିବେ ଆଶିଷ ସିଂ । ଆଗାମୀ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସେ ଡେପୁଟେସନ୍‌ରେ କାର୍ଯ୍ୟ କରିବେ । ବର୍ତ୍ତମାନ ଗୃହ ବିଭାଗର ଓଏସ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି ଆଶିଷ ।

ତେବେ ଗତ ଜୁଲାଇ ମାସରେ ଗୃହ ବିଭାଗକୁ ଆଶିଷଙ୍କୁ ବଦଳି କରିଥିଲେ ରାଜ୍ୟ ସରକାର । ଏହା ପୂର୍ବରୁ ବିବାଦରେ ଫସିଥିଲେ ଆଶିଷ । ନିର୍ବାଚନରେ ବିଜେଡି ହାରିବା ପରେ ସ୍ବାସ୍ଥ୍ୟବସ୍ଥା ଖରାପ ନେଇ ମିଛ କାରଣ ଦର୍ଶାଇ ଛୁଟିରେ ରହିଥିଲେ ।  ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ବିବାଦୀୟ ଆଇପିଏସ ଅଫିସର ଆଶିଷ ସିଂ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା ।

ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିଶନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଶାରିରୀକ ଓ ମାନସିକ ସ୍ତରରେ ଆଶିଷ ସିଂ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଏହା ପରେ ଗୃହ ବିଭାଗ ଆଶିଷ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ଚିଠି କରି ପୋଲିସ୍ ଡିଜିଙ୍କୁ ପଚାରିଥିଲା । ଜୁନ୍ ୩ରୁ ଆଶିଷ ଚାକିରିରେ ଯୋଗ ଦେଇଥିଲେ ବୋଲି ସ୍ପଷ୍ଟୀକରଣ ଦେଇଥିଲା ଗୃହ ବିଭାଗ । ଆଉ ଏବେ ପୁଣି ତାଙ୍କୁ କେନ୍ଦ୍ରୀୟ ଡେପୁଟେସନକୁ ପଠାଯିବା ନେଇ ନିର୍ଦ୍ଦେଶ ହୋଇଛି ।

Comments are closed.