Latest Odisha News

BREAKING NEWS

ଅନଲାଇନ୍ ବେଟିଂ ବିଜ୍ଞାପନକୁ ନେଇ ସରକାରଙ୍କ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅନଲାଇନ ବେଟିଂ ଆପକୁ ନେଇ ସରକାର କଠୋର  ହୋଇଛନ୍ତି । ଦିନକୁ ଦିନ ଟିଭି, ଡିଜିଟାଲ ଗଣମାଧ୍ୟମଠାରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମ ଗୁଡ଼ିକରେ ବିଭିନ୍ନ ଅନଲାଇନ ବେଟିଂ ଆପର ଜୋରସୋର ପ୍ରଚାର ପ୍ରସାର କରାଯାଉଥିଲା । ଯୁବ ବର୍ଗ ଏବଂ ପିଲାମାନେ ଅନଲାଇନ ବେଟିଂ  ଦ୍ବାରା ବାରମ୍ବାର ଆର୍ଥିକ ଠକାମୀର ଶିକାର ହେଉଥିବାରୁ ଏହାକୁ ନେଇ ସରକାରଙ୍କ ନିକଟରେ ଅଭିଯୋଗ ହେଉଛି  । ସୂଚନା ଓ ପ୍ରସାରଣ ବିଭାଗ ଏବେ ନିଉଜ ଓ୍ବେବସାଇଟ, ଟିଭି ଏବଂ ଓଟିଟି ପ୍ଲାଟଫର୍ମଗୁଡ଼ିକୁ ଏନେଇ ସତର୍କ କରାଇଛନ୍ତି ।

ବିଭାଗ ପକ୍ଷରୁ କୁହାଯାଇଛି  କୈାଣସି ଗଣମାଧ୍ୟମ କି ଓଟିଟି ପ୍ଲାଟଫର୍ମ, ଡିଜିଟାଲ ମିଡିଆ ଏଣିକି ଅନଲାଇନ ବେଟିଂ ଆପର ବିଜ୍ଞାପନ ଦେଇପାରିବେ  ନାହିଁ  । ମନ୍ତ୍ରାଣୟ ପକ୍ଷରୁ ଦୁଇଟି ଆଡଭାଇଜରି ଜାରି କରାଯାଇଛି । ଗୋଟିଏ ପ୍ରାଇଭେଟ ଟିଭି ଚ୍ୟାନେଲମାନଙ୍କ ପାଇଁ ଏବଂ ଅନ୍ୟଟି ଡିଜିଟାଲ ଗଣମାଧ୍ୟମ ପାଇଁ ।  କିଛି ସ୍ପୋର୍ଟସ ଚ୍ୟାନେଲ ମଧ୍ୟ ଏହି ପ୍ରକାର ଅନଲାଇନ ବେଟିଂ ଆପର ଅଧିକ ପ୍ରସାର କରୁଥିବା ଅଭିଯୋଗ ହେଉଛି ।

ଏସବୁ ବେଟିଂ ଆପର ବିଜ୍ଞାପନ ବନ୍ଦ କରିବା ପାଇଁ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି । ମନ୍ତ୍ରଣାଳୟ ପୂର୍ବରୁ ମଧ୍ୟ ଜୁନ 13ରେ ଏନେଇ ନିର୍ଦେଶ ଦେଇଥିଲା  । ତେବେ ଏଣିକି ଯେଉଁମାନେ ଏହି ନିର୍ଦେଶକୁ ଅବମାନନା କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଜୁଆ ଖେଳ ଏବଂ ଅନଲାଇନ୍ ବେଟିଂ ଦେଶର ଅନେକ ରାଜ୍ୟରେ ବ୍ୟାନ ଅଛି । ଏପରିସ୍ଥଳେ ଯଦି ଏହାର ପ୍ରଚାର ପ୍ରସାର କରାଯାଏ ତେବେ ମନ୍ତ୍ରଣାଳୟ ଲିଗାଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ସୂଚନା ଜାରି କରିଛି ।

ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଏନେଇ କଟକଣା ଲାଗିବା ପରେ କିଛି ଅନଲାଇନ ବେଟିଂ ଆପ ସେମାନଙ୍କ ପ୍ରଚାର ପ୍ରସାର ବନ୍ଦ କରିଦେଇଛନ୍ତି । ତା ବଦଳରେ ଅନେକ ନୂଆ ଆପ ଏବଂ  ନାମ ବଦଳାଇ କିଛି ପୁରୁଣା ଅନଲାଇନ ବେଟିଂ ଆପ ପୁଣି ପ୍ରଚାର ପ୍ରସାର କରୁଛନ୍ତି ।

Leave A Reply

Your email address will not be published.